YOGI AND RSS Photograph: (KANAK NEWS)
କନକ ବ୍ୟୁରୋ: ୟୁପିରେ କିଏ ହେବ ବିଜେପିର ସଭାପତି? କାହା ହାତରେ ଦିଆଯିବ ୟୁପିର ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ? ଏହି ଚର୍ଚ୍ଚା ଏବେ ବି ଥମିବାର ନା ନେଉନି । ଅନ୍ୟପଟେ ବିହାର ନିର୍ବାଚନ ପରେ ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଫୋକସରେ ଉତ୍ତରପ୍ରଦେଶ । ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ୟୁପି ସରକାର, ବିଜେପି ସଂଗଠନ ଏବଂ ଆରଏସଏସର ଶୀର୍ଷ ନେତୃତ୍ୱ ମିଶି ଏକ ବୈଠକ କରିଥିଲେ । ଯେଉଁଥିରେ ମିଶନ ୨୦୨୭ ଏବଂ ବିଜେପିର ସଙ୍ଗଠନ ପରିବର୍ତ୍ତନକୁ ନେଇ ଜୋରଦାର ଆଲୋଚନା ହୋଇଥିବା ଜଣାପଡ଼ିଛି ।
ତେବେ ଏହି ବୈଠକ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ବିଜେପି ବିହାର ଜିତିବା ପରେ ଏବେ ପଶ୍ଚିମବଙ୍ଗ ଜିତିବାକୁ ସ୍ୱପ୍ନ ଦେଖୁଛି । ଅନ୍ୟପଟେ ଆଗକୁ ୟୁପିରେ ମଧ୍ୟ ନିର୍ବାଚନ ହେବାକୁ ଅଛି, ତେଣୁ ଦେଶର ସବୁଠୁ ବଡ଼ ରାଜ୍ୟରେ ବିଜୟ ବାନା ଉଡ଼େଇବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ ହୋଇଛି । ସେହିପରି ଯୋଗୀ ସରକାର ଏବଂ ଆରଏସଏସ୍ ଭିତରେ ଏହି ମିଟିଂକୁ ବହୁ ଦୃଷ୍ଟିରୁ ଗୁରୁତ୍ୱୁପୂର୍ଣ୍ଣ ବୋଲି କୁହାଯାଉଛି । କାହିଁକି ନା ନିକଟ ଭବିଷ୍ୟତରେ ବିଜେପିର ସଙ୍ଗଠନରେ ମଧ୍ୟ କିଛି ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଆହୁରି ପଢ଼ନ୍ତୁ : ବଦଳିଲା ନାଁ...ସେବେ ସଚିବାଳୟ, ଏବେ ରାଜଭବନ
ଉତ୍ତର ପ୍ରଦେଶରେ ନୂଆ ବିଜେପି ସଭାପତି କିଏ?
ଉତ୍ତର ପ୍ରଦେଶରେ ବିଜେପିର ସଭାପତି କିଏ ହେବ, ତାକୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି । ତେବେ ବିଏଲ୍ ସନ୍ତୋଷ ୟୁପିରେ କାହାକୁ ବିଜେପି ସଭାପତି କରାଯିବ ସେନେଇ କିଛି ନାଁ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯୋଗୀ ଆଦିତ୍ୟନାଥ ଓବିସି ଚେହେରା ଭାବେ ସ୍ୱତନ୍ତ୍ର ଦେବ ସିଂହଙ୍କୁ ବିଜେପି ସଭାପତି ପୋଷ୍ଟରେ ବସାଇବାକୁ ଚାହୁଁଛନ୍ତି । ଅନ୍ୟପଟେ ବ୍ରାହ୍ମଣ ଚେହେରା ଭାବେ ଦିନେଶ ଶର୍ମା ବିଜେପି ସଙ୍ଗଠନ ଏବଂ ପାର୍ଟି ଭିତରେ ବେଶ ପସନ୍ଦର ଚେହେରା ସାଜିଛନ୍ତି । ତେଣୁ ଏହି ଦୁଇ ଜଣଙ୍କ ଭିତରେ ଏବେ ରେସ୍ ଆରମ୍ଭ ହୋଇଛି । କୁହାଯାଉଛି ବିଜେପି ସଭାପତି ପଦ ପାଇଁ ଅନେକ ନାମ ବିଚାର କରାଯାଉଛି। ବର୍ତ୍ତମାନ ସମୟରେ ୟୁପିର ୭୫ ଜିଲ୍ଲାକୁ ବିଜେପି ନିଜ ଅନୁସାରେ ୯୮ ସାଙ୍ଗଠନିକ ଜିଲ୍ଲାରେ ବିଭକ୍ତ କରିଛି । ଯାହା ଭିତରୁ ୮୪ ଜିଲ୍ଲାରେ ଜିଲ୍ଲା ଅଧ୍ୟକ୍ଷମାନଙ୍କ ନିଯୁକ୍ତି ସରିଛି । ତେଣୁ କୁହାଯାଉଛି ଖୁବଶୀଘ୍ର ୟୁପିରେ ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ବଛା ହେଇଯିବ । ହେଲେ ଏହା ଭିତରେ କିନ୍ତୁ ଯୋଗୀ ଆଦିତ୍ୟନାଥଙ୍କ ସହ ସଂଘର ନେତାଙ୍କ ମିଟିଂ ଏବେ ଅନେକ କିଛି ଚର୍ଚ୍ଚାକୁ ୟୁପିରେ ଜନ୍ମ ଦେଇଛି ।
Follow Us