କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୮ରେ ଦକ୍ଷିଣ-ଆଫ୍ରିକାଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତୀୟ ଦଳର ବ୍ୟାଟିଂରେ ଥିବା ଦୁର୍ବଳତା ପୁଣି ପଦାରେ ପଡ଼ିଯାଇଛି । ଗ୍ରୁପ୍‌ ପର୍ଯ୍ୟାୟରେ ଯେଉଁ ଦୁର୍ବଳତା ଦେଖାଦେଇଥିଲା ତାହାର ଭରପୁର ସୁଯୋଗ ନେଇଛି ଦକ୍ଷିଣ ଆଫ୍ରିକା । ତେବେ ଭାରତୀୟ ଦଳର ଏହି ଦୁର୍ବଳତା ଆରମ୍ଭ ହୋଇଥିଲା ୨୦୨୪ରେ ବିରାଟ କୋହଲିଙ୍କ ଅବସର ପରେ ।

Advertisment

ଆହୁରି ପଢ଼ନ୍ତୁ... ଅଟକିଲା ଟିମ ଇଣ୍ଡିଆର ବିଜୟରଥ , ଦକ୍ଷିଣ ଆଫ୍ରିକା ପାଖରେ ୭୬ ରନ୍‌ରେ ପରାଜୟ

ଆଜିକାଲି ଭାରତୀୟ ବ୍ୟାଟରମାନେ ଏକ ଅତି ଆକ୍ରାମକ ଆଭିମୁଖ୍ୟ ରଖି ଖେଳୁଥିବାବେଳେ ପୂର୍ବରୁ ୩ ନମ୍ବରେ ଆସି ବିରାଟ କୋହଲି ଯେଉଁ ‘ସୁରକ୍ଷା ଜାଲ’ ପ୍ରଦାନ କରୁଥିଲେ ତାହାର ଅଭାବ ଅନୁଭବ ହେଉଛି । ଓପନରମାନେ ବିଫଳ ହେଲେ ଏହି ‘ସୁରକ୍ଷା ଜାଲ’ କାମରେ ଆସୁଥିଲା । ବର୍ତ୍ତମାନ ୩ ନମ୍ବରରେ ଆସୁଥିବା ତିଳକ ବର୍ମା ଏହି ଅଭାବ ପୂରଣ ପାଇଁ ଉଦ୍ୟମ କରୁଥିଲେ ବି ସେ ବିରାଟଙ୍କ ପରି ସଫଳ ହୋଇପାରୁନାହାନ୍ତି । ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତିଳକ ବର୍ମାଙ୍କ ସ୍କୋର ହେଉଛି ୨୫,୨୫,୨୫, ୩୧ ଓ ୧। ବିରାଟ ଯେପରି ପରିସ୍ଥିତି ଓ ପିଚ୍‌କୁ ଦେଖି ନିଜର ବ୍ୟାଟିଂ କୌଶଳ ଓ ଅଭିମୁଖ୍ୟରେ ପରିବର୍ତ୍ତନ କରନ୍ତି, ତାହା ଏବେ ଆଉ ନାହିଁ। ଅଧିକାଂଶ ବ୍ୟାଟର୍‌ କେବଳ ଛକାଚୌକା ମାରିବାକୁ ଉଦ୍ୟମ କରୁଛନ୍ତି।

ପରିସଂଖ୍ୟାନ ଅନୁସାରେ ଟ୍ବେଣ୍ଟି-୨୦ ବିଶ୍ବକପ ଇତିହାସରେ ଭାରତ ଏପର୍ଯ୍ୟନ୍ତ ତିନିଥର ୧୬୦ରୁ ଅଧିକ ଲକ୍ଷ୍ୟର ସଫଳ ପଶ୍ଚାତ୍‌ଧାବନ କରିପାରିଛି । ଏହି ତିନୋଟି ସଫଳ ପଶ୍ଚାତ୍‌ଧାବନ ପଛରେ ବିରାଟଙ୍କ ହାତ ରହିଛି । ପ୍ରଥମଟି ଆସିଥିଲା ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ବିରାଟଙ୍କ ୩୪ ବଲ୍‌ ୭୨ ରନ୍‌ ପାଳି ଯୋଗୁଁ ଭାରତ ୧୭୩ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା। ଦ୍ବିତୀୟଟି ଆସିଥିଲା ୨୦୧୬ରେ ଯେତେବେଳେ ଅଷ୍ଟ୍ରେଲିଆ ଭାରତ ଆଗରେ ୧୬୧ ରନର ଲକ୍ଷ୍ୟ ରଖିଥିଲା ଓ ବିରାଟଙ୍କ ୮୨ ରନ୍‌(୫୧ବଲ୍‌) ବଳରେ ଭାରତ ଲକ୍ଷ୍ୟ ହାସଲ କରିଥିଲା। ତୃତୀୟଟି ହେଉଛି ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ବିରାଟ ଖେଳିଥିବା ୮୨ ରନ୍‌ର ପ୍ରସିଦ୍ଧ ପାଳି। ଏହି ମ୍ୟାଚ୍‌ରେ ଭାରତ ୧୬୦ରନ୍‌ର ଲକ୍ଷ୍ୟ ହାସଲ କରିଥିଲା।