କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ନୀତିଶ ସରକାର । ଏହି ବଜେଟ୍‌ରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏନେଇ ନୀତିଶ ସରକାର ପ୍ରତିକ୍ରିୟା ବି ଦେଇଛନ୍ତି । କହିଛନ୍ତି, ଆମ ସରକାର ମହିଳାଙ୍କୁ ଗୁରୁତ୍ବ ଦେଉଛି । ହେଲେ ବଜେଟ୍‌କୁ ନେଇ ବିରୋଧୀ ଖପ୍ପା ହୋଇଛନ୍ତି । କହିଛନ୍ତି ବଜେଟ୍‌ରେ କିଛି ନାହିଁ । 

Advertisment

ସରକାର କହିଲେ ବିକାଶ ପାଇଁ ବଜେଟ୍‌
ବିରୋଧୀ କହିଲେ ଆମ ଟଙ୍କା
ଖର୍ଚ୍ଚ କରିପାରୁନାହାନ୍ତି ନୀତିଶ

ବିହାର ବଜେଟ୍‌କୁ ନେଇ ଏବେ ସରକାର-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଗୃହରେ ବଜେଟ୍‌ ଉପସ୍ଥାପନ ହେବା ପରେ ନୀତିଶ କହିଥିଲେ, ଏ ବଜେଟ୍‌ ରାଜ୍ୟର ବିକାଶ କରିବ । ମହିଳା ଓ ଚାଷୀଙ୍କୁ ଆମ ସରକାର ଗୁରୁତ୍ବ ଦେଉଛନ୍ତି । ସେପଟେ ବିରୋଧୀ ଦଳ ଖାସ କରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, ବଜେଟ୍‌ରେ କିଛି ନାହିଁ । ପୁରା ଖାଲି ଖାଲି ଲାଗିଲା । ଗୃହରେ ବଜେଟ୍‌ ଉପସ୍ଥାପନ କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ସମ୍ରାଟ୍‌ ଚୌଧୁରୀ । ଏହି ସମୟରେ ନୀତିଶ ତାଙ୍କ ପିଠି ଥାପୁଡ଼ାଇଥିବା ଦେଖିବାକୁ ମିଳିଛି । 

ଫୋକସ୍‌ରେ ମହିଳା,ଚାଷୀ ଓ ଯୁବପିଢି

ଏବେ ପୁରା ଦେଶର ବଜେଟ୍‌ରେ ମହିଳା, ଚାଷୀ ଓ ଯୁବପିଢିଙ୍କୁ ଫୋକସ୍‌ରେ ରଖାଯାଇଛି । ଯେହେତୁ ଏମାନଙ୍କ ପାଖରେ ଅଧିକରୁ ଅଧିକ ଭୋଟ୍‌ ରହିଛି ତେଣୁ ସେମାନଙ୍କୁ ଫୋକସ୍‌ରେ ରଖାଯାଇଛି । ବଜେଟ୍‌ରେ କୁହାଯାଇଛି, ପ୍ରତି ପଂଚାୟତରେ ଗରିବଙ୍କ ଝିଅ ବାହାଘର ଲାଗି ମଣ୍ଡପ ତିଆରି ହେବ । ପ୍ରତି ସହରରେ ପିଙ୍କ୍‌ ଟିଏଲେଟ୍‌ ହେବ । ପ୍ରତି ସହରରେ କର୍ମଜୀବୀ ମହିଳାଙ୍କ ଲାଗି ସ୍ବତନ୍ତ୍ର ହଷ୍ଟେଲ ବି ତିଆରି ହେବ । ମହିଳାଙ୍କ ସୁରକ୍ଷିତ ଲାଗି ପିଙ୍କ ବସ୍‌ ବି ଚାଲିବ । ମହିଳାଙ୍କୁ ଇ-ରିକ୍ସା କିଣିବା ଲାଗି ସ୍ବତନ୍ତ୍ର ରିହାତି ବି ମିଳିବ । ରାଜ୍ୟର ପ୍ରମୁଖ ସହରରେ ମହିଳାଙ୍କ ଲାଗି ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ବି ଖୋଲିବ । ସେପଟେ ତେଜସ୍ବୀ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଯେଉଁପରି ଭାବରେ ମହିଳାଙ୍କ ଲାଗି ୫ ଶହ ଟଙ୍କା ଭତ୍ତା ବ୍ୟବସ୍ଥା କରାଯାଇଛି ବିହାରରେ ବି ସେହିପରି ଭାବରେ ଭତ୍ତା ବ୍ୟବସ୍ଥା ହେଉ । ଖାଲି ଏତିକି ନୁହେଁ ବରଂ ଲୋକଙ୍କ ବିକାଶ ଲାଗ ଆମେ ସବୁକିଛି କରିବାକୁ ପ୍ରସ୍ତତ ଅଛୁ ।  

ଗତକାଲି ବିହାର ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ । ବିହାର ପାଇଁ ୩.୧୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି ନୀତିଶ ସରକାର । ପୂର୍ବ ଅନୁମାନ ଅନୁସାରେ ବଜେଟ୍ ଆସିଛି, ବିଶେଷଜ୍ଞଙ୍କ ମତରେ ଏଥର ୩.୨୫ ଲକ୍ଷ କୋଟିରୁ ସାଢେ ୩ ଲକ୍ଷ କୋଟି ଭିତରେ ବଜେଟ୍ ଆସିବାର ଅନୁମାନ କରାଯାଉଥିଲା । ତେବେ ଏହି ବଜେଟକୁ ନିର୍ବାଚନୀ ବଜେଟ୍ ବୋଲି କୁହାଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ବଜେଟରେ ବଡ ବୃଦ୍ଧି କରାଯାଇଛି । ବଜେଟରେ ରାଜ୍ୟର ପ୍ରତ୍ୟେକ ବର୍ଗକୁ ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ଏବଂ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ ଡାଲି କିଣିବା ନେଇ ବି ବଜେଟରେ ଘୋଷଣା କରାଯାଇଛି ।