• ରାଜଭବନ ଏବେ ଲୋକଭବନ
  • ପୂର୍ବରୁ ନବୀନ ସରକାରରେ ସଚିବାଳୟ ହୋଇଥିଲା ଲୋକସେବା ଭବନ
  • ରାଜପଥର ନାଁ ମଧ୍ୟ ବଦଳାଇଥିଲେ ମୋଦୀ ସରକାର
Advertisment

ଦେଶର ଅନେକ ରାଜ୍ୟରେ ଏବେ ରାଜ୍ୟପାଳଙ୍କ ସରକାରୀ ଆବାସକୁ ଆଉ ରାଜଭବନ କୁହାଯିବନି । ରାଜଭବନ ବଦଳରେ ଏବେ ଏହାକୁ ଲୋକଭବନ କୁହାଯିବ । ସେହି ଅନୁସାରେ ପୁରୀ ଆଉ ଭୁବନେଶ୍ୱରଙ୍କ ଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେବା ସହିତ, ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି ।

ତେବେ ଏହା ପୂର୍ବରୁ ରାଜ୍ୟର କ୍ଷମତାକେନ୍ଦ୍ର ଭାବେ ପରିଚିତ ସଚିବାଳୟର ନାଁ ମଧ୍ୟ ବଦଳାଇଥିଲେ ନବୀନ ସରକାର । ସେତେବେଳେ ସଚିବାଳୟ ବଦଳରେ ଏହାକୁ ଲୋକସେବା ଭବନରେ ନାମିତ କରାଯାଇଥିଲା । ସେହିପରି ସଚିବାଳୟ ସାମ୍ନା ରାସ୍ତାକୁ ମଧ୍ୟ ସଚିବାଳୟ ମାର୍ଗ ବଦଳରେ ଲୋକସେବା ମାର୍ଗ କୁହାଯାଇଥିଲା । ଯାହାପରେ ଦୀର୍ଘ ବର୍ଷ ଧରି ଯେଉଁ କୋଠା ସେକ୍ରେଟେରିଏଟ୍ ନାଁରେ ପରିଚିତ ଥିଲା, ସେହି କୋଠା ହୋଇଯାଇଥିଲା ଲୋକସେବା ଭବନ ।

ଆହୁରି ପଢ଼ନ୍ତୁ : ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ : ବିଧାନସଭାରେ ପରିବେଶ ଓ ପର୍ଯ୍ୟଟନ ବିଭାଗ ଉପରେ ଆଲୋଚନା

ଖାଲି ରାଜ୍ୟରେ ନୁହେଁ କେନ୍ଦ୍ରରେ ମଧ୍ୟ ମୋଦୀ ସରକାର ଏମିତି ଅନେକ ପରିବର୍ତ୍ତନ କରିସାରିଛନ୍ତି । ଏହା ପୂର୍ବରୁ ମୋଦୀ ସରକାର ଦିଲ୍ଲୀରେ ରାଜପଥର ନାଁ ପରିବର୍ତ୍ତନ କରିଥିଲେ । ଯାହାକୁ ରାଜପଥ ବଦଳରେ କର୍ତ୍ତବ୍ୟ ପଥ ବୋଲି ନାମିତ କରାଯାଇଥିଲା । ସେହିପରି କେନ୍ଦ୍ର ସଚିବାଳୟର ନାଁକୁ ମଧ୍ୟ କର୍ତ୍ତବ୍ୟ ଭବନ ଭାବରେ ନାମିତ କରାଯାଇଛି । ଯେଉଁଥିରେ କି ଅନେକ ମନ୍ତ୍ରାଳୟ ନିଜ ନିଜର କାମ ଜାରି ରଖିଛି । 

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ସେଭେନ୍ ରେସକୋର୍ସ ରୋଡ୍ ବୋଲି କୁହାଯାଉଥିଲା । ହେଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ  ଏହାର ମଧ୍ୟ ନାମ ପରିବର୍ତ୍ତନ କରିଥିଲେ । ସେଭେନ୍ ରେସକୋର୍ସ ରୋଡ୍ ବଦଳରେ ସେତେବେଳେ ଏହାକୁ ଲୋକ କଲ୍ୟାଣ ମାର୍ଗ ନାଁରେ ନାମିତ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା ଆଉ କଲ୍ୟାଣ ।