shiv Photograph: (KanakNews)
କନକ ବ୍ୟୁରୋ : ସନାତନ ଧର୍ମର ପୂଜାପଦ୍ଧତି , ପୁରାଣ ଏବଂ ଆଧ୍ୟାତ୍ମିକ ଚେତନା ଏତେ ବିସ୍ତୃତ ଏବଂ ଗୁଢ଼ ଯେ ଗୋଟିଏ କଥା ଅନ୍ୟ ଏକ କଥାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯେମିତିକି କିଛି ପୌରାଣିକ ମାନ୍ୟତା ଅନୁସାରେ ଭୈରବ ଅବତାରକୁ ବ୍ରହ୍ମାଙ୍କ ପ୍ରତୀକ ବୋଲି କୁହାଯାଏ । କିନ୍ତୁ ରୁଦ୍ରାଷ୍ଟାଧ୍ୟାୟୀ ତଥା ଭୈରବ ତନ୍ତ୍ର ଅନୁସାରେ ଭୈରବଙ୍କୁ ଭଗବାନ ଶିବଙ୍କ ଅଂଶ ବୋଲି କୁହାଯାଇଛି । ରୁଦ୍ରାୟମଲ ତନ୍ତ୍ର ପୁସ୍ତିକାରେ ଅଷ୍ଟ ଭୈରବଙ୍କ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଥିଲେ ମଧ୍ୟ କାଳ ଭୈରବ ଏବଂ ବଟୁକ ଭୈରବଙ୍କ ପୂଜା ପଦ୍ଧତି ବିଷୟରେ ଏଥିରେ ଅଧିକ ଗୁରୁତ୍ବ ଦିଆଯିବାର ଦେଖାଯାଏ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଭୈରବ ଅବତାର ବିଷୟରେ କହିବାକୁ ଯାଉଛୁ ସେ ହେଲେ ବଟୁକ ଭୈରବ ।
ବଟୁକର ଅର୍ଥ ହେଉଛି ବାଳକ ଏବଂ ଭୈରବ ଶବ୍ଦର ଅର୍ଥ ହେଉଛି ଭୟଭୀତ କରିବା ବା ଡରାଇବା । ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ଏହି ଉତ୍ପତ୍ତି ପଛରେ ଏକ କାହାଣୀ ରହିଛି । ପୁରାଣ ଅନୁସାରେ ଆପଦ ନାମକ ଏକ ରାକ୍ଷସ ଘୋର ତପସ୍ୟା କରି ଅଜୟ ଏବଂ ଅଭୟ ବର ପ୍ରାପ୍ତ କରିବା ସହ ତା’ର ବଧ କେବଳ ୫ ବର୍ଷର ବାଳକର ହାତରେ ହେବ ବୋଲି ବର ପ୍ରାପ୍ତ କରିଥିଲା । ବାଳକ ବ୍ୟତୀତ ଆଉ କାହାରି ହାତରେ ମଧ୍ୟ ରାକ୍ଷସର ମୃତ୍ୟୁ ସମ୍ଭବ ନଥିଲା । ବରଦାନ ପ୍ରାପ୍ତ କରିବା ପରେ ରାକ୍ଷସ ଆପଦ ଚାରିଆଡ଼େ ହାହାକାର ସୃଷ୍ଟି କଲା। ମନୁଷ୍ୟ,ଦେବତା, ଜୀବଜଗତ ସମସ୍ତଙ୍କ ମନରେ ଭୟ ଜାତ କରାଇଲା । ନିଜ ଶକ୍ତିର ଏତେ ଦୂରୁପଯୋଗ କଲା ଯେ ସମସ୍ତ ଜୀବମଣ୍ଡଳ ରାକ୍ଷସର ଅତ୍ୟାଚାରରେ ଅସହନୀୟ ପୀଡ଼ାର ସମ୍ମୁଖିନ ହେଲେ । ଆପଦ ରାକ୍ଷସକୁ ଜୀବନରୁ ମାରିବା ପାଇଁ ଦେବତା ଉପାୟ ପାଞ୍ଚିଲେ ଏବଂ ସଂହାରକର୍ତ୍ତାଙ୍କ ପାଖକୁ ସାହାଯ୍ୟ ପାଇଁ ଚଳିଗଲେ । ଦେବାଧିଦେବ ମହାଦେବଙ୍କ ଚିନ୍ତନ-ମନ୍ଥନ ପରେ ତାଙ୍କ ଶରୀରରୁ ଏକ ତେଜ ପ୍ରକାଶ ବାହାରିଲା ଯେଉଁଥିରୁ ପାଞ୍ଚବର୍ଷୀୟ ବାଳକ ବଟୁକ ଭୈରବଙ୍କ ଉତ୍ପତ୍ତି ହେଲା । ଭୋଳାନାଥଙ୍କ ବାଲ୍ୟରୂପକୁ ଦେଖି ସବୁ ଦେବତା ଆଚମ୍ବିତ ହେଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ଏହାପରେ ବଟୁକ ଭୈରବଙ୍କୁ ଅଜୟ ବର ପ୍ରଦାନ କରାଗଲା । ନିଜ ତେଜରେ ସେ ରାକ୍ଷସର ବଧ କଲେ । ଯାହାପରେ ତାଙ୍କୁ ଆପଦୁଦ୍ବାରକ ବଟୁକ ଭୈରବ ଭାବରେ ପୂଜା କରାଗଲା ।
ଆଗକୁ ପଢ଼ନ୍ତୁ : ଶିବଲିଙ୍ଗ ପଛରେ ମଣିଷ ଆକୃତିର ଛାଇ ! ବଡ଼ ଅଦ୍ଭୁତ ଭାରତର ରହସ୍ୟମୟ ମନ୍ଦିର
ଆପଦ ରାକ୍ଷସର ବଧ କରି ସେ ସମସ୍ତ ସଂସାରର ଉଦ୍ଧାର କରିଥିଲେ । ସେହି ଦିନଠାରୁ ବଟୁକ ଭୈରବଙ୍କ ପୂଜାରେ ମାନ୍ୟତା ରହିଛି ଯେ ଯଦି ଭକ୍ତିର ସହିତ ମହାଦେବଙ୍କ ଏହି ପାଞ୍ଚ ବର୍ଷୀୟ ବାଳକ ରୂପକୁ ପୂଜା କରାଯାଏ ତେବେ ପ୍ରଭୁ ବଟୁକ ଭୈରବ ଭକ୍ତଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ନିବାରଣ କରନ୍ତି । ନୀଳ ତଥା କଳା ରଙ୍ଗର ଶରୀର,ତିନି ଆଖି , କାନରେ କୁଣ୍ଡଳ,ଦିବ୍ୟ ମଣିରେ ସୁଶୋଭିତ, ଚାରି ଭୁଜ ଗୋଟିଏ ହାତରେ ତ୍ରିଶୂଳ ,ଗୋଟିଏରେ ଡମ୍ବରୁ,ଗୋଟିଏରେ ଖପୁରୀ ଏବଂ ଅନ୍ୟଟିରେ ଗଦା ଧରି ଶାନ୍ତମୁଖରେ ଛିଡ଼ା ହୋଇଥିବାର ଦେଖାଯା’ନ୍ତି ବଟୁକ ଭୈରବ । ମାନ୍ୟତା ରହିଛି କି ସୂର୍ଯ୍ୟଦେବଙ୍କ ବାର ଅର୍ଥାତ ରବିବାରରେ ଭଗବାନ ବଟୁକଙ୍କ ସାଧନା କରିବା ଦ୍ବାରା ସାଧକଙ୍କୁ ବଳ,ବୁଦ୍ଧି,ବିଦ୍ୟା,ମାନ-ସମ୍ମାନ ଆଦି ପ୍ରାପ୍ତ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ରାହୁ-କେତୁ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ବଟୁକ ଭୈରବ ସାଧନା ଅତ୍ୟନ୍ତ ଫଳପ୍ରଦ । ଏହା ବ୍ୟତୀତ ଅତ୍ୟନ୍ତ ଶାନ୍ତ ବାତାବରଣ ଯେଉଁଠିକି ଲୋକଙ୍କ ଯିବାଆସିବା ବହୁତ କମ୍ ଥିବ ସେହି ସ୍ଥାନରେ ବଟୁକ ଭୈରବ ସାଧନା କରିବା ଦ୍ବାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ।
Follow Us