କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରୁ ପଛୁଆ ଅଞ୍ଚଳ ଟ୍ୟାଗ୍ ହଟାଇବାକୁ ସରକାର ଗଢିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଲକ୍ଷ୍ୟ ଥିଲା ଗୋଟିଏ, ଅଞ୍ଚଳର ବିକାଶକୁ ରକେଟ ବେଗରେ ଆଗକୁ ନେବା । ହେଲେ ନୂଆ ସରକାରରେ ଏହାର ବିଲକ୍ଷଣ ଦେଖିବାକୁ ମିଳିଛି । ବିକାଶର ଦାୟିତ୍ୱ ନେଇଥିବା ବିକାଶ ପରିଷଦ ବିକଳାଙ୍ଗ ଅବସ୍ଥାରେ । ବଜେଟ ଘୋଷଣା କରି ସରକାର ବାହାବା ନେଉଛନ୍ତି ହେଲେ ଖର୍ଚ୍ଚ କେମିତି ହେବ ଓ କିଏ କରିବ ତାହାର ଦାୟିତ୍ୱ କାହାକୁ ଦେଉନାହାନ୍ତି ସରକାର ।

Advertisment

ପଶ୍ଚିମ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜନ୍ମ । ହେଲେ ନୂଆ ସରକାରଙ୍କ ଅମଳରେ ମୁରବୀବିହନ ହୋଇପଡିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଗତ ଦେଢ ବର୍ଷ ଧରି ଅଧ୍ୟକ୍ଷ ନିଯୁକ୍ତି କରିନାହାନ୍ତି ସରକାର । ଅପରପକ୍ଷେ ଗତ ୨ ଆର୍ଥିକ ବର୍ଷରେ ୧୦୨୦ କୋଟି ଟଙ୍କାର ବଜେଟ ଅନୁଦାନ ପାଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ହେଲେ ପ୍ରଶ୍ନ ଉଠୁଛି, କାହା ସୁପାରିସରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା ? କିଏ ରଖୁଛି କୋଟି କୋଟି ଟଙ୍କାର ହିସାବକିତାବ ? ଅଧ୍ୟକ୍ଷ ନଥିବା ବେଳେ କାହା ନିର୍ଦ୍ଦେଶରେ ହେଉଛି କାମ ? ପଶ୍ଚିମ ଓଡ଼ିଶାର ବିକାଶ ପାଇଁ କିଏ କରୁଛି ରୋଡମ୍ୟାପ୍ ? କିଛି ଏଭଳି ପ୍ରଶ୍ନଘେରରେ ଛନ୍ଦି ହୋଇଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।

ଅଧିକ ପଢ଼ନ୍ତୁ : ବିଜେଡିରେ ନବୀନଙ୍କ ଉତ୍ତରାଧିକାରୀ କିଏ ? ପଶ୍ଚିମ ଓଡ଼ିଶା ନେତାଙ୍କ ଭିତରେ ଜୋର ଧରିଲା ସ୍ୱର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ପରଠାରୁ ବିକାଶ କମ ବିବାଦ ଭିତରେ ଅଧିକ ଛନ୍ଦି ହୋଇଛି । ମୁଖ୍ୟାଳୟଠାରୁ ଆରମ୍ଭ କରି ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ସବୁବେଳେ ଦେଖିବାକୁ ମିଳିଛି କେଁ । ଏବେ ଅଧ୍ୟକ୍ଷ ନଥିବାରୁ ବିକାଶ ପରିଷଦ ସଦସ୍ୟଙ୍କ ପରାମର୍ଶ ଲୋଡାଯାଉନି । ନିଜ ଅଞ୍ଚଳର ସମସ୍ୟା ଜଣାଇ ପାରୁନଥିବାରୁ ପଶ୍ଚିମ ଓଡ଼ିଶା ନେତାଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି । ଅନ୍ୟପଟେ ଉତ୍ତରାଞ୍ଚଳ ଆରଡିସି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅତିରିକ୍ତ ବୋଝ କାନ୍ଧେଇଥିବାରୁ ଦିଗହରା ହେଉଛି ଅଞ୍ଚଳର ବିକାଶ ।

ପଶ୍ଚିମ ଓଡ଼ିଶାରେ କଣ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି, ଯିଏ ପଶ୍ଚିମ ବିକାଶ ପରିଷଦର ନେତୃତ୍ୱ ନେବ ? ଚର୍ଚ୍ଚା ହେଉଛି, ରାଜନୈତିକ ସ୍ତରରେ ବଡ଼ ନେତାଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ପଙ୍ଗୁ ହେବାକୁ ବସିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ।