କନକ ବ୍ୟୁରୋ : ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି । ସେ ମୁମ୍ବାଇରୁ ବାରାମତି ଯାତ୍ରା କରୁଥିଲେ । ସେ ବାରାମତିରେ ଜିଲ୍ଲା ପରିଷଦ ନିର୍ବାଚନ ସମୟରେ ଏକ ସମ୍ପର୍କିତ ନିର୍ବାଚନୀ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିଲା , ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ । ବିମାନବନ୍ଦର ନିକଟ ଏକ କ୍ଷେତରେ ବିମାନଟି ଖସି ପଡ଼ିଥିଲା । ମହିଳା ପାଇଲଟ୍ ଶାମ୍ଭବୀ ପାଠକ ବିମାନଟି ଉଡ଼ାଉଥିଲେ । ସେ ମୁମ୍ବାଇରେ ପାଠପଢ଼ିଥିଲେ । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଏରୋନଟିକ୍ସ ଓ ବିମାନ ବିଜ୍ଞାନରେ ବିଏସ୍‌ସି. ଡିଗ୍ରୀ ହାସଲ କରିଥିଲେ । ପାଇଲଟ୍ ହେବା ପାଇଁ ୨୦୧୮-୧୯ ମସିହାରେ ନ୍ୟୁଜିଲାଣ୍ଡ ଇଣ୍ଟରନ୍ୟାସନାଲ୍ କମର୍ସିଆଲ୍ ପାଇଲଟ୍ ଏକାଡେମୀରୁ ବାଣିଜ୍ୟିକ ପାଇଲଟ୍ ତାଲିମ ନେଇଥିଲେ । ନ୍ୟୁଜିଲ୍ୟାଣ୍ଡ ସିଭିଲ୍ ଏଭିଏସନ୍ ଅଥରିଟିରୁ ସେ ତାଙ୍କର ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ ପାଇଥିଲେ। ରିପୋର୍ଟ ଅନୁସାରେ, ବିମାନଟି ଅଭିଜ୍ଞ କ୍ୟାପଟେନ ସୁମିତ ଓ ଫାଷ୍ଟ ଅଫିସର ଶାମ୍ଭବୀ ପାଠକଙ୍କ ଦ୍ୱାରା ଉଡ଼ାଣ କରାଯାଉଥିଲା ବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଉଭୟ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ମୃତକ ପିଙ୍କି ମାଲି ବିମାନ ପରିଚାରିକା ଭାବରେ କାର୍ଯ୍ୟ କରୁଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନଟି ଭିଏସ୍‌ଆର୍‌ ଭେଞ୍ଚର୍ସର ମାଲିକାନା ଥିବା ଏକ ଲିଅରଜେଟ୍ ୪୫ ମଡେଲ୍ ବିମାନ ଥିଲା । ବିମାନର ପଞ୍ଜିକରଣ ନମ୍ବର ଭିଟି-ଏସ୍‌ଏସ୍‌କେ ଥିଲା ।

Advertisment

ଫାଷ୍ଟ ଅଫିସର ଶାମ୍ଭବୀ

ପ୍ରାୟ ୯,୭୫୨ କିଲୋଗ୍ରାମ ଓଜନର ଏହି ବିମାନ ଉଡ଼ାଉଥିବା ଫାଷ୍ଟ ଅଫିସର ଶାମ୍ଭବୀ ପାଠକ ୨୦୨୨ ମସିହାରୁ ଭିଏସ୍‌ଆର୍‌ ଭେଞ୍ଚର୍ସରେ କାର୍ଯ୍ୟ କରୁଥିଲେ । ସେ ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ଓ ଦୃଢ଼ ଇଚ୍ଛାଶକ୍ତି ବିଶିଷ୍ଟ ପାଇଲଟ୍ ଭାବରେ ଜଣାଶୁଣା ଥିଲେ । ଦୁର୍ଘଟଣା ପରେ ବିମାନଟି ଖଣ୍ଡଖଣ୍ଡ ହୋଇଯାଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଜିତ ପାୱାର, ବିଦୀପ ଜାଧବ, କ୍ୟାପ୍ଟେନ ସୁମିତ, ଶାମ୍ଭବୀ ପାଠକ ଓ ପିଙ୍କି ମାଲି ଅଛନ୍ତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛି। ବିମାନଟି ଜଳି ପାଉଁଶ ହୋଇଯାଇଥିବାବେଳେ ଡିଜିସିଏ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଅଧିକ ପଢ଼ନ୍ତୁ---ଟଳିଲା ଆଉ ଏକ ବଡ଼ ଦୁର୍ଘଟଣା ; ଅବତରଣ କରିପାରିଲାନି କଂଗ୍ରେସ ନେତାଙ୍କୁ ନେଇ ଯାଉଥିବା ବିମାନ

ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଭିଏସ୍‌ଆର୍‌ ଭେଞ୍ଚର୍ସର ବିମାନ

ବିମାନଟି ୨୦୧୧ ମସିହାରେ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଥିବା ଏକ ଘରୋଇ ବିମାନ ଚଳାଚଳ କମ୍ପାନି ଭିଏସ୍‌ଆର୍‌ ଭେଞ୍ଚର୍ସ ର ମାଲିକାନାରେ ଥିଲା । କ୍ୟାପଟେନ୍ ବିଜୟ ସିଂହ ଓ କ୍ୟାପଟେନ୍ ରୋହିତ ସିଂହ ଏହି କମ୍ପାନିର ମାଲିକ । ୨୦୨୩ ସେପ୍ଟେମ୍ବର ୧୪ରେ ଏହି କମ୍ପାନିର ଏକ ବିମାନ ମୁମ୍ବାଇ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।