କନକ ବ୍ୟୁରୋ:  ଜଙ୍ଗଲ ଛାଡ଼ି ଜନବସତି ମୁହାଁ  ହାତୀ । ନଷ୍ଟ ହୋଇଛି ଶହ ଶହ ଏକର ଜଙ୍ଗଲ ।  ପଦା ପାଇଛି ଘଞ୍ଚ ଅରଣ୍ୟ । ବାସହରା ହୋଇଛନ୍ତି ବନ୍ୟଜନ୍ତୁ । ହାତୀଙ୍କ ବାସସ୍ଥାନ ଉଜୁଡ଼ିଛି । ରହିବାକୁ ଖାଇବାକୁ ପାଉନାହାନ୍ତି । ଖାଦ୍ୟ ଅନ୍ବେଷଣରେ ଜନବସତିମୁହାଁ ହାତୀ । ଖାଇବାକୁ ଆସି ଜୀବନ ହରାଉଛି ଗଜରାଜ । ହାତୀକୁ ମୃତ୍ୟୁମୁଖକୁ ଠେଲି ଦେଉଛି ମଣିଷ । ଅନ୍ୟପଟେ ଜନବସତିରେ ପଶି ମୁଣ୍ଡ ବି ନେଉଛି ହାତୀ। ତୀବ୍ର ହେଉଛି ହାତୀ-ମଣିଷ ଲଢ଼େଇ । ଜନବସତିରେ ହାତୀଙ୍କ ଅନୁପ୍ରବେଶ ବଢ଼ାଉଛି ଚିନ୍ତା । ଜନବସତିକୁ ଆସି ଘରଦ୍ବାର ଭାଙ୍ଗୁଛି ତ ପୁଣି କେବେ ଫସଲ ନଷ୍ଟ କରୁଛି । ଆଉ କେବେ ମୁଣ୍ଡ ନେଉଛି ହାତୀ । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବଢ଼ିଛି ହାତୀଙ୍କ ଉପଦ୍ରବ। ଗତ ସପ୍ତାହେ ମଧ୍ୟରେ ଯୋଡ଼ାରେ ହାତୀଙ୍କ ଉତ୍ପାତ ଚିନ୍ତା ବଢ଼ାଇଛି । ଡିସେମ୍ବର ୧୦ରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା । ସେହିପରି ଡିସେମ୍ବର ୧୪ରେ ହାତୀମାନେ ଗାଁରେ ପଶି ଧାନ ଦଳିବା ସହ ଲୋକଙ୍କ ଘର ଭାଙ୍ଗିଥିଲେ ।

Advertisment

ଅଧିକ ପଢନ୍ତୁ ;  ନିଦ ହଜାଇଲେ ହାତୀ ପଲ ; ନିଆଁ ଜାଳି ଚାଷୀ ଜଗିଛି ଫସଲ

ଆଉ ଗତ କାଲି ରାସ୍ତାକୁ ଓହ୍ଲାଇଥିଲେ ହାତୀ । ୫୨୦ ନମ୍ବର ରାଜପଥକୁ ଅବରୋଧ କରି ଥିଲେ ହାତୀ ପଲ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାସୁଦେବପୁର ନିକଟ ଜଙ୍ଗଲରୁ ବାହାରି ୧୨ଟିକିଆ ହାତୀପଲ ୫୨୦ ନମ୍ବର ଜାତୀୟ ରାଜପଥ କିଛି ସମୟ ଧରି ଅବରୋଧ କରିଥିଲେ । ତେବେ ହାତୀ ମଣିଷ ଲଢ଼େଇ ବନ୍ଦ ପାଇଁ ସରକାରଙ୍କ ଯୋଜନା ପରେ ଯୋଜନା । ଯୋଜନା ଆଳରେ ଖର୍ଚ୍ଚ ହେଉଛି ବର୍ଷକୁ କୋଟି କୋଟି ଟଙ୍କା । ମାତ୍ର ବିଭାଗର ଅବହେଳା ତଥା ଅପାରଗତା ପାଇଁ ଥମୁନି ହାତୀ-ମଣିଷର ଲଢ଼େଇ । ଗତ ଚାରି ବର୍ଷରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୧୬ ହାତୀ ବିଭିନ୍ନ ଘଟଣାକ୍ରମରେ ପ୍ରାଣ ହରାଇଥିବା ବେଳେ ହାତୀ ପାଦ ତଳେ ଯାଇଛି ୩୧ ଲୋକଙ୍କ ଜୀବନ। ଏଥି ସହିତ ହାତୀ ଆକ୍ରମଣରେ ୨୪ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । 

ଚମ୍ପୁଆ ରେଞ୍ଜର ବହୁ ସଂରକ୍ଷିତ ଜଂଗଲରେ ଆଗରୁ ହାତୀମାନେ ନିର୍ଭୟରେ ଚଳପ୍ରଚଳ କରୁଥିଲେ । ହେଲେ ବ୍ୟାପକ ଖଣି ଖନନ ପାଇଁ ଜଂଗଲ ନଷ୍ଟ ହେବା କାରଣରୁ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେବା କାରଣରୁ ବହୁ ସମୟରେ ହାତୀ ମଣିଷ ମୁହାଁମୁହିଁ ହେଉଛନ୍ତି । ଚମ୍ପୁଆ ଉପଖଣ୍ଡରେ ପ୍ରସ୍ତାବିତ କାରୋ କରମପଦା ହାତୀ କରିଡର ପ୍ରସ୍ତାବରେ ସୀମିତ ରହିଥିବା ବେଳେ ଏବେ ବର୍ଷ ସାରା ହାତୀ ଜଙ୍ଗଲ ଛାଡ଼ି ଗାଁରେ ବୁଲୁଥିବା ଦେଖାଯାଉଛି । ଏହି କାରଣରୁ ଚମ୍ପୁଆ ରେଞ୍ଜରେ ଗତ ଚାରି ବର୍ଷରେ ହାତୀ ପାଦ ତଳେ ୧୦ ହଜାର ୩୫୪ ଦଶମିକ ୩୭୫ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ଖାଦ୍ୟ ପାଇଁ ୬୪୭ ଟି ଘର ଭାଙ୍ଗି ସାରିଛନ୍ତି ହାତୀ । ତଥାପି ନା ଥମୁଛି ହାତୀ ମଣିଷ ଲଢ଼େଇ ନା କମୁଛି ହାତୀଙ୍କ ଉପଦ୍ରବ । ଏହାକୁ ନେଇ ଗାଁ ଗାଁରେ ପୁଞ୍ଜିଭୂତ ହେଉଛନ୍ତି ଜନ ଅସନ୍ତୋଷ ।