Mid Day Meal Photograph: (kanak news)
କନକ ବ୍ୟୁରୋ : ମଧ୍ୟାହ୍ନଭୋଜନକୁ ନେଇ ପୁଣି ଅଭିଯୋଗ । ପିଲାଙ୍କୁ ସ୍କୁଲରେ ମିଳୁଛି ନିମ୍ନମାନର ଖାଦ୍ୟ । ମିଡ୍ ଡେ’ ମିଲ୍ ଏବେ ପୁଣି ଅବ୍ୟବସ୍ଥାରେ । ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ରଣ୍ଡିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାମନାକୁ ଆସିଛି ଏଭଳି ଖବର । ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ତ ମିଳୁଛି କିନ୍ତୁ ଅତି ନିମ୍ନମାନର । ଭାତ ସହ ପିଲାଙ୍କୁ ଖାଇବାକୁ ଦିଆଯାଉଛି ଅତି ପାଣିଆ ଡାଲି , ବେଳେବେଳେ ତରକାରୀ ମିଳୁଛି ହେଲେ ସିଏ ବି ପାଣିଆ । ପାଣି ଭିତରେ କେବେ କେବେ ପରିବା ଖଣ୍ଡେ ମିଳୁଛି । ପରିମାଣ ବି ଏତେ କମ୍ ଦେଉଛନ୍ତି ଯେ କୁନି ପିଲାଙ୍କ ପେଟକୁ ଅଣ୍ଟୁନି । ସ୍କୁଲରେ ପଢ଼ୁଥିବା ସବୁ ପିଲାଙ୍କୁ ଏଭଳି ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ସାମନାକୁ ଆସିଛି ।
ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଖାଦ୍ୟ ଦେବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଦାୟିତ୍ବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦେଇଛନ୍ତି । ହେଲେ ସେମାନଙ୍କ କଥା ନ କହିବା ଭଲ । ଉନ୍ନତମାନର ଖାଦ୍ୟ ବଦଳରେ ସେମାନେ ବି ପିଲାଙ୍କୁ ଠକୁଛନ୍ତି । ବାଢ଼ି ଦେଉଛନ୍ତି ଭାତ ସାଙ୍ଗକୁ ପାଣିଆ ଡାଲି ଆଉ ତରକାରୀ । ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ରଣ୍ଡିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ବିଦ୍ୟାଳୟରେ ନାହିଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ।
ଅଧିକ ପଢ଼ନ୍ତୁ--ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକିଦେଲେ ଶିକ୍ଷକ : ଶିକ୍ଷକ ଛୁଟିରେ , ତାତିଲେ ଅଭିଭାବକ
ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଗୃହ ନଥିବାରୁ ପିଲା ବାଧ୍ୟ ହୋଇ ବାହାରେ ଖାଉଛନ୍ତି । ନିମ୍ନମାନର ଖାଦ୍ୟ ସାଙ୍ଗକୁ ବସିବା ବ୍ୟବସ୍ଥା ନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ନେଇ ଗ୍ରୁପ୍ ମହିଳାଙ୍କୁ ପଚାରିବାରୁ ସେ କହିଥିଲେ ସବୁ ଠିକ୍ ରେ ଦିଆହେଉଛି । ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, କେବେ କେମିତି ଗ୍ରୁପ୍ ମା’ମାନେ ନିମ୍ନମାନର ଖାଦ୍ୟ ଦେଉଛନ୍ତି । ଆମେ ତାଙ୍କୁ ତାଗିଦ୍ କରିଛୁ। ତଥାପି ସେମାନେ ଶୁଣୁନାହାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି...
ସ୍ବୟଂ ସହାୟିକା ଗୋଷ୍ଠୀ ଯଦି ମନମୁଖୀ କାର୍ଯ୍ୟ ଚଳାଇଛନ୍ତି , ତାଙ୍କଠାରୁ ଦାୟିତ୍ବ ପ୍ରତ୍ୟାହାର କରାଯାଉନି କାହିଁକି ?
କିଏ ଘଣ୍ଟ ଘୋଡ଼ାଉଛି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ?
ସରକାର ପିଲାଙ୍କ ପୋଷଣ ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି, କିନ୍ତୁ ପିଲା ପାଣିଆ ଡାଲି ଖାଇବେ କାହିଁକି ?
କୁଆଡ଼େ ଯାଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ?
କାହିଁକି ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ନିଆଯାଉନି ଆକ୍ସନ୍ ?
କାହା ଛତ୍ରଛାୟାରେ ଅଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ?
କାହିଁକି ଆକ୍ସନ୍ ନେଉନାହାନ୍ତି ପ୍ରଧାନ ଶିକ୍ଷକ ?
Follow Us