surya kumar Photograph: (Kanak news)
କନକ ବ୍ୟୁରୋ: ଭାରତୀୟ ଟ୍ବେଣ୍ଟି-୨୦ କ୍ରିକେଟ୍ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ପାକିସ୍ତାନ ସହ ଖେଳିବାକୁ ଭାରତ ମନା କରିନାହିଁ, ସେମାନେ ମନା କରିଛନ୍ତି। ଏହା ସତ୍ତ୍ବେ ଭାରତୀୟ ଦଳ କଲମ୍ବୋ ଗସ୍ତ କରିବ ଓ ଏଥପାଇଁ ଟିକେଟ୍ ବୁକିଂ ହୋଇସାରିଛି। ବିଶ୍ବକପ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ କହିଛନ୍ତି ଯେ "ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଖେଳିବାକୁ ଆମେ କଲମ୍ବୋ ଯିବୁ। ତାପରେ ଦେଖିବା.."। ଏହି ବିଶ୍ବକପ୍ରେ ଭାରତୀୟ ଦଳର ସମ୍ଭାବନା ବିଷୟରେ ସେ କହିଛନ୍ତି ଯେ ଏଥିରେ ଆହୁରି ୧୯ଟି ଦଳ ଖେଳୁଛନ୍ତି, କିନ୍ତୁ ଯେପରି ଆମେ ଖେଳୁଛୁ, ଲାଗୁଛି ଭାରତ ହିଁ ଏହାର ଫେଭରାଇଟ୍। ବିଶ୍ବକପ୍ ପୂର୍ବରୁ ଲୟ ଫେରିପାଇଥିବାରୁ ଆଶ୍ବସ୍ତ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ... ପାକିସ୍ତାନ ନିଷ୍ପତ୍ତିରେ ଖୁସି ନାହିଁ ବାଂଲାଦେଶ
ବିଶ୍ବକପ୍ ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଫେବ୍ରୁଆରି ୧୫ରେ ବହୁପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି। କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍କୁ ବର୍ଜନ କରିବାକୁ ପାକିସ୍ତାନ ସରକାର ଗତ ସପ୍ତାହରେ ଘୋଷଣା କରିବା ପରେ ମ୍ୟାଚ୍କୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରି ଖୋଦ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେଦବାଜ୍ ସରିଫ୍ ଗୁରୁବାର ଏ ନେଇ ଘୋଷଣା କରିବା ପରେ ସ୍ଥିତି ଜଟିଳ ରହିