କନକ ବ୍ୟୁରୋ : ବାରମ୍ବାର କୋର୍ଟକୁ ଆସୁଛି ଧମକପୂର୍ଣ୍ଣ ମେଲ୍ । ଚର୍ଚ୍ଚା ହେଉଛି, ହଇଚଇ ସୃଷ୍ଟି ହେଉଛି । ଭୟ ବି ବଢ଼ୁଛି । ହେଲେ କିଏ ପଠାଉଛି, କେଉଁଠୁ ପଠାଉଛି, ଏନେଇ କିଛି ଜଣାପଡ଼ୁନି । ପୁଲିସ୍ ଖାଲି ତଦନ୍ତ କରାଯାଉଥିବା କଥା କହୁଛି । ହେଲେ  ଜଣେ ବି ଅଭିଯୁକ୍ତକୁ ଏଯାଏଁ ଧରିପାରନି ପୁଲିସ ।

Advertisment

କୋର୍ଟ ଭଳି ସୁରକ୍ଷିତ ସ୍ଥାନକୁ ବାରମ୍ବାର ବୋମା ଧମକ ମିଳିବା ପରେ ଭୟ ସୃଷ୍ଟି ହୋଇଛି । ମାସକ ତଳେ ଭୁବନେଶ୍ୱର ଓ ସମ୍ବଲପୁର, ଦେବଗଡ କୋର୍ଟକୁ ବୋମା ଧମକ ମିଳିବା ପରେ ଗତକାଲି ପୁଣି କଟକ, ପୁରୀ, ଯାଜପୁର, ଫୁଲବାଣୀ କୋର୍ଟକୁ ବୋମା ଧମକ ମିଳିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । କୋର୍ଟ ପରିସରରୁ ଏପର୍ଯ୍ୟନ୍ତ କିଛି ମିଳିନଥିଲେ ବି ଆଗକୁ କେତେବେଳେ କଣ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ବାରମ୍ବାର ଏଭଳି ଧମକ ଆସିବା ସତ୍ତ୍ୱେ କେଉଁଠୁ ଆସୁଛି ମେଲ ? କିଏ ପଠାଉଛି ମେଲ୍ ? ପୁଲିସ୍ ତାର ଟେର କିଭଳି ପାଉନି । ଏମିତିକି ଜଣେ ବି ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ । ଯାହା ଆମ ରାଜ୍ୟର ସାଇବର ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ : ମାସେ ନପୂରୁଣୁ ପୁଣି ରାଜ୍ୟର ଏକାଧିକ କୋର୍ଟକୁ ଆସିଲା ବୋମା ଧମକ : କଟକ, ପୁରୀ, ଫୁଲବାଣୀ ଓ ଯାଜପୁରରେ ଭୟର ବାତାବରଣ

ପୂର୍ବରୁ ଜାନୁଆରି ୮ତାରିଖରେ କଟକ, ସମ୍ବଲପୁର, ଦେବଗଡ଼ କୋର୍ଟକୁ ବୋମା ଧମକ ମିଳିଥିଲା । ପୁଲିସ୍ ଡିଜି ନିଜେ କଟକ କୋର୍ଟ ପାଖକୁ ଯାଇ ନିଜେ ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ ଉଚ୍ଚଅଧିକାରୀଙ୍କ ସହ ବୈଠକ କରି ସମୀକ୍ଷା କରିଥିଲେ । ମାସେ ପରେ ବି ଅଭିଯୁକ୍ତ ପାଖରେ ପହଁଚିବାରେ ବିଫଳ ହୋଇଛି ପୁଳିସ୍ । ଡାର୍କ ୱେବରୁ ମେଲ୍ ପଠାଯାଉଥିବାରୁ ଏହାକୁ ଟ୍ରେସ୍ କରିବା କାଠିକର ହେଉଥିବା କୁହାଯାଉଛି ।

ବାରମ୍ବାର କୋର୍ଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଛି। ହେଲେ ଧମକ କେଉଁ ଜାଗାରୁ ଆସୁଛି, ତାହା ଠିକ୍ ଭାବେ ଜଣା ନପଡ଼ିଲେ, ଏହି ସମସ୍ୟାର ସମାଧାନ ହେବ କେମିତି ? କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ଏହି ମେଲ୍‌ର ଉତ୍ସ ଜାଣିବାକୁ ପ୍ରୟାସ ଚାଲିଛି ।