କନକ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆଜି ଆରମ୍ଭ ହେବାକୁ ଯାଉଛି ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ । ଚଳିତ ଥର ଭାରତୀୟ ଦଳ ‘ଡିଫେଣ୍ଡିଂ ଚାମ୍ପିଅନ୍’ ଭାବେ ପଡ଼ିଆକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨୦୨୪ ମସିହାରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ହରାଇ ଭାରତ ଇତିହାସ ରଚିଥିଲା । ତେବେ ଟି-୨୦ ବିଶ୍ୱକପ୍ ଇତିହାସରେ ଏପର୍ଯ୍ୟନ୍ତ କୌଣସି ଦଳ କ୍ରମାଗତ ଦୁଇଥର ଟାଇଟଲ୍ ଜିତିବାରେ ସଫଳ ହୋଇନାହାନ୍ତି । ଏହି ଅପରାଜେୟ ଧାରାକୁ ଭାଙ୍ଗି ଏକ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ।
ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତକୁ ଗ୍ରୁପ୍-ଏ’ରେ ସ୍ଥାନ ଦିଆଯାଇଛି । ଏହି ଗ୍ରୁପ୍ରେ ଭାରତ ସହିତ ପାକିସ୍ତାନ, ଆମେରିକା, ନାମିବିଆ ଏବଂ ନେଦରଲ୍ୟାଣ୍ଡ ଭଳି ଦଳ ରହିଛନ୍ତି । ଭାରତୀୟ ଦଳ ନିଜର ପ୍ରଥମ ମୁକାବିଲା ଆଜି ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଖେଳିବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ୧୨ ଫେବ୍ରୁଆରିରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନାମିବିଆ ସହ ହେବ ।
ତେବେ ସାରା ବିଶ୍ୱର ନଜର ରହିବ ୧୫ ଫେବ୍ରୁଆରିରେ ହେବାକୁ ଥିବା ହାଇ-ଭୋଲଟେଜ୍ ମ୍ୟାଚ୍ ଉପରେ । ଶ୍ରୀଲଙ୍କାର କଲୋମ୍ବୋଠାରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ । ହେଲେ ପାକିସ୍ତାନ ଭାରତ ସହ ଖେଳିବାକୁ ମନା କରିଦେଇଛି । ତେବେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଶେଷରେ ୧୮ ଫେବ୍ରୁଆରିରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ନିଜର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଗ୍ରୁପ୍ ରହିଥିବା ବେଳେ ପ୍ରତି ଗ୍ରୁପ୍ର ଶୀର୍ଷ ଦୁଇଟି ଦଳ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିବେ।
ଆହୁରି ପଢ଼ନ୍ତୁ...ବିସିସିଆଇ ପକ୍ଷରୁ ବିରାଟ, ରୋହିତଙ୍କ ଗ୍ରେଡ୍ ହ୍ରାସ
ଟି-୨୦ କ୍ରିକେଟର ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇବ । ଗତ ବିଶ୍ୱକପ୍ ପରଠାରୁ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଛି ଏବଂ ଦଳ ଏପର୍ଯ୍ୟନ୍ତ ଗୋଟିଏ ହେଲେ ସିରିଜ୍ ହାରି ନାହିଁ । ଦଳର ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ଅଭିଷେକ ଶର୍ମା ଏବଂ ଏକ ନମ୍ବର ବୋଲର ବରୁଣ ଚକ୍ରବର୍ତ୍ତୀ ।
ସ୍କ୍ୱାଡ୍ ଚୟନରେ ଅଭିଜ୍ଞତା ଏବଂ ଯୁବ ପ୍ରତିଭାର ଏକ ସନ୍ତୁଳିତ ମିଶ୍ରଣ ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆର ଏହି ୧୫ ଜଣିଆ ସଦସ୍ୟଙ୍କ ମଧ୍ୟରୁ ୮ ଜଣ ଖେଳାଳି ୨୦୨୪ ବିଶ୍ୱକପ୍ ବିଜୟୀ ଦଳର ଅଂଶ ଥିବାବେଳେ ୭ ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ଦଳରେ ଇଶାନ କିଷନ, ତିଲକ ବର୍ମା, ଅଭିଷେକ ଶର୍ମା ଆଉ କ୍ୟାପଟେନ୍ ସୂର୍ଯ୍ୟକୁମାର ଦମଦାର ଫର୍ମରେ ରହିଛନ୍ତି ।
ନିଜ ଘରୋଇ ମାଟି ଏବଂ ପଡୋଶୀ ଶ୍ରୀଲଙ୍କାର ପରିଚିତ ପରିବେଶରେ ଭାରତୀୟ ଦଳ ଅଧିକ ଶକ୍ତିଶାଳୀ ମନେ ହେଉଛି । କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ଆଶା ଯେ, ରୋହିତ ଶର୍ମାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭାରତକୁ ପୁଣିଥରେ ବିଶ୍ୱବିଜୟୀ କରାଇବେ। ଆଜିଠାରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭରେ ନିଶ୍ଚିତ ଭାବେ କ୍ରିକେଟ୍ର ରୋମାଞ୍ଚ ଶୀର୍ଷରେ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/t20-world-cup-2026-02-07-11-46-07.jpg)