କନକ ବ୍ୟୁରୋ: ରାଜଧାନୀରେ ବ୍ଲଗରଙ୍କୁ ଛୁରି ଭୁସି ହତ୍ୟା । ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ରସୁଲଗଡ଼ ନିକଟ ଜିଜିପି କଲୋନିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ରାହୁଲ ମହାରଣା। ମଦ ପିଇବା ପରେ ସାମାନ୍ୟ ବଚସାକୁ ନେଇ ଗଡ଼ିଲା ମୁଣ୍ଡ। 

Advertisment

ହାତରୁ ମେହେନ୍ଦି ଲିଭିନି। କାନ୍ଥରୁ ବାହା ଚିତା ଛାଡ଼ିନି। କିନ୍ତୁ ଘର ବାହାରେ କୋକେଇ ପ୍ରସ୍ତୁତ ହେଲାଣି। ଶୋକାକୁଳ ପରିବେଶ। ଶୁନଶାନ ଘର ଦ୍ୱାର। କାନ୍ଦ ବୋବାଳିରେ ଫାଟି ପଡୁଛି, ସାରା ପରିବେଶ। କେଇ ଦିନର ବାହାଘର ପରେ, ହାତ  ଛାଡ଼ି ଚାଲି ଯାଇଛନ୍ତି ସ୍ୱାମୀ। ଅଭାଗା ସ୍ତ୍ରୀ, ଏବେ ଏକୁଟିଆ। ଭୋ, ଭୋ, ହୋଇ କାନ୍ଦୁଛନ୍ତି। ସାତ ଜନ୍ମ ପାଇଁ ହାତ ଧରି ଥିଲ, ଅଧା ବାଟରେ କାହିଁକି ଛାଡିଗଲ କହି ... ଦାନ୍ତ, ପାଟି କାମୁଡି ବେହୋସ ହୋଇ ଯାଉଛନ୍ତି। ୟୁଟୁବର୍‌ ରାହୁଲ ମହାରଣାଙ୍କ ହତ୍ୟାକାଣ୍ଡ ପରେ, ଯେମିତି ଘର ଉପରେ ବଜ୍ର ପଡ଼ିଛି। ଶନିବାର ରାତି ପ୍ରାୟ ସାଢେ ୧୦ଟା ବେଳେ, ଭୁବନେଶ୍ୱର ଜିଜିପି କଲୋନିରେ ୟୁଟୁବରଙ୍କୁ ହତ୍ୟା କରିଛନ୍ତି ଦୁର୍ବତ୍ତ। 

ଆହୁରି ପଢ଼ନ୍ତୁ... ଜୀବନ ବଞ୍ଚାଇବାର ଶିକ୍ଷା: ଆଦିବାସୀ ଯୁବକଙ୍କୁ ସନ୍ତରଣ ଓ ଉଦ୍ଧାର ପ୍ରଶିକ୍ଷଣ

ଏମାନେ ହେଉଛନ୍ତି ସେହି ୩ ଅଭିଯୁକ୍ତ। ଜଣେ ଦାଦା ଓ ଦୁଇ ଜଣ ପୁତୁରା। ସମରେନ୍ଦ୍ର ବେହେରା, ବୟସ ୨୦ । ସଂଗ୍ରାମ ବେହେରା, ବୟସ ୨୪ । ସଂଗ୍ରାମ କେଶରୀ ବେହେରା, ବୟସ ୩୭। ସଂଗ୍ରାମ ଜଣେ ଯବାନ, ସେ ଜମ୍ମୁରେ ଆର୍ମିରେ କାର୍ଯ୍ୟରତ । ସେ ଛୁଟି କାଟିବାକୁ ଓଡିଶା ଆସିଥିଲା । ଶନିବାର ସନ୍ଧ୍ୟାରେ ସଂଗ୍ରାମ ତା ଦୁଇ ପୁତୁରାଙ୍କ ସହ ଜିଜିପି ପଡ଼ିଆରେ ମଦ ପିଉଥିଲା । ଅନ୍ୟପଟେ ରାହୁଲ ତାଙ୍କର ୩ଜଣ ସାଙ୍ଗ ମିଶି ମଦ ପିଉଥିଲେ । ରାହୁଲଙ୍କ ସାଙ୍ଗ ଶିବା ଫୋନରେ କଥା ହେଉଥିବା ବେଳେ, ଖରାପ ଭାଷାରେ କାହିଁକି ଗାଳି କରୁଛି କହି ସଂଗ୍ରାମ ବିରୋଧ କରିଥିଲା । ଯାହାକୁ ନେଇ, ଉଭୟ ଗୋଷ୍ଠୀଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ, ସଂଗ୍ରାମର ସାନ ପୁତୁରା ସମରେନ୍ଦ୍ର ପାଖରେ ରଖିଥିବା ଛୁରିରେ ଭୁସି ଦେଇଥିଲା । ଆଉ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିଲା । 
ମଦ ପାଇଁ ମୁଣ୍ଡ ଗଡ଼ିଲା। ସାମାନ୍ୟ ବଚସାରୁ କଳି ଉଗ୍ରରୂପ ନେଲା । ୟୁଟୁବରଙ୍କ ଜୀବନ ଚାଲିଗଲା । ଆଉ ଯବାନକୁ ସୈତାନ ବନାଇ ଦେଲା।