Team India Photograph: (Kanak news)
କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ସୁପର-୮ ମୁକାବିଲାରେ ଭାରତକୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ସାଉଥ ଆଫ୍ରିକା ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଟିମ୍ ଇଣ୍ଡିଆ ୭୬ ରନରେ ହାରିଛି । ଏହି ପରାଜୟ କେବଳ ଭାରତର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇନାହିଁ, ବରଂ ନେଟ୍ ରନ୍ ରେଟ୍ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଛି, ଯାହା ସେମିଫାଇନାଲରେ ପହଞ୍ଚିବା ରାସ୍ତାକୁ କଷ୍ଟକର କରିଦେଇଛି । ଆସନ୍ତୁ ଜାଣିବା ଭାରତର ଏହି ପରାଜୟ ପଛର କିଛି ପ୍ରମୁଖ କାରଣ ।
ଚାପ ପକାଇ ପାରିଲେନି ବୋଲର
ମ୍ୟାଚର ଆରମ୍ଭରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ୨୦ ରନ୍ ସ୍କୋରରେ ସାଉଥ ଆଫ୍ରିକାର ୩ ଜଣ ଟପ୍ ଅର୍ଡର ବ୍ୟାଟର ଆଉଟ୍ ହୋଇଯାଇଥିଲେ । ସେହି ସମୟରେ ଆଶା କରାଯାଉଥିଲା ଯେ ଭାରତୀୟ ବୋଲରମାନେ ଚାପ ବଜାୟ ରଖିବେ, କିନ୍ତୁ ଡେଭିଡ୍ ମିଲର ଏବଂ ବ୍ରେଭିସ୍ ପୁରା ଚିତ୍ର ବଦଳାଇ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ୯୭ ରନର ଭାଗିଦାରୀ ହୋଇଥିଲା, ଯାହା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା ।
ସ୍ପିନରଙ୍କ ଫ୍ଲପ୍ ସୋ
ଏହି ମ୍ୟାଚରେ ଭାରତୀୟ ସ୍ପିନରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୪୭ ରନ୍ ଦେଇଥିବା ବେଳେ ୱାଶିଂଟନ ସୁନ୍ଦର ୨ ଓଭରରେ ୧୭ ରନ୍ ଖର୍ଚ୍ଚ କରିଥିଲେ । ସ୍ପିନରମାନେ ମାତ୍ର ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ, ଯାହା ସାଉଥ ଆଫ୍ରିକା ପାଇଁ ରନ୍ ସଂଗ୍ରହ କରିବା ସହଜ କରିଦେଇଥିଲା ।
ଆହୁରି ପଢ଼ନ୍ତୁ... ବିରାଟ କୋହଲିଙ୍କ ସ୍ଥାନ ପୂରଣ କରିପାରୁନି ଟିମ୍ ଇଣ୍ଡିଆ !
ହାର୍ଦ୍ଦିକଙ୍କ ମହଙ୍ଗା ଶେଷ ଓଭର
ଏକ ସମୟରେ ଲାଗୁଥିଲା ଯେ ଭାରତ ସାଉଥ ଆଫ୍ରିକାକୁ ୧୭୫ ରନ୍ ଭିତରେ ସୀମିତ ରଖିବ । କିନ୍ତୁ ଅନ୍ତିମ ଓଭର ବୋଲିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ୍ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୮୮ରେ ପହଞ୍ଚିଥିଲା, ଯାହା ଭାରତୀୟ ବ୍ୟାଟରମାନଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିଥିଲା ।
ନିରାଶ କଲେ ଓପନର
ଭାରତୀୟ ଓପନରମାନେ ପୁଣି ଥରେ ନିରାଶ କରିଥିଲେ । ଇଶାନ କିଶନ ଶୂନରେ ଆଉଟ୍ ହୋଇଥିବା ବେଳେ ଅଭିଷେକ ଶର୍ମା ମାତ୍ର ୧୫ ରନ୍ କରିଥିଲେ । ସବୁଠାରୁ ବଡ଼ ସମସ୍ୟା ଥିଲା ବ୍ୟାଟରମାନଙ୍କ ମାନସିକତା । ପ୍ରତିଟି ବ୍ୟାଟର ପିଚ୍କୁ ନବୁଝି ପ୍ରଥମ ବଲରୁ ଛକା ମାରିବାକୁ ଚେଷ୍ଟା କରିଥିଲେ । ସିଙ୍ଗଲ୍ କିମ୍ବା ଡବଲ୍ ରନ୍ ନେଇ ପାର୍ଟନରସିପ୍ ଗଢ଼ିବା ପରିବର୍ତ୍ତେ ସେମାନେ ବଡ଼ ସଟ୍ ଖେଳିବାକୁ ଯାଇ ୱିକେଟ୍ ହରାଇଥିଲେ ।
ଭୁଲ ପ୍ରମାଣିତ ହେଲା ସୁନ୍ଦର ପ୍ରୟୋଗ
ଏହି ମ୍ୟାଚରେ ଅକ୍ଷର ପଟେଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । ସୁନ୍ଦର ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଫ୍ଲପ୍ ହୋଇଥିଲେ । ଯଦିଓ ଅକ୍ଷର ପଟେଲ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସବୁବେଳେ ପ୍ରଭାବୀ ରହିଥାନ୍ତି, ତାଙ୍କୁ ବାଦ୍ ଦେବା ଟିମ୍ ପାଇଁ ମହଙ୍ଗା ପଡ଼ିଲା ।
ଏହି ପରାଜୟ ପରେ ଭାରତ ପାଇଁ ସେମିଫାଇନାଲ ରାସ୍ତା କଠିନ ହୋଇଯାଇଛି। ଆଗାମୀ ମ୍ୟାଚ୍ ଗୁଡ଼ିକରେ କେବଳ ଜିତିବା ନୁହେଁ, ବରଂ ବଡ଼ ବ୍ୟବଧାନରେ ଜିତିବା ଭାରତ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।
Follow Us