ajit pawar plane crash Photograph: (KanakNews)
କନକ ବ୍ୟୁରୋ : ଅଜିତ ପାୱାରଙ୍କ ଦେହାନ୍ତ ପରେ କିଏ ଧରିବ ଏନ୍ସିପି ମଙ୍ଗ ? ଏନ୍ସିପିରେ ଆରମ୍ଭ ହୋଇପାରେ ପାୱାର ପଲିଟିକ୍ସ ବା କ୍ଷମତା ରାଜନୀତି । ପରିବାରବାଦ ରାଜନୀତିରେ ଅଜିତଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପତ୍ନୀ କିମ୍ୱା ପୁଅ ଦଳର କ୍ଷମତାକେନ୍ଦ୍ର ବନିପାରନ୍ତି କିନ୍ତୁ ତା ଭିତରେ ଏନ୍ସିପିର ଅଜିତ ଗୋଷ୍ଠୀରେ ଆଉ ୨ଟି ବଡ଼ ଚେହେରା ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ସେମାନଙ୍କର ଅଜିତଙ୍କ ଭଳି ରାଜ୍ୟସ୍ତରୀୟ ପତିଆରା ନଥିଲେ ବି, ଦଳରେ ଦବଦବା ରହିଛି । ଅଜିତ ପାୱାରଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ରାଜନୀତିରେ ନବାଗତା ହେଲେ ବି ଧରିପାରନ୍ତି ମଙ୍ଗ । ୨୦୨୪ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ । ତାଙ୍କ ପାଇଁ ରହିଛି ଦଳୀୟ ନେତାଙ୍କ ସମବେଦନା ।
ମହାରାଷ୍ଟ୍ରର ବାରାମତୀ ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଜିତ ପାୱାର ଏକ ଚାର୍ଟର ବିମାନରେ ବାରାମତୀରେ ଏକ ସାଧାରଣ ସଭାରେ ଯୋଗଦେବାକୁ ଯାତ୍ରା କରୁଥିଲେ ଏବଂ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଦୁର୍ଘଟଣାର ମୁଖ୍ୟ କାରଣ ଖରାପ ପାଗ ବୋଲି କୁହାଯାଉଛି । କିନ୍ତୁ ପ୍ରଶ୍ନ ଉଠୁଛି, ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ କଣ ହୋଇପାରେ ?
ଅଧିକ ପଢନ୍ତୁ : ବିମାନ ଦୁର୍ଘଟଣା ସମୟରେ ଅଜିତ ପାୱାରଙ୍କ ସହିତ ବିମାନରେ କିଏ ଥିଲେ? ଜାଣନ୍ତୁ....
ବିମାନ ଚଳାଚଳ ବିଶେଷଜ୍ଞଙ୍କ ମତରେ, ଖରାପ ପାଗରେ ବିମାନ ଦୁର୍ଘଟଣା ପାଇଁ କେବଳ ଗୋଟିଏ ନୁହେଁ ବରଂ ଅନେକ କାରଣ ଦାୟୀ । ତଥାପି, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ ପରେ ହିଁ ଦୁର୍ଘଟଣାର ସଠିକ୍ କାରଣ ସାମ୍ନାକୁ ଆସିପାରିବ । ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ତିନି ଜଣିଆ ଦଳ ଗଠନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଏଆଇବି ଟିମ୍ ସହିତ ଡିଜିସିଏର ମୁମ୍ବାଇ କାର୍ଯ୍ୟାଳୟ ତିନିଜଣିଆ ଦଳ ଦୁର୍ଘଟଣାସ୍ଥଳକୁ ଯାଇଥିଲେ । ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇଛି । ଏଥିରୁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ । ସ୍ବଚ୍ଛ ତଥା ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ କରିବାକୁ ଗୁରୁତ୍ବ ଦିଆଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟରେ କୁହାଯାଇଛି ।
ତଦନ୍ତକାରୀମାନେ ବିମାନ ଦୁର୍ଘଟଣା ସମୟରେ ଦୃଶ୍ୟମାନତା, ପାଇଲଟ୍ଙ୍କ ନିଷ୍ପତ୍ତି ଏବଂ ବାରାମତି ବିମାନକ୍ଷେତ୍ରର କାର୍ଯ୍ୟକ୍ଷମ ଦକ୍ଷତା ଉପରେ ଗୁରୁତ୍ବ ଦେଇ ତଦନ୍ତ କରିବ । ବିମାନ ଦ୍ୱିତୀୟ ଅବତରଣ ପ୍ରୟାସ ସମୟରେ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ଦୁର୍ଘଟଣା ପରେ ଭାରତୀୟ ବାୟୁସେନାର ଏକ ଦଳ ସେଠାରେ ମୁତୟନ କରାଯାଇଛି । ବାରାମତି ବିମାନ ଅବତରଣ ପଡ଼ିଆ ଅନିୟନ୍ତ୍ରିତ ଭାବେ ଥିବାବେଳେ ଏଠାରେ ବିମାନ ଚାଳନା ଉପକରଣ, ଅଗ୍ନିଶମ ସେବା କିମ୍ବା ଉପଯୁକ୍ତ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସେବା ବ୍ୟବସ୍ଥା ନାହିଁ । ବାୟୁସେନା ଦଳ ମୁତୟନ ପରେ ବର୍ତ୍ତମାନ ପାଇଁ ସେଠାରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ (ଏଟିସି) ଏବଂ ପାଣିପାଗ ସେବା ଯୋଗାଇ ଦେଉଛି ।
Follow Us