କନକ ବ୍ୟୁରୋ : ମଣିଷ ପାଖରେ ଯେତେ ଧନ-ସଂପଦ,ଗାଡ଼ି,ବଙ୍ଗଳା,ନେମ୍-ଫେମ୍ ଥିଲେ ବି ଶାନ୍ତି ନଥିଲେ ଜୀବନଟା ଯେମିତି ଭାରି ଭାରି ଲାଗେ । ଧାଁଦୌଡ଼ର ଜୀବନ ଭିତରେ ପ୍ରତିଟି ଲୋକ ଶାନ୍ତିର ସନ୍ଧାନରେ ଅଛନ୍ତି । ଏମିତିକି ବଲିଉଡ୍ ଜଗତର ନାମୀଦାମୀ ସେଲିବ୍ରିଟି ମଧ୍ୟ ମାୟାନଗରୀର ଚକମକରୁ ବାହାରି ଶାନ୍ତି ଅନ୍ବେଷଣରେ ମନ୍ଦିର ମନ୍ଦିର ବୁଲୁଥିବାର ନଜର ଆସିଛନ୍ତି । କିନ୍ତୁ ବର୍ତ୍ତମାନ ବୃନ୍ଦାବନରେ ସେଲିବ୍ରିଟିଙ୍କ ଗହଳି ଅଧିକ ଦେଖିବାକୁ ମିଳୁଛି । ବି ଟାଉନର ଏହି ସେଲିବ୍ରିଟି ମଉଜ ମଜଲିସ୍ ପାଇଁ ବାଲି କି ମାଲଦ୍ବୀପ ଯିବା ବଦଳରେ ଶାନ୍ତି ପାଇଁ ବୃନ୍ଦାବନ ଯିବାକୁ ପସନ୍ଦ କରୁଛନ୍ତି । ଯାହା ପଛରେ ରହିଛନ୍ତି ସନ୍ଥ ପ୍ରେମାନନ୍ଦ ମହାରାଜ ।
ଆଗକୁ ପଢ଼ନ୍ତୁ : କୁବେରଙ୍କ ପ୍ରିୟ ଗଛ : ଘରେ ଲଗାଇଲେ ଭାରି ଶୁଭ , କୃପା କରିବେ ଧନର ଦେବତା
ହଳଦିଆ ବସ୍ତ୍ର,ମୁଣ୍ଡରେ ହଳଦୀ ଏବଂ ଚନ୍ଦନ ଲେପ , ଜଟା , ଲମ୍ବାଦାଢ଼ୀ ଏବଂ ମୁଖରେ ରାଧାନାମ ଜପ । ବୃନ୍ଦାବନରେ ବସି ପ୍ରେମାନନ୍ଦ ମହାରାଜ ଯେତେବେଳେ ସାଧୁବାଣୀ ଦିଅନ୍ତି ଅନେକ ଶ୍ରଦ୍ଧାଳୁ ତାଙ୍କ ପ୍ରବଚନ ଶୁଣିବାକୁ ଆସିଥା’ନ୍ତି । ଶାନ୍ତି ସନ୍ଧାନରେ ଥିବା ସମାଜ ପାଇଁ ବରଦାନ ସାଜି ଆସିଛନ୍ତି ସନ୍ଥ ପ୍ରେମାନନ୍ଦ । ତେବେ ସେଲିବ୍ରିଟିଙ୍କ କଥା ଯଦି କହିବା ତା’ହେଲେ ଏହି ତାଲିକାରେ ପ୍ରଥମେ ଆସେ କ୍ରିକେଟର୍ ବିରାହ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା । ଏହି ଷ୍ଟାର୍ ଦମ୍ପତି ବର୍ତ୍ତମାନ ପର୍ଯ୍ୟନ୍ତ ୪ ଥର ବୃନ୍ଦାବନର ରାଧା କେଲିକୁଞ୍ଜ ଆଶ୍ରମରେ ପହଞ୍ଚି ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିସାରିଛନ୍ତି । ନିକଟରେ ଦୁହେଁ ଫେବ୍ରୁଆରି ୧୭ ତାରିଖରେ ସନ୍ଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ ।