କନକ ବ୍ୟୁରୋ : ଆଧ୍ୟାତ୍ମିକତାର ଦେଶ ଭାରତରେ ପ୍ରତି ଗଳିରେ ଗୋଟିଏ ଗୋଟିଏ ମନ୍ଦିର ବିଦ୍ୟମାନ । ଯାହାର ଅଲୌକିକତା ଏବଂ କାହାଣୀ ଆଉ ଏକ ମନ୍ଦିରଠାରୁ ଭିନ୍ନ । ଯେଉଁଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଯାଇଥା’ନ୍ତି ଏବଂ ମନସ୍କାମନା ପୂରଣ ପାଇଁ ଈଶ୍ବରଙ୍କ ସମ୍ମୁଖରେ ପୂଜାର୍ଚ୍ଚନା କରନ୍ତି । ଭାରତରେ ଏମିତି ଅନେକ ରହସ୍ୟମୟ ମନ୍ଦିର ଅଛି ଯାହାର କାହାଣୀ କୌଣସି କିମ୍ବଦନ୍ତୀଠାରୁ କମ୍ ନୁହେଁ । କିଛି କିଛି ମନ୍ଦିରରେ କବାଟ ପଡ଼ିବା ପରେ ପଛକୁ ବୁଲି ମନ୍ଦିରକୁ ଦେଖିବା ମନା ତ ଆଉ କିଛି ମନ୍ଦିରରେ ଭଗବାନ ସ୍ବୟଂ ପ୍ରକଟିତ ହୁଅନ୍ତି ବୋଲି ବିଶ୍ବାସ ରହିଛି । ତେଲେଙ୍ଗାନାରେ ମଧ୍ୟ ଏପରି ଏକ ରହସ୍ୟମୟ ମନ୍ଦିର ରହିଛି ଯେଉଁଠାରେ ଭଗବାନ ଶିବଙ୍କ ଲିଙ୍ଗ ଆକୃତି ପଛରେ ମଣିଷର ଛାଇ ଦେଖାଯାଉଥିବା କଥା କୁହାଯାଏ । ଏ ଛାଇ କାହାର ଏବଂ କେମିତି ଏହାର ଛବି କାନ୍ଥରେ ଦେଖାଯାଏ ତାହା ଆଜି ବି ରହସ୍ୟ ହୋଇ ରହିଛି ।  

Advertisment
shiva
shiva Photograph: (google)

ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ସ୍ଥିତ ପନାଗଲ ଗାଁରେ ଥିବା ଛାୟା ସୋମେଶ୍ବର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଯେଉଁଠିକି ଭକ୍ତମାନେ ପ୍ରଭୁଙ୍କୁ ପୂଜା କରିବା ସହିତ ମନ୍ଦିରର ଗର୍ଭଗୃହରେ ଥିବା ସେହି ମାନବ ଆକୃତିର ଛାଇକୁ ଦେଖିବା ପାଇଁ ମଧ୍ୟ ଦୂରଦୂରାନ୍ତରୁ ଛୁଟି ଆସିଥା’ନ୍ତି । ଏହି ଛାଇ ଭକ୍ତଙ୍କ ସମେତ ସାଧୁସନ୍ଥଙ୍କୁ ମଧ୍ୟ ଆକୃଷ୍ଟ କରେ । ଏହା କେବଳ ହଜାରେ ବର୍ଷ ପୁରୁଣା ବାସ୍ତୁକଳାର ଅଦ୍ଭୁତ ଉଦାହରଣ ନୁହେଁ ବରଂ ମନ୍ଦିରର ଉନ୍ନତ ବୈଜ୍ଞାନିକ ଜ୍ଞାନର ଏକ ଜୀବନ୍ତ ପ୍ରମାଣ । ମନ୍ଦିରର ଗର୍ଭଗୃହରେ ଭଗବାନ ଶିବଙ୍କ ଶିବଲିଙ୍ଗ ବିଦ୍ୟମାନ । ଶିବଲିଙ୍ଗଙ୍କ ଠିକ୍ ପଛ କାନ୍ଥରେ ମନୁଷ୍ୟ ଆକୃତିର ଏକ ଛାଇ ଦେଖିବାକୁ ମିଳେ । ବର୍ଷା,ଶୀତ ହେଲେ ଛାଇର ଆକୃତି କମ୍ ଦେଖାଯାଉଥିଲେ ମଧ୍ୟ ଖରା ପଡ଼ିଲେ ଆକୃତି ସ୍ପଷ୍ଟ ଦୃଶ୍ୟମାନ ହୁଏ । ଏହି ଆକୃତି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ହିଁ ଦେଖାଯାଏ । ଚମତ୍କାରର ବିଷୟ ହେଉଛି ଛାଇ ଆକୃତି ତିଆରି କରିବା ପାଇଁ ଏମିତି କୌଣସି ବସ୍ତୁ ମନ୍ଦିରର ଗର୍ଭଗୃହରେ ଉପସ୍ଥିତ ନାହିଁ । ଏହି ଛାଇକୁ କେବଳ ସେତେବେଳର କାରିଗରଙ୍କ ଅଦ୍ଭୁତ ସଂରଚନାର ଏକ ଭ୍ରମ ବୋଲି କୁହାଯାଇପାରିବ । ଆଜିର ସମୟରେ ଯେଉଁଠି ବିଦେଶରେ ଭୁଲଭୁଲୟାଁ ଏବଂ ଅନେକ କୀର୍ତ୍ତିରାଜିକୁ ରହସ୍ୟ କେନ୍ଦ୍ରୀଭୁତ କରାଯାଇଛି , ସେହି ସମୟରେ ଏଭଳି ଏକ ମନ୍ଦିର ଦର୍ଶାଉଛି ଯେ ଭାରତର ଇତିହାସ,ଭୂଗୋଳ କେବଳ ସମୃଦ୍ଧ ନଥିଲା ସ୍ଥାପତ୍ୟକଳା ମଧ୍ୟ ଶାଣିତ ଥିଲା । ମନ୍ଦିରର ରହସ୍ୟମୟ ସଂରଚନା ହିଁ ଦର୍ଶାଉଛି ଯେ ସେତେବେଳର ସ୍ଥାପତ୍ୟକାରଙ୍କ ବୁଦ୍ଧି କେତେ ବିଚକ୍ଷଣ ହୋଇନଥିବ । 

