michaela-benthaus-flies-into-space Photograph: (kanak news)
କନକ ବ୍ୟୁରୋ : ସ୍ୱପ୍ନ ଦେଖିବାର କୌଣସି ସୀମା ନଥାଏ, ଆଉ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସ୍ୱପ୍ନ ସତରେ ପରିଣତ ହୁଏ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଖାଇଛନ୍ତି ଜର୍ମାନୀର ୩୩ ବର୍ଷୀୟା ମହିଳା ଇଞ୍ଜିନିୟର ମିକାଏଲା ବେନଥାଉସ । ହ୍ୱିଲ୍ ଚେୟାରରେ ଜୀବନ ବିତାଉଥିବା ମିକାଏଲା ପ୍ରଥମେ ମେରୁଦଣ୍ଡରେ ଆଘାତ ପାଇଥିଲେ । ଯେଉଁଥିପାଇଁ ସେ ଚାଲିବା ଶକ୍ତିକୁ ହରେଇ ବସିଛନ୍ତି । କିନ୍ତୁ ପ୍ରଥମ ଦିବ୍ୟାଙ୍ଗ ମହିଳା ଭାବେ ମହାକାଶ ଯାତ୍ରା କରି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ଏବଂ ସାହସ ଥାଏ, ତେବେ ଶାରୀରିକ ଅକ୍ଷମତା କେବେ ବି ସଫଳତା ପଥରେ ବାଧା ସାଜିପାରିବ ନାହିଁ ।
ଐତିହାସିକ ମହାକାଶ ମିଶନ:
ଏହି ସ୍ୱପ୍ନର ଉଡ଼ାଣ ଆମାଜନର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଜେଫ୍ ବେଜୋସଙ୍କ ମହାକାଶ ସଂସ୍ଥା ‘ବ୍ଲୁ ଓରିଜିନ’ ଦ୍ୱାରା ସମ୍ଭବ ହୋଇଛି । ଏହା ବ୍ଲୁ ଓରିଜିନର ୧୬ତମ ମାନବବାହୀ (Crude Flight) ଅଭିଯାନ ଥିଲା । ପଶ୍ଚିମ ଟେକ୍ସାସରୁ ‘ନ୍ୟୁ ଶେପର୍ଡ’ NS-37 ରକେଟରେ ମିକାଏଲାଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ମହାକାଶକୁ ଯାତ୍ରା କରିଥିଲେ । ଏହି ଯାତ୍ରା ପ୍ରାୟ ୧୧ ମିନିଟ୍ ଧରି ଚାଲିଥିଲା ଏବଂ ମହାକାଶଯାନଟି ପୃଥିବୀ ପୃଷ୍ଠରୁ ପ୍ରାୟ ୧୦୦ କିଲୋମିଟର ଉଚ୍ଚତାକୁ ଯାଇଥିଲା । ସେଠାରେ ସେମାନେ କିଛି ସମୟ ପାଇଁ ଜିରୋ ଗ୍ରାଭିଟି ବା ଶୂନ୍ୟ ମାଧ୍ୟାକର୍ଷଣ ବଳର ଅନୁଭବ କରିବା ସହ ପୃଥିବୀର ଅପୂର୍ବ ଦୃଶ୍ୟ ଉପଭୋଗ କରିଥିଲେ ।
ଅଧିକ ପଢ଼ନ୍ତୁ--ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼ ; ଆଖିବୁଜିଲେ ୧୦ ଜଣ, ଅନେକ ଲୋକ ଆହତ
ମିକାଏଲାଙ୍କ ସଂଘର୍ଷ ଏବଂ ସଫଳତା:
ମିକାଏଲା ବୃତ୍ତିରେ ଜଣେ ମହାକାଶ ଇଞ୍ଜିନିୟର ଏବଂ ସେ ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ରେ କାର୍ଯ୍ୟ କରୁଛନ୍ତି । ମାତ୍ର ୨୬ ବର୍ଷ ବୟସରେ ଏକ ମାଉଣ୍ଟେନ ବାଇକିଂ ଦୁର୍ଘଟଣା ଯୋଗୁଁ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହାଫଳରେ ସେ ଚାଲିବାର ଶକ୍ତି ହରାଇ ହ୍ୱିଲ୍ ଚେୟାର ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ । କିନ୍ତୁ ସେ ହାର ମାନିନଥିଲେ । ମହାକାଶକୁ ଯିବାର ତାଙ୍କର ପିଲାଦିନର ସ୍ୱପ୍ନକୁ ସେ ଏହି ଅଭିଯାନ ମାଧ୍ୟମରେ ପୂରଣ କରିଛନ୍ତି ।
ମହାକାଶରୁ ସଫଳତାର ସହ ଫେରିବା ପରେ ମିକାଏଲା କହିଛନ୍ତି, "ଏହା ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ଏବଂ ସ୍ମରଣୀୟ ଅନୁଭୂତି ଥିଲା । ମୁଁ ସମସ୍ତଙ୍କୁ ଏତିକି କହିବି ଯେ, ନିଜ ସ୍ୱପ୍ନକୁ କେବେବି ଛାଡନ୍ତୁ ନାହିଁ । ବେଳେବେଳେ ସଫଳତାର ସମ୍ଭାବନା ବହୁତ କମ୍ ଥାଏ, କିନ୍ତୁ ଆମକୁ ଚେଷ୍ଟା ଜାରି ରଖିବା ଉଚିତ ।" ଏହାସହ ସେ ଦିବ୍ୟାଙ୍ଗମାନଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି କରିବା ଏବଂ ବିଶ୍ୱକୁ ଏକ ସମାବେଶୀ ସମାଜ ଭାବେ ଗଢ଼ିବାକୁ ନିବେଦନ କରିଛନ୍ତି ।
ମିକାଏଲାଙ୍କ ଏହି ସଫଳତା କେବଳ ଏକ ବୈଷୟିକ ସଫଳତା ନୁହେଁ, ବରଂ ଏହା ପ୍ରେରଣାର ଏକ ପ୍ରତୀକ । ବ୍ଲୁ ଓରିଜିନ କମ୍ପାନିର ଲକ୍ଷ୍ୟ ହେଉଛି ମହାକାଶ ପର୍ଯ୍ୟଟନକୁ ସାଧାରଣ ଲୋକଙ୍କ ପାଇଁ ସୁଲଭ କରିବା ଏବଂ ଏଲନ ମସ୍କଙ୍କ ସ୍ପେସ୍-ଏକ୍ସକୁ କଡ଼ା ଟକ୍କର ଦେବା । ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ମହିଳା ମହାକାଶ ଯାତ୍ରା କରିବା ସମଗ୍ର ବିଶ୍ୱରେ ଇତିହାସ ସୃଷ୍ଟି କରିଛି ।
Follow Us