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବା ପାଇଁ ବୃନ୍ଦାବନରେ ପହଞ୍ଚିଥିଲେ । ଗତବର୍ଷ ଦୁହେଁ ଆଶ୍ରମ ଯାଇଥିଲେ ଏବଂ ସନ୍ଥଙ୍କୁ ଦର୍ଶନ କରି ସ୍ବାମୀ ରାଜ୍ ନିଜ କିଡନି ପ୍ରେମାନନ୍ଦ ମହାରାଜଙ୍କୁ ଦାନ ଦେବା କଥା ମଧ୍ୟ କହିଥିଲେ । ବରିଷ୍ଠ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀ ମଧ୍ୟ ଗତବର୍ଷ ସନ୍ଥଙ୍କୁ ଦର୍ଶନ କରିବାକୁ ଆଶ୍ରମରେ ପହଞ୍ଚିଥିଲେ । ବୃନ୍ଦାବନର ବିକାଶ ଏବଂ ବ୍ୟକ୍ତିଗତ ସାଧନା ପାଇଁ ମାର୍ଗଦର୍ଶନର ଭିକ୍ଷା କରିଥିଲେ ହେମା । ଏହି ତାଲିକାରେ ଗାୟକ ମିକା ସିଂ ମଧ୍ୟ ରହିଛନ୍ତି । ହାଇ-ପ୍ରୋଫାଇଲ୍ ଲାଇଫଷ୍ଟାଇଲ୍ ଜୀବନ ଜିଉଁଥିବା ମିକା ମଧ୍ୟ ଅତ୍ୟନ୍ତ ସାଧାରଣ ପୋଷାକରେ ସନ୍ଥଙ୍କୁ ଦର୍ଶନ କରିବା ସହ ଭକ୍ତଙ୍କ ସହ ମିଶି ସଂକୀର୍ତ୍ତନ କରିଥିଲେ । ବଲିଉଡ୍ ରାପର୍ ବାଦଶାହ ମଧ୍ୟ ସୋସିଆଲ୍ ମିଡିଆରେ ସନ୍ଥଙ୍କ ଭିଡିଓ ଦେଖି ପ୍ରଭାବିତ ହୋଇଥିଲେ ଏବଂ ବୃନ୍ଦାବନ ପହଞ୍ଚି ଦର୍ଶନ କରିଥିଲେ । ବର୍ତ୍ତମାନ ଚର୍ଚ୍ଚାରେ ଥିବା ହାସ୍ୟ ଅଭିନେତା ରାଜପାଲ୍ ଯାଦବ ମଧ୍ୟ ବୃନ୍ଦାବନ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ଯାଇଥିଲେ । ପ୍ରଥମ ଦର୍ଶନରେ ହିଁ ଅଭିନେତା ଭାବୁକ ହୋଇଯାଇଥିଲେ । ସନ୍ଥ ରାଧାନାମ ଜପିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ WWE ରେସଲର୍ ଦ ଗ୍ରେଟ୍ ଖଲି ମଧ୍ୟ ବୃନ୍ଦାବନରେ ପହଞ୍ଚି ମହାରାଜଙ୍କ ଆଶିର୍ବାଦ ନେଇଥିଲେ । ୨୦୨୪ ରେ ଖଲି ୨ ଥର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପାଇଁ ଯାଇଥିଲେ । ଏହି ଲିଷ୍ଟରେ ଅଭିନେତା ଆଶୁତୋଷ ରାଣାଙ୍କ ନାଁ ମଧ୍ୟ ଆସେ । ସନ୍ଥ ପ୍ରେମାନନ୍ଦଙ୍କ ଜଣେ ବଡ଼ ଭକ୍ତ ହେଉଛନ୍ତି ଆଶୁତୋଷ ରାଣା । ସେ ୨ ରୁ ୩ ଥର ପତ୍ନୀଙ୍କ ସହ ଆଶ୍ରମ ଯାଇ ସତସଙ୍ଗରେ ସାମିଲ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/21/premanand-maharaj-2026-02-21-13-40-29.jpg)