ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଚାଲିଥିବା ସାମରିକ ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଏକ ଚୁକ୍ତି ହେବାର ଏକ ବର୍ଷରୁ ଅଧିକ ସମୟ ପରେ, ଜମ୍ମୁ-କାଶ୍ମୀରର ଶକ୍ସଗାମ ଉପତ୍ୟକାକୁ ନେଇ ଏକ ନୂତନ ସୀମା ବିବାଦ ଦେଖାଦେଇଛି । ଶକ୍ସଗାମ ଉପତ୍ୟକାକୁ ନେଇ ଏହି ବିବାଦ ରଣନୀତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ୫,୦୦୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ନୂତନ ଧ୍ୟାନ ଆକର୍ଷଣ କରିଛି, ଯାହା ୧୯୬୩ ମସିହାରେ ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଚୀନ୍‌କୁ ହସ୍ତାନ୍ତର କରାଯାଇଥିଲା। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଆରସି)ର ଏକ ଅଂଶ ଭାବରେ ଚୀନ୍ ଏଠାରେ ପ୍ରମୁଖ ଭିତ୍ତିଭୂମି ନିର୍ମାଣ କରିସାରିଛି । ପୂର୍ବ କାରାକୋରମ୍ ପର୍ବତମାଳାରେ ସିଆଚେନ୍ ଗ୍ଲେସିୟର ନିକଟରେ ଅବସ୍ଥିତ ଶକ୍ସଗାମ ଉପତ୍ୟକା ଟ୍ରାନ୍ସ କାରାକୋରମ୍ ଟ୍ରାକ୍ଟ ଭାବରେ ମଧ୍ୟ ଜଣାଶୁଣା। ଏହା ଉତ୍ତରରେ ଚୀନ୍‌ର ସିନଜିଆଙ୍ଗ ଅଞ୍ଚଳ ଏବଂ ଦକ୍ଷିଣ ଓ ପଶ୍ଚିମରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟରେ ଅବସ୍ଥିତ। ଉପତ୍ୟକାରେ ଚୀନ୍‌ର ଏକ ସବୁଦିନିଆ ରାସ୍ତା ନିର୍ମାଣ ଭାରତର ଚିନ୍ତା ବଢ଼ାଇଛି। ୧୦ ମିଟର ଚଉଡ଼ା ରାସ୍ତାର ପ୍ରାୟ ୭୫ କିଲୋମିଟର କାର୍ଯ୍ୟ ଶେଷ ହୋଇଥିବା ଜଣାଯାଇଛି।

Advertisment

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଏହି ଅଞ୍ଚଳ ଭାରତର ଏକ ଅଂଶ ଏବଂ ଏହାର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ଅଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହା ମଧ୍ୟ ସୂଚାଇଛି ଯେ, ୧୯୬୩ ମସିହାରେ ଇସଲାମାବାଦ ବେଆଇନ ଦଖଲରେ ଥିବା ଶକ୍ସଗାମ ଉପତ୍ୟକାର ୫,୧୮୦ ବର୍ଗ କିଲୋମିଟର ଅଞ୍ଚଳ ବେଜିଂକୁ ସମର୍ପଣ କରି ଚୀନ୍ ସହିତ କରିଥିବା ଚୁକ୍ତିନାମାକୁ ଭାରତ କେବେ ସ୍ୱୀକୃତି ଦେଇ ନାହିଁ। ତେବେ ଚୀନ୍ ଭାରତର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ନିନ୍ଦାର ଊର୍ଦ୍ଧ୍ୱରେ ବୋଲି କହିଛି । ଏହି ପଦକ୍ଷେପ କେବଳ ଚୀନ୍‌ର କାଶ୍ମୀର ସ୍ଥିତି ଉପରେ କପଟତାକୁ ପ୍ରକାଶ କରୁଛି, ଯାହାକୁ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଭାବରେ ସମାଧାନ ହେବାକୁ ଥିବା ବିବାଦ ବୋଲି କହିଛି। ତେବେ ଏଥି ସହିତ, ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଅଧିକୃତ କାଶ୍ମୀର ଅଞ୍ଚଳରେ ରଣନୀତିକ ବିକାଶ କରି ଚୀନ୍ ସକ୍ରିୟ ଭାବରେ ନିୟନ୍ତ୍ରଣ ଜାରି ରଖିଛି।

ଧନରେ ତତେ ଆଉ ଶୀତ ହେବନି … ମା’ର ମମତା କେବେ ମରେନି 

ଶକ୍ସଗାମ ଉପତ୍ୟକା କାହିଁକି ଗୁରୁତ୍ୱପୂର୍ଣ୍ଣ ? 

