anna Photograph: (KanakNews)
କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ତମାଖୁ ଏବଂ ଗୁଟଖା ଭଳି ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ପାଇଁ ସାଧାରଣରେ ଜୋର୍ ଧରିଛି । କିଛି କିଛି ରାଜ୍ୟରେ ଦୋକାନମାନଙ୍କରେ ନିଶାଦ୍ରବ୍ୟ ରଖିବାକୁ ଅପରାଧ ବୋଲି ମଧ୍ୟ ଘୋଷଣା ହୋଇଛି । ଆଉ ଏହାରି ଭିତରେ ମନୋରଞ୍ଜନ ଜଗତରୁ ନିଶାଦ୍ରବ୍ୟକୁ ନେଇ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଛି । ଆପଣ ଜାଣିଥିବେ ଅନେକ ନାମୀଦାମୀ ସେଲିବ୍ରିଟି ମୋଟା ଅଙ୍କର ଫିସ୍ ନେଇ ତମାଖୁ ବିଜ୍ଞାପନ କରନ୍ତି । ଏମିତିକି ହାତରେ ତମାଖୁ ଧରି ସହରର ଗଳିକନ୍ଦିରେ ସେଲିବ୍ରିଟିଙ୍କ ପୋଷ୍ଟର୍ ଲାଗିଥିବାର ମଧ୍ୟ ଦେଖାଯାଏ । ଯାହାଦ୍ବାରା ଯୁବଗୋଷ୍ଠୀ ଏଥିପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି । ଏହି ବିଜ୍ଞାପନ ଦ୍ବାରା ବ୍ରାଣ୍ଡଗୁଡ଼ିକର ରାଜସ୍ବ ବୃଦ୍ଧି ପାଉଥିଲେ ମଧ୍ୟ ଅନେକ ସମୟରେ ବିତର୍କ ସୃଷ୍ଟି ହୁଏ । ସେଲିବ୍ରିଟିମାନଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼େ । ଟ୍ରୋଲ୍ କରୁଥିବା ୟୁଜର୍ସ କୁହନ୍ତି ପବ୍ଲିକ୍ ଫିଗରଙ୍କ ସାମାଜିକ ଦାୟିତ୍ବ ରହିଛି ଯେ ସେମାନେ ସମାଜକୁ କ’ଣ ଶିକ୍ଷା ଦେବେ । ପୂର୍ବରୁ ଅନେକ ତାରକା ଏହି ବିଜ୍ଞାପନର ଅଂଶ ହେଉଥିବା ବେଳେ ବର୍ତ୍ତମାନ ସମୟରେ ଖୁବ୍ କମ୍ ତାରକା ଏଭଳି ଆଡରେ ନଜର ଆସୁଛନ୍ତି ।
ଆଗକୁ ପଢ଼ନ୍ତୁ : କମେଡିୟାନ୍ କେମିତି ପାଲଟିଲେ ଷ୍ଟାର୍ ? କାହାଣୀ ସୁନୀଲ ଗ୍ରୋଭରଙ୍କର
ବର୍ତ୍ତମାନ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ଏହି ତାଲିକାରେ ଆସିଛନ୍ତି । ସୁନୀଲ କୋଟି କୋଟି ଟଙ୍କାର ତମାଖୁ ବିଜ୍ଞାପନକୁ ପ୍ରତ୍ୟାଖାନ କରିଛନ୍ତି । ଅଭିନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏପରି