କନକ ବ୍ୟୁରୋ  : କଚ୍ଚା ରାସ୍ତାରେ ସମସ୍ତେ ଧାଡ଼ି ବାନ୍ଧି ଚାଲିଛନ୍ତି । କାହା ହାତରେ ବାଲଟି ଅଛି ତ’ ଆଉ କାହା ହାତରେ ଗରା। ଏମିତି ଗୋଟେ କିଲୋମିଟର ଚାଲିଲେ ପଡ଼ିବ ଶୁକନାଳ । ଏଠାରୁ ପାଣି ନେଲେ ଶୋଷ ମେଣ୍ଟିବ। ଆଜ୍ଞା ହଁ, ଏହି ଅପରିଷ୍କାର ପାଣି ହିଁ ଗାଁ ଲୋକଙ୍କ ଏକମାତ୍ର ସାହା ଭରସା।  ବୈପାରିଗୁଡ଼ା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତର ଗାଦବାଗୁଡା ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ସମ୍ବାଦରେ ଖବର ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ ଗୋଟିଏ ନଳକୂପ ଖୋଳାଗଲା । ଯାହା ଗତ ୩ ମାସ ହେଲାଣି ଅଚଳ ହୋଇପଡ଼ିଛି । ବାରମ୍ବାର ଅଭିଯୋଗ ପରେ ବି ଏହାର ମରାମତି ହୋଇପାରୁନି । ତେଣୁ ବାଧ୍ୟ ହୋଇ ପାହାଡ଼ି ଶୁକନାଳ ପାଣି ବ୍ୟବହାର କରୁଛନ୍ତି ଗାଁ ଲୋକ । 

Advertisment

ଅଧିକ ପଢ଼ନ୍ତୁ : ଫୁଲ ତୋଳିବା ପଡିଲା ମହଙ୍ଗା : କୋରାପୁଟ ବୈପାରିଗୁଡ଼ା ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ

ଗାଦବାଗୁଡ଼ା ଓ କନ୍ଧଗୁଡ଼ା ଗାଁକୁ ପାଦ ଚଲା ପାହାଡ଼ିଆ ରାସ୍ତା ଯାତୟାତର ଏକମାତ୍ର ମାଧ୍ୟମ । ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ୪ କିଲୋମିଟର ଦୂର ପିଚୁ ରାସ୍ତା ପର୍ଯ୍ୟନ୍ତ  ନେଲେ ମିଳେ ଆମ୍ବୁଲାନ୍ସ ସୁବିଧା ! ଗାଦବାଗୁଡ଼ାରେ ଅଙ୍ଗନବାଡ଼ି କେନ୍ଦ୍ର ବି ନାହିଁ । ଜଙ୍ଗଲ ରାସ୍ତା ଦେଇ ପାଖ ଗାଁରେ ଥିବା ଶିରିବେଡା ଅଙ୍ଗନବାଡ଼ିକୁ ଯାଇ ପଢ଼ୁଛନ୍ତି ପିଲା । ଇଏ ସବୁ ଖରା ଓ ଶୀତ ଦିନ କଥା, ବର୍ଷାଦିନେ ଗାଁ ଲୋକ ଜଳବନ୍ଦୀ ଜୀବନ ବିତାନ୍ତି । କୋଟପାଡ଼ ବିଧାୟକଙ୍କ ପ୍ରତିନିଧି କହୁଛନ୍ତି, ଅଧା ରାସ୍ତା ହୋଇଛି, ଖୁବଶୀଘ୍ର କାମ ସମ୍ପୂର୍ଣ୍ଣ ହେବା ସହ ନୂଆ ନଳକୂପ ଖୋଳାଯିବ । ଏହି ଖବର ଦେଖିଲେ ଲାଗୁଛି ସରକାରଙ୍କ ବିକଶିତ ଓଡ଼ିଶା ସ୍ବପ୍ନରେ ଉପାନ୍ତ ଗାଁ ଆସୁନି । ନହେଲେ ଯେଉଁଠି ମୌଳିକ ସୁବିଧା ପାଇଁ ନେହୁରା ହେବାକୁ ପଡ଼ୁଛି । ସେଠି ଉପାନ୍ତ ମଣିଷ ବିକାଶ କଥା କ’ଣ ବା ଚିନ୍ତା କରିବ।