ଭାରତ ପାଇଁ ଶକ୍ସଗାମ ଉପତ୍ୟକା ଦୁଇଟି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ- ଆଞ୍ଚଳିକ ଓ ସାମରିକ। ଏହି ଉପତ୍ୟକା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲେସିୟର ନିକଟରେ ଅବସ୍ଥିତ। ଏହା ବ୍ୟତୀତ ଏହା କାରାକୋରମ୍ ଗିରିପଥକୁ ସିଧାସଳଖ ପ୍ରବେଶ ମଧ୍ୟ ଯୋଗାଇଥାଏ। ସିଆଚେନରୁ ପାକିସ୍ତାନ ଉପରେ ଭାରତ ସିଧାସଳଖ ନଜର ରଖିଛି। କାରାକୋରମ ଗିରିପଥରୁ ଭାରତ ଚୀନ୍ ଯୁଦ୍ଧ କୌଶଳ ଉପରେ ନଜର ରଖିପାରିବ।

ପାକିସ୍ତାନ ଦ୍ୱାରା ଚୀନ୍‌କୁ ହସ୍ତାନ୍ତର ?

ପାକିସ୍ତାନ ସହ ‘ସୀମା ଚୁକ୍ତି’ ପରେ ୧୯୬୩ ମସିହାରୁ ହୁଞ୍ଜା-ଗିଲଗିଟ୍ ଅଞ୍ଚଳର ଏକ ଅଂଶ ଶକ୍ସଗାମ ଉପତ୍ୟକା ଚୀନ୍ ଅଧୀନରେ ରହିଛି । ଭାରତ ଏହାକୁ ନେଇ ଆପତ୍ତି ଉଠାଇଥିଲେ ମଧ୍ୟ ଉପତ୍ୟକାକୁ ଦଖଲ କରିବା ପାଇଁ କେବେ ବି କୌଣସି ଉଦ୍ୟମ କରିନାହିଁ । ୧୯୩୬ ମସିହାରେ, ହୁଞ୍ଜାର ମୀର (ଶାସକ)ଙ୍କୁ ବ୍ରିଟିସମାନେ ତାଗଦୁମ୍ବାଶ ପାମିର ଅଞ୍ଚଳ ଓ ରସକମ୍ ଉପତ୍ୟକାରେ ତାଙ୍କର ଅଧିକାର ଛାଡ଼ି ଦେବାକୁ କହିଥିଲେ। ତଥାପି ଶକ୍ସଗାମ ଉପତ୍ୟକା ଓ ଅଘିଲ ପର୍ବତମାଳା ତାଙ୍କ ପାଖରେ ରହିଥିଲା। ୧୯୪୭ ମସିହା ଅକ୍ଟୋବର ମାସରେ ଜମ୍ମୁ-କାଶ୍ମୀର ଭାରତ ସହ ମିଶିବା ପରେ, ଶକ୍ସଗାମ ଉପତ୍ୟକା ଆଇନଗତ ଭାବେ ଭାରତର ଏକ ଅଂଶ ହୋଇଥିଲା। ୧୯୫୦ ଦଶକରେ ଚୀନ୍ ପୂର୍ବ ହୁଞ୍ଜାର ଅଞ୍ଚଳରେ ପ୍ରବେଶ କରିବା ଆରମ୍ଭ କଲା। ଏହାଦ୍ୱାରା ଭାରତ-ଚୀନ୍ ସମ୍ପର୍କରେ ତୀବ୍ର ଅବନତି ଘଟିଥିଲା। ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନଙ୍କ ଅଧୀନରେ ପାକିସ୍ତାନ ଚୀନ୍‌କୁ ସନ୍ତୁଷ୍ଟ କରିବାର ଏକ ସୁଯୋଗ ଖୋଜୁଥିଲା। ୧୯୬୩ ମସିହାରେ ପାକିସ୍ତାନ ଭାରତର ଚିନ୍ତାକୁ ଅଣଦେଖା କରି ୟାର୍କନ୍ଦ ନଦୀ ଓ ଶକ୍ସଗାମ ଉପତ୍ୟକାକୁ ଅନୌପଚାରିକ ଭାବେ ଚୀନ୍‌କୁ ହସ୍ତାନ୍ତର କରିଥିଲା। ବିଶେଷକରି ଭାରତ ସହ ଡୋକଲାମ ବିବାଦ ପରେ ଚୀନ୍ ଶକ୍ସଗାମ ଉପତ୍ୟକାରେ ସାମରିକ ଭିତ୍ତିଭୂମି ନିର୍ମାଣକୁ ଜୋରଦାର କରିଛି।