bjd bjp congress Photograph: (KANAK NEWS)
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ସଭାରେ ଜୟ ଢୋଲକିଆ ଭୋ ଭୋ ହୋଇ କାନ୍ଦିଲେ, ଆଉ ଏପଟେ ନବୀନ ନିଜେ ତାଙ୍କ ସହିତ ବେଇମାନୀ ହେଇଥିବା କଥା ଖୋଲା ମଞ୍ଚରେ କହିଲେ । ଏହାସହ କଂଗ୍ରେସ ପ୍ରାର୍ଥୀ ବି ୫ ଥର ନିର୍ବାଚନ ହାରିଥିବା କଥାକୁ ବାରମ୍ବାର ଲୋକଙ୍କୁ ଜଣେଇଲେ । ନୂଆପଡ଼ା ବାଏ ଇଲେକ୍ସନ ପ୍ରଚାରରେ ସବୁଠୁ ଚର୍ଚ୍ଚାରେ ଥିଲା ଏମିତି କିଛି ଘଟଣା । ହେଲେ ଏହା ପଛର ରାଜନୀତି କିନ୍ତୁ ଭାରି ଗଭୀର ବୋଲି ଚର୍ଚ୍ଚା ହେଉଛି ।
କୁହାଯାଉଛି, ନୂଆପଡ଼ାରେ ତିନି ପ୍ରମୁଖ ଦଳ ନିର୍ବାଚନ ପ୍ରଚାର ବେଳେ ଲୋକଙ୍କ ଦରଦ ଗୋଟେଇବାକୁ ଲାଗିପଡ଼ିଥିଲେ । ଆଉ ଏହି ଦରଦକୁ କେମିତି ଭୋଟରେ ବଦଳାଇ ହେବ, ସେନେଇ ରଣନୀତି କରିଥିଲେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଆଉ କଂଗ୍ରେସ ।
ଆହୁରି ପଢ଼ନ୍ତୁ : ପୁଣି ୟେଲୋ ଜର୍ସିରେ ନଜର ଆସିବେ ମାହି! ଧୋନୀ ଖେଳିବେ ୨୦୨୬ ଆଇପିଏଲ!
ଆପଣ ଜାଣିଥିବେ ଉପ ନିର୍ବାଚନରେ ସିମ୍ପାଥି ଭୋଟ୍ ଗେମ୍ ଚେଞ୍ଜର ହୁଏ । ଅଧିକାଂଶ ସମୟରେ ଦିବଙ୍ଗତ ନେତାଙ୍କ ପରିବାର ସଦସ୍ୟଙ୍କୁ ଭୋଟ୍ ଅଜାଡ଼ି ଦିଅନ୍ତି ଭୋଟର । ହେଲେ ଏଥର କିନ୍ତୁ ନୂଆପଡ଼ା ବାଏ ଇଲେକ୍ସନରେ କିଛି ନୂଆ ଦେଖିବାକୁ ମିଳିଛି । ତିନୋଟି ଯାକ ଦଳ ନିଜ ନିଜର ସିମ୍ପାଥି କାର୍ଡ ଖେଳିବା ସହିତ ଲୋକଙ୍କ ଭୋଟ୍ ଜୁଟାଇବାକୁ ଲାଗି ପଡ଼ିଛନ୍ତି ।
ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ସିମ୍ପାଥି ଭୋଟକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛି । ଏମିତି କି ଜୟ ଢୋଲକିଆଙ୍କ ସବୁ ପୋଷ୍ଟର, ବ୍ୟାନରରେ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବି ରହିଛି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ସଭାରେ ଜୟ ଢୋଲକିଆ ଯେଉଁଭଳି ଭାବେ ଭୋ ଭୋ ହେଇ କାନ୍ଦିଲେ ତା ମଧ୍ୟ ତାଙ୍କ ପ୍ରତି ଲୋକଙ୍କ ସହାନୁଭୂତିକୁ ବଢ଼େଇ ଦେଇଛି ।
ଆହୁରି ପଢ଼ନ୍ତୁ : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର
ଅନ୍ୟପଟେ ବିଜେଡି ମଧ୍ୟ ସହାନୁଭୂତି ଭୋଟ୍ ପାଇବାକୁ ଆଶା ବାନ୍ଧି ବସିଛି । ବିଜେଡି ଆଉ ନବୀନଙ୍କ ସହ ବେଇମାନୀ ହେଇଥିବା କଥା କହି, ଲୋକଙ୍କ ସିମ୍ପାଥି ଗୋଟେଇବାକୁ ଚେଷ୍ଟା କରିଛି ବିଜୁ ଜନତା ଦଳ । ଏମିତି କି ଖୋଲା ମଞ୍ଚରୁ ମଧ୍ୟ ନବୀନ ତାଙ୍କ ସହିତ ବେଇମାନୀ ହେଇଥିବା କଥା କହି ବିଜେପି ପ୍ରାର୍ଥୀ ଚୋରି କରିଛି ବୋଲି ଅଭିଯୋଗ କରିଥିଲେ । ତେଣୁ କେଉଁଠି ନା କେଉଁଠି ବିଜେଡି ମଧ୍ୟ ସହାନୁଭୂତି ଭୋଟ୍ ଉପରେ ନଜର ରଖିବା ସହିତ, ଏହି ଭୋଟକୁ ହାତେଇବାକୁ ଜୋରଦାର ଚେଷ୍ଟା ଚଳେଇଛି ।
ବିଜେଡି ଆଉ ବିଜେପିର ଏହି ସିମ୍ପାଥି ଭୋଟ୍ ଜୁଟାଇବାର ଲଢ଼େଇ ଭିତରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କିନ୍ତୁ ଭିନ୍ନ ଢଙ୍ଗରେ ସିମ୍ପାଥି ଭୋଟ୍ ଜୁଟାଇବାକୁ ଲାଗି ପଡ଼ିଥିଲେ । ଗରିବ ଆଦିବାସୀ ପୁଅ, ୫ ଥର ନିର୍ବାଚନ ହାରିଥିବା କଥାକୁ ସେ ବାରମ୍ବାର ଲୋକଙ୍କ ସାମ୍ନାରେ ରଖିଥିଲେ । ତେଣୁ ଘାସିରାମ ମଧ୍ୟ ଏହି କଥାରେ ସହାନୁଭୂତି ଭୋଟ୍ ନିଜ ସପକ୍ଷରେ ଆଣିବାକୁ ଆଶା ରଖିଛନ୍ତି ।
ନୂଆପଡ଼ାରେ ଆଜି ପ୍ରଚାର ଶେଷ ହେଉଛି । ଆଉ ୧୧ ତାରିଖରେ ପଡ଼ିବ ନୂଆପଡ଼ା ଭୋଟ୍ । ତେଣୁ ଦେଖିବାକୁ ବାକି ରହିଲା, ନୂଆପଡ଼ାରେ ଏହି ସିମ୍ପାଥି ଭୋଟ୍ କାହା ପାଖକୁ ଯାଉଛି? ଆଉ କିଏ ନୂଆପଡ଼ାବାସୀଙ୍କ ମନ ଜିଣୁଛି ?
Follow Us