ଅଧିକ ପଢ଼ନ୍ତୁ---ଭାରତର ଏମିତି ଏକ ମନ୍ଦିର : ରାତିରେ ଗାୟବ ହୋଇଯାଏ ମା’କାଳୀଙ୍କ ମୂର୍ତ୍ତି !

ତେବେ ବୈଜ୍ଞାନିକଙ୍କ ତଥ୍ୟକୁ ଯଦି ଦେଖିବା ଗର୍ଭଗୃହ ସାମ୍ନାରେ ଅନେକ ସ୍ତମ୍ଭ ରହିଛି । ଯେଉଁ କାରଣରୁ ବାହାରର ସୂର୍ଯ୍ୟକିରଣ ଗର୍ଭଗୃହ ଭିତରକୁ ପ୍ରବେଶ କରେ । ବୈଜ୍ଞାନିକଙ୍କ କହିବାନୁସାରେ ଏହା କେବଳ ଗୋଟିଏ ସ୍ତମ୍ଭ ନୁହେଁ ବିଭିନ୍ନ ସ୍ତମ୍ଭର ସମାହାରରେ ପ୍ରସ୍ତୁତ ହେଉଥିବା ଛାଇ । କିନ୍ତୁ ଏହାକୁ ମଧ୍ୟ ଦମ୍ଭର ସହିତ ସତ ବୋଲି କୁହାଯାଇପାରିବ ନାହିଁ । ଛାୟା ସୋମେଶ୍ବର ମନ୍ଦିରର ନିର୍ମାଣ ଇଶ୍ବାକୁ ବଂଶର କୁନ୍ଦୁରୁ ଚୋଡ଼ା ଶାସକ ଏକାଦଶ ଶତାବ୍ଦୀରେ କରିଥିଲେ । ମହାଦେବଙ୍କ ସହିତ ମନ୍ଦିରରେ ପ୍ରଭୁ ନାରାୟଣ ଏବଂ ସୂର୍ଯ୍ୟଦେବଙ୍କ ପ୍ରତିମା ମଧ୍ୟ ପୂଜା ପାଏ । ମନ୍ଦିରର ଡିଜାଇନ୍ ଏଭଳି ଭାବରେ କରାଯାଇଛି ଯେ ୮ ଦିଗରୁ ଦେବତା ଏବଂ ଭଗବାନ ଶିବଙ୍କ ନଟରାଜ ନୃତ୍ୟ ଶୈଳୀ ଅଙ୍କିତ କରୁଥିବାର ଦେଖାଯାଏ । ଏହା କେବଳ ଆସ୍ଥାର କେନ୍ଦ୍ର ନୁହେଁ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଏକ ଅଦ୍ଭୁତ ସଂଯୋଗ । ପୌରାଣିକ କଥାନୁସାରେ ଚନ୍ଦ୍ରମା ଏହି ସ୍ଥାନରେ ମହାଦେବଙ୍କ ତପସ୍ୟା କରିଥିଲେ । ଚନ୍ଦ୍ରଦେବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଶିବଶମ୍ଭୁ ସ୍ବୟଂ ଏଠାରେ ପ୍ରକଟ ହୋଇଥିଲେ ।