କନକ ବ୍ୟୁରୋ : ଯଦି କେବେ ପ୍ରଶ୍ନ ଆସେ ଯେ ଶ୍ରୀକୃଷ୍ଣ କେଉଁ ଦେବତାଙ୍କ ଅବତାର ଥିଲେ ତା’ହେଲେ ଶହେରୁ ଶହେ ପ୍ରତିଶତ ଲୋକ ଶ୍ରୀହରିଙ୍କ ନାମ ନେବେ । ଆମ ଧାର୍ମିକ ଗ୍ରନ୍ଥମାନଙ୍କରେ ମଧ୍ୟ ଏହାର ବ୍ୟାଖ୍ୟା କରାଯାଇଛି । ଦେବକୀ ନନ୍ଦନ ନାରାୟଣଙ୍କ ଅଷ୍ଟମ ଅବତାର ଥିଲେ ବୋଲି ପୁରାଣ କୁହେ । ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ କିଛି ଗ୍ରନ୍ଥରେ ଭଗବାନ ଗୌତମ ବୁଦ୍ଧଙ୍କୁ ଶ୍ରୀହରିଙ୍କ ଅବତାର ରୂପେ ଗ୍ରହଣ କରାଯାଇନାହିଁ । ଅନେକ କାଳ ପରେ ବୁଦ୍ଧଙ୍କୁ ବିଷ୍ଣୁଙ୍କ ଦଶାବତାର ରୂପେ ପୂଜା କରାଗଲା ବୋଲି ପୌରାଣିକ ଗାଥାରୁ ଜାଣିବାକୁ ମିଳେ । ଯଦି ଆପଣ କେବେ ବୃନ୍ଦାବନ ଯାଇଥିବେ ସେଠାରେ ଏକ ବିଶେଷ ଆକର୍ଷଣ ଆଡ଼କୁ ଆପଣଙ୍କ ଆଖି ନିଶ୍ଚୟ ଯାଇଥିବ । ‘କୃଷ୍ଣ-କାଳୀ ମନ୍ଦିର’ । ପାଠକବନ୍ଧୁ ହଁ ଶ୍ରୀକୃଷ୍ଣ ଏଠାରେ ମା’ କାଳୀଙ୍କ ରୂପରେ ପୂଜା ପାଆନ୍ତି । ଦେବୀ ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ରହିଛି ଯେ ମା’ କାଳୀ ଶ୍ରୀକୃଷ୍ଣଙ୍କ ରୂପରେ ଅବତାର ନେଇଥିଲେ । ଏହା ପଛରେ ମଧ୍ୟ ଏକ ରୋଚକ କାହାଣୀ ରହିଛି ।
ଆଗକୁ ପଢ଼ନ୍ତୁ : ପାଞ୍ଚବର୍ଷ ବାଳକ ରୂପରେ ମହାଦେବ : କାହିଁକି ଶିବଙ୍କୁ ନେବାକୁ ପଡ଼ିଲା ବାଲ୍ୟ ରୂପ?
ଏକଦା ଶିବ-ପାର୍ବତୀ ଭ୍ରମଣ କରୁଥିଲେ । ଅନୁକୂଳ ବାତାବରଣ ଭିତରେ ଶଙ୍କରଙ୍କ ମନରେ କାମ ଭାବନା ଜାଗ୍ରତ ହେଲା ଯାହାର ଆଭାସ ଉମା ଜାଣିପାରିଲେ । କିନ୍ତୁ ଚନ୍ଦ୍ରଶେଖରଙ୍କ ଇଚ୍ଛା ଏହା ଥିଲା ଯେ ସେ ନାରୀ ଏବଂ ଉମା ପୁରୁଷ ରୂପରେ ରତିକ୍ରୀଡ଼ା କରନ୍ତୁ । ଯେତେବେଳେ ଆଦିଶକ୍ତି ସ୍ବାମୀଙ୍କ ଇଚ୍ଛାକୁ ଜାଣିଲେ ଭବିଷ୍ୟତରେ ଏହି ଇଚ୍ଛା ପୂରଣ କରିବାକୁ ପ୍ରଭୁଙ୍କୁ ପ୍ରତିଶୃତି ଦେଲେ । ସେତେବେଳେ ପୃଥିବୀରେ ଜରାସଂଘ ଏବଂ କଂସ ଭଳି ରାକ୍ଷସଙ୍କ ଉତ୍ପାତ ବୃଦ୍ଧି ପାଇଲା । ପୃଥିବୀ ତ୍ରାହି ତ୍ରାହି ଡାକ ଛାଡ଼ିଲା । ଦେବତାମାନେ ଉଦ୍ଧାର ପାଇଁ ମହାଦେବଙ୍କ ପାଖକୁ ଗଲେ । ଆଉ ଏହି ସମୟକୁ ଉତ୍କୃଷ୍ଟ ଭାବି ଦେବୀ ପାର୍ବତୀ ଅବତାର ନେବା ପାଇଁ ପ୍ରସ୍ତୁତ ହେଲେ । ସେ ନିଜ ଅଂଶ ମହାକାଳୀଙ୍କୁ ଉତ୍ପନ୍ନ କରି ପୃଥିବୀରେ ଅବତରିତ ହେବାକୁ ଆଜ୍ଞା ଦେଲେ । ଏହା ସହ ମା’ ମହାଦେବଙ୍କୁ ନାରୀ ରୂପରେ ଅବତାର ନେବାକୁ ନିବେଦନ କଲେ । ଧର୍ମର ରକ୍ଷା ସାଙ୍ଗକୁ ସ୍ବାମୀଙ୍କ ମନ ଉଭୟ ଜିଣିବାରେ ସଫଳ ହେଲେ ଦେବୀ ପାର୍ବତୀ । ମା’କାଳୀ ଶ୍ରୀକୃଷ୍ଣଙ୍କ ରୂପରେ କଂସ କାରାଗାରରେ ଜନ୍ମ ନେଇଥିବା ବେଳେ ମହାଦେବ ଶ୍ରୀରାଧା ବେଶରେ ବୃଷଭାନୁଙ୍କ ଘରେ ଜନ୍ମ ନିଅନ୍ତି । ଦେବୀ ପୁରାଣ ଅନୁସାରେ ଶ୍ରୀକୃଷ୍ଣ କଂସ ବଧ ମା’କାଳୀଙ୍କ ରୂପରେ ହିଁ କରିଥିଲେ । ଶ୍ରୀରାଧା ଯିଏ ବାସ୍ତବରେ ମହାଦେବଙ୍କ ଅବତାର ଥିଲେ କୃଷ୍ଣ ମଥୁରା ଛାଡ଼ିବା ପରେ ବୃନ୍ଦାବନରେ ଏକୁଟିଆ ହୋଇଗଲେ । କୃଷ୍ଣଙ୍କ ଫେରିବାର ସମ୍ଭାବନା କ୍ଷୀଣ ଥିବା ଜାଣି ପରିବାର କିଶୋରୀଙ୍କ ବିବାହ ଅନ୍ୟତ୍ର କରାଇଲେ । ଯାହାର ଦାୟିତ୍ବ ନନ୍ଦରାଜା ନେଇଥିଲେ । କିନ୍ତୁ ରାଧା ତ ସମ୍ପୂର୍ଣ୍ଣ କୃଷ୍ଣଙ୍କର ଥିଲେ ବିବାହ ପରେ ମଧ୍ୟ ତାଙ୍କର କୃଷ୍ଣପ୍ରେମ ସଦାସର୍ବଦା ସେମିତି ହିଁ ରହିଥିଲା । ଶ୍ରୀରାଧାଙ୍କ ସ୍ବାମୀ ଅୟାନ ତଥା ଅଭିମନ୍ୟୁ କାଳୀଭକ୍ତ ଥିଲେ । ସେ ପ୍ରତିଦିନ ମା’କାଳୀଙ୍କ ପୂଜା ଅତି ନିଷ୍ଠାର ସହ କରୁଥିଲେ । ରାଧା ପ୍ରତ୍ୟହ କୃଷ୍ଣ ନାମ ଜପୁଥିଲେ ଯାହାର ସନ୍ଦେହ ତାଙ୍କ ନଣନ୍ଦଙ୍କୁ ହେଲା ।
