କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ କୋଟଦ୍ୱାରର ଜଣେ ଜିମ୍ ମାଲିକ ଦୀପକ କୁମାରଙ୍କୁ ଭେଟିବା ସହ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି । ଦୀପକ କୁମାର ଯାହାଙ୍କୁ ମହମ୍ମଦ ଦୀପକ ବୋଲି ସାରା ଅଞ୍ଚଳ ନୁହେଁ ଦେଶ ଜାଣେ । ତାଙ୍କ ସହ ଫଟୋ ଉଠାଇ ରାହୁଲ ଲେଖିଛନ୍ତି "ଉତ୍ତରାଖଣ୍ଡର ଭାଇ 'ମହମ୍ମଦ ଦୀପକ'ଙ୍କୁ ଭେଟିବା ସମୟର ଦୃଶ୍ୟ । ପ୍ରତିଟି ଭାରତୀୟ ଯୁବକଙ୍କ ଛାତିରେ ଦୀପକଙ୍କ ଭଳି ଏକତା ଏବଂ ସାହସର ନିଆଁ ଜଳିବା ଦରକାର । ପ୍ରତିଟି ମଣିଷ ସମାନ , ଏହାହିଁ ହେଉଛି ଭାରତୀୟତା,ଏହା ହେଉଛି ପ୍ରେମର ଦୋକାନ।" ତେବେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମହମ୍ମଦ ଦୀପକ କହିଥିଲେ ଯେ "ପୂର୍ବରୁ ମୋର ସାହସ ଥିଲା କିନ୍ତୁ ଏବେ ଚାରିଗୁଣ ବଢ଼ିଯାଇଛି । ଯେତେବେଳେ ରାହୁଲ ଗାନ୍ଧୀ ମୋତେ ଫୋନ୍ କଲେ, ଖୁସି ଲାଗିଲା ଯେ କେହି ଜଣେ ବୁଝିପାରିଲେ ଯେ ମୁଁ ଭୁଲ ପାଇଁ ନୁହେଁ ବରଂ ଠିକ୍ ପାଇଁ ସ୍ୱର ଉଠାଇଛି ।" ପାଠକବନ୍ଧୁ ଯଦି ଆପଣ ଭାବୁଛନ୍ତି ଯେ ରାହୁଲ ଗାନ୍ଧୀ ଯାହାଙ୍କ ସହ ଫଟୋ ଉଠାଇଛନ୍ତି ସେ ପ୍ରକୃତରେ କିଏ , ତାହେଲେ ଆସନ୍ତୁ ଜାଣିବା ।
ଆଗକୁ ପଢ଼ନ୍ତୁ : କେବେ ମମତା ପାଇଁ ଖେଳନାକୁ କରିଥିଲା ମା’ , ଏବେ କୋଟି କୋଟି ଟଙ୍କାରେ କିଣାହେବ ପଞ୍ଚ୍
ଜାନୁଆରୀ ୨୬ ତାରିଖ, କୋଟଦ୍ୱାର
କୋଟଦ୍ବାର ବଜାରରେ ଏକ ଯୁକ୍ତିତର୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା । ଜଣେ ବୟସ୍କ ମୁସଲିମ ଦୋକାନୀଙ୍କୁ ତାଙ୍କ ଦୋକାନର ନାଁରୁ "ବାବା" ଶବ୍ଦ ହଟାଇବା ପାଇଁ ଚାପ ପକାଯାଉଥିଲା । ଏନେଇ ଦୀପକ ପ୍ରତିବାଦର ସ୍ବର ମଧ୍ୟ ଉଠାଇଥିଲେ । କିନ୍ତୁ ଯେତେବେଳେ ଯୁକ୍ତିତର୍କ ଆରମ୍ଭ ହେଲା ଏବଂ ଦୀପକଙ୍କୁ ତାଙ୍କ ନାଁ ପଚରାଗଲା ସେ ନିଜକୁ ମହମ୍ମଦ ଦୀପକ ବୋଲି କହିଥିଲେ । ଏହି ଭିଡିଓଟି ପୋଷ୍ଟ୍ ହେବାର କିଛି ସମୟ ଭିତରେ ହିଁ ଭାଇରାଲ୍ ହୋଇଗଲା । କିଛି ଲୋକ ଏହାକୁ ସାମାଜିକ ସମନ୍ୱୟର ବାର୍ତ୍ତା କହି ପ୍ରଶଂସା କଲେ ତ ଆଉ କିଛି ସଂଗଠନ ଏନେଇ ଆପତ୍ତି ଉଠାଇଥିଲେ । ଦୀପକ କୁହନ୍ତି ଯେ ଜାନୁଆରୀ ୩୧ ତାରିଖରେ କିଛି ସଂଗଠନର ସଦସ୍ୟ ତାଙ୍କ ଜିମ୍ ବାହାରେ ପ୍ରତିବାଦ କରିବାକୁ ଆସିଥିଲେ । ପରେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । କିନ୍ତୁ ପରେ ଅବସ୍ଥା ଖରାପ ହେବାକୁ ଲାଗିଲା । ପୂର୍ବରୁ ଜିମକୁ ୧୫୦ ଜଣ ଆସୁଥିବା ବେଳେ ଏହି ପରିସ୍ଥିତି ପରେ ୧୨ ରୁ ୧୫ ଜଣ ଲୋକ ଜିମ୍ ଆସିବା ବନ୍ଦ କରିଦେଇଥିଲେ । ଲୋକ ଭୟରେ ଅଛନ୍ତି ଏବଂ ପରିସ୍ଥିତି ଠିକ୍ ହେଲେ ଜିମ୍ ଆସିବେ ବୋଲି କହୁଛନ୍ତି ଯାହାଦ୍ବାରା ବ୍ୟବସାୟରେ ଏହାର ପ୍ରଭାବ ପଡ଼ୁଛି ।
ଦୀପକ ଯେଉଁ କୋଠାରେ ଜିମ୍ ଚଲାନ୍ତି ତାହାର ମାସିକ ଭଡ଼ା ୪୦ ହଜାର ଟଙ୍କା ଏବଂ ଏହା ତାଙ୍କ ପରିବାରର ଏକମାତ୍ର ଆୟର ଉତ୍ସ । ଜିମ୍ କୁ ଲୋକ ନ ଆସିବା ଦ୍ବାରା ତାଙ୍କ ଆୟ ପ୍ରଭାବିତ ହୋଇଛି । ଏହାଦ୍ବାରା ତାଙ୍କ ପରିବାର ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏହି ଘଟଣା ପରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ଏବଂ ତାଙ୍କ ଝିଅ କିଛି ଦିନ ପାଇଁ ସ୍କୁଲ ନଯିବା କଥା ମଧ୍ୟ କହିଥିଲେ ଦୀପକ । ସେ କୁହନ୍ତି ମୁଁ କୌଣସି ବିବାଦର ଅଂଶ ହେବାକୁ ଚାହୁନାହିଁ । "ମୁଁ କେବଳ ମୋର କାମ କରିବାକୁ ଚାହୁଛି । ଜିମ୍ ଚଲାଇବା ମୋର ପେଶା। ମତେ ମୋ କାମ କରିବାକୁ ଦିଆଯାଉ ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/24/deepak-rahul-2026-02-24-18-17-20.jpg)