କୌଣସି ବିଜ୍ଞାପନକୁ ସମର୍ଥନ କରିବେ ନାହିଁ ଯାହା ତାଙ୍କ ଭାବମୂର୍ତ୍ତିକୁ ତାଙ୍କ ପ୍ରଶଂସକଙ୍କ ଆଗରେ ନ୍ୟୁନ କରାଇବ । ସୁନୀଲ ସେଟ୍ଟୀ ହିନ୍ଦୀ ସିନେମାର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ କେବେ ବି ତମାଖୁ ବ୍ରାଣ୍ଡର ପ୍ରଚାର କରିନାହାନ୍ତି । ତାଙ୍କୁ ଅନେକ ସମୟରେ କୋଟି କୋଟି ଟଙ୍କାର ବିଜ୍ଞାପନ ଅଫର ମିଳିଛି । ନିକଟରେ ସୁନୀଲଙ୍କର ଏକ ସ୍ବତନ୍ତ୍ର ପଡକାଷ୍ଟ୍ ସୁଟ୍ ହୋଇଥିଲା । ସାକ୍ଷାତକାର ବେଳେ ସେ ନିଜ କ୍ୟାରିଅରକୁ ନେଇ ଅନେକ କଥା କହିଥିଲେ । ସୁନୀଲ କହିଥିଲେ ଯେ ତାଙ୍କ ଶରୀର ପାଇଁ ସେ କୃତଜ୍ଞ । ଶରୀର ହେଉଛି ତାଙ୍କର ପ୍ରକୃତ ଶକ୍ତି । ତେଣୁ ସ୍ବାସ୍ଥ୍ୟ ସମ୍ଭନ୍ଧୀୟ କ୍ଷତିକାରକ ଦ୍ରବ୍ୟକୁ ସେ ପ୍ରୋତ୍ସାହନ ଦେଇପାରିବେ ନାହିଁ । ଅଭିନେତା ଆହୁରି କହିଛନ୍ତି ଯେ ସେ ତାଙ୍କ ପିଲାଙ୍କ ପାଇଁ ଏକ ଭଲ ଉଦାହରଣ ହେବାକୁ ଚାହାନ୍ତି । ସେ ଦୁନିଆ ଛାଡ଼ିବା ପରେ ତାଙ୍କ ପିଲାଙ୍କ ପାଇଁ ଜଣେ ବେଷ୍ଟ୍ ବାପା ହେବାକୁ ଚାହାନ୍ତି । ତାଙ୍କୁ ଅବଶ୍ୟ ପୂର୍ବ ପରି ପ୍ରତ୍ୟେକ ଚଳଚ୍ଚିତ୍ରରେ ଦେଖାଯାଉନାହିଁ ତଥାପି ତାଙ୍କୁ ୧୭ ରୁ ୨୦ ବର୍ଷ ବୟସର ଯୁବକମାନେ ଭାରି ଭଲ ପାଆନ୍ତି ଏବଂ ସମ୍ମାନ କରନ୍ତି । ଏହା ତାଙ୍କ ପାଇଁ ଗର୍ବର କଥା ଆଉ ଏହି ସମ୍ମାନକୁ ସେ ତଳେ ପକାଇବାକୁ ଚାହୁନାହାନ୍ତି ।
ସାକ୍ଷାତକାରରେ ସେ କହିଥିଲେ ଯେ ଏକ ତମାଖୁ ବ୍ରାଣ୍ଡର ବିଜ୍ଞାପନ ପାଇଁ ତାଙ୍କୁ ୪୦ କୋଟି ଟଙ୍କାର ଅଫର୍ ମିଳିଥିଲା । ଯାହାକୁ ସେ ସିଧା ସିଧା ମନା କରି ଦେଇଥିଲେ । ସୁନୀଲ କୁହନ୍ତି ‘ମତେ ଟଙ୍କାର ଅଭାବ ଥିଲେ ବି ମୁଁ କେବେ ମୋ ନୀତି ସହ ସାଲିସ୍ କରିବି ନାହିଁ । ଏଭଳି କାମ କରିବା ଦ୍ବାରା ମୋ ଝିଅ ଆଥିୟା,ପୁଅ ଆହନ ଏବଂ ଜ୍ବାଇଁ ରାହୁଲ ପ୍ରଭାବିତ ହୋଇଥା’ନ୍ତେ ଏବଂ ତାଙ୍କ ଇମେଜ୍ ମଧ୍ୟ ଖରାପ ହୋଇଥା’ନ୍ତା ।’
Follow Us