ଏକଦା ରାଧାରାଣୀଙ୍କ ମୁଖରୁ କୃଷ୍ଣନାମ ଶୁଣି ନଣନ୍ଦ ଭାଇଙ୍କୁ ଜଣାଇଥିଲେ । ପତ୍ନୀଙ୍କ ପାଟିରୁ ପରପୁରୁଷର ନାଁ ଶୁଣି କ୍ରୋଧରେ ଜର୍ଜରିତ ଅୟାନ ଯେତେବେଳେ ରାଧାଙ୍କ ପାଖକୁ ଆସିଲେ ସେ ସେତେବେଳେ କୃଷ୍ଣଙ୍କ ବଦଳରେ ମା’ କାଳୀଙ୍କ ନାମ ଜପୁଥିଲେ । ମା’କାଳୀ ରାଧାଙ୍କ ଲଜ୍ଜାକୁ ବଞ୍ଚାଇଲେ । ଭାର୍ଯ୍ୟାଙ୍କ ମୁଖରୁ ଆରାଧ୍ୟାଙ୍କ ନାମ ଶୁଣି ଅୟାନ ଖୁସି ହେଲେ ଏବଂ ଭଗିନୀଙ୍କୁ କଟୁବଚନ କହିଲେ । ଏହି ଖବର ଶୁଣିବା ପରେ ଶ୍ରୀରାଧା ମା’ଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରି ପୂଜା କରିବାକୁ ଲାଗିଲେ । ଆଉ ସେହି ଦିନଠାରୁ ରାଧାଙ୍କ ପାଇଁ କୃଷ୍ଣ ଏବଂ କାଳୀ ସମାନ ହେଲେ । ଆଜିର ସମୟରେ ବି ଯଦି ଆପଣ ପଶ୍ଚିମବଙ୍ଗର ଦକ୍ଷିଣକାଳୀ ମନ୍ଦିର ଯାଆନ୍ତି ତେବେ ସେଠାରେ ଜୟ ମା’ ଶ୍ୟାମାକାଳୀ ଏବଂ ଜୟ ମା’ କୃଷ୍ଣକାଳୀ ନାମ ଜପୁଥିବା ଭକ୍ତଙ୍କୁ ଦେଖିବାକୁ ପାଇବେ । ଶ୍ରୀକୃଷ୍ଣଙ୍କୁ ଯୋଗେଶ୍ବର କୁହାଯାଉଥିବା ବେଳେ ମା’ କାଳୀ ହେଲେ ଯୋଗମୁଦ୍ରା । କୃଷ୍ଣଙ୍କ ପାଖରେ ଦିବ୍ୟଦୃଷ୍ଟି ଥିଲେ କାଳୀଙ୍କ ପାଖରେ ଦିବ୍ୟ ତୃତୀୟ ନେତ୍ର । କାଳୀ ଅନନ୍ତରୂପା ଏବଂ ଶ୍ରୀକୃଷ୍ଣ ଯେତେବେଳେ ଅର୍ଜୁନଙ୍କୁ ଗୀତାଜ୍ଞାନ ଦେଉଥିଲେ ସେତେବେଳେ ଅନନ୍ତ ରୂପ ଦର୍ଶନ କରାଇଥିଲେ । କୃଷ୍ଣ ରଣକ୍ଷେତ୍ରରେ ଧର୍ମ-ଅଧର୍ମର ବିଚାର ନକରି ମହାଭାରତ ଜିତାଇଥିଲେ । ମା’କାଳୀଙ୍କ କ୍ରୋଧ ତ କାହାକୁ ଅଛପା ନାହିଁ । କ୍ରୋଧରେ ଆସିଲେ ବିନାଶ ସୁନିଶ୍ଚିତ । ଦୁହେଁ ମହାଦେବଙ୍କୁ ସମର୍ପିତ । ଶ୍ରୀକୃଷ୍ଣ ପୁରୁଷ ହେଲେ ମା’କାଳୀ ପ୍ରକୃତି । ଶୂନ୍ୟ ପରମାତ୍ମାଙ୍କ ଦୁଇ ସ୍ବରୂପ । ଯିଏ କୃଷ୍ଣ ସେ କାଳୀ , ଯେ କାଳୀ ସେ ହିଁ କୃଷ୍ଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/26/krushna-and-kali-2026-01-26-15-33-28.jpg)