କନକ ବ୍ୟୁରୋ: ୧୯ ବର୍ଷରୁ କମ ଭାରତୀୟ ଦଳ ବିଶ୍ବକପ୍ ଜିତିବା ପରେ ସବୁଆଡ଼େ ଏବେ ୧୪ ବର୍ଷର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଫାଇନାଲ୍ରେ ମାତ୍ର ୮୦ଟି ବଲରୁ ୧୭୫ ରନ କରି ଇଂଲଣ୍ଡ ହାତରୁ ମ୍ୟାଚ ଛଡ଼ାଇଆଣିଥିବା ବୈଭବଙ୍କୁ ଏବେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କୁହାଯାଉଛି। ଏପରିକି ତାଙ୍କୁ ଯଥାଶୀଘ୍ର ବରିଷ୍ଠ ଦଳକୁ ଆଣିବାକୁ ପୂର୍ବତନ ଅଧିନାୟକ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଯେ ବୈଭବ ଯେଉଁ ପ୍ରଭାବ ଓ ଗତିଶୀଳତା ଦେଖାଇଛନ୍ତି ତାହା ଅତୁଳନୀୟ।
ତାଙ୍କୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପରେ ସାମିଲ କରାଯାଇଥିଲେ, ନିଶ୍ଚୟଭାବେ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଇଥାନ୍ତା। କିନ୍ତୁ ବୈଭବଙ୍କ ଏପରି କ୍ଷମତା ସତ୍ତ୍ବେ ତାଙ୍କୁ ଏପର୍ଯ୍ୟନ୍ତ କାହିଁକି ବରିଷ୍ଠ ଜାତୀୟ ଦଳରେ ସାମିଲ କରାଯାଉନାହିଁ? ଏହାର ଉତ୍ତର ହେଉଛି ବିସିସିଆଇ ଚାହିଁଲେ ବି ତାଙ୍କୁ ବରିଷ୍ଠ ଦଳରେ ସାମିଲ କରିପାରିବ ନାହିଁ। ଏହାର କାରଣ ହେଉଛି ଆଇସିସିର ଏକ ନିୟମ। ୨୦୨୦ରେ ଲାଗୁ ଏହି ନିୟମ ଅନୁସାରେ କୌଣସି ଦେଶର ବରିଷ୍ଠ ଜାତୀୟ ଦଳରେ ସାମିଲ ହେବା ପାଇଁ ଅତି କମରେ ୧୫ ବର୍ଷ ହେବା ଆବଶ୍ୟକ। କିନ୍ତୁ ଏବେ ବୈଭବଙ୍କୁ ମାତ୍ର ୧୪ ବର୍ଷ ହୋଇଛି। ସେ ୨୦୧୧ ମାର୍ଚ୍ଚ ୨୭ରେ ଜନ୍ମ ଗ୍ରହଣ କରିଥିଲେ। ଏଣୁ ତାଙ୍କ ବୟସ ଏବେ ୧୪ ବର୍ଷ, ବରିଷ୍ଠ ଦଳରେ ସାମିଲ ହେବାକୁ ତାଙ୍କୁ ଆଉ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ୍ ଥିବାବେଳେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଉଛି କି ନା ତାହା ସମୟ କହିବ।
ଆହୁରି ପଢ଼ନ୍ତୁ... ଆଜିଠାରୁ ଟି-୨୦ ବିଶ୍ୱକପ୍ ମହାକୁମ୍ଭ: ମୁମ୍ୱାଇରେ ଶୁଭିବ ‘ଚକ ଦେ ଇଣ୍ଡିଆ’!
ସେପଟେ ମାତ୍ର ୧୪ ବର୍ଷର ହୋଇଥିଲେ ବି ସେ ଆଉ ୧୯ ବର୍ଷରୁ କମ ବିଶ୍ବକପ୍ ଖେଳିପାରିବେ ନାହିଁ। ୨୦୨୮ ଓ ୨୦୩୦ ୧୯ବର୍ଷରୁ କମ ବିଶ୍ବକପ ବେଳକୁ ବି ତାଙ୍କ ବୟସ ୧୯ ଟପିନଥିବ। ଏହା ସତ୍ତ୍ବେ ବିସିସିଆଇର ନିୟମ ଅନୁସାରେ ଜଣେ ଖେଳାଳି କେବଳ ଥରେ ୧୯ ବର୍ଷରୁ କମ ବିଶ୍ବକପ୍ ଖେଳିପାରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/vaibhab-2026-02-07-15-50-16.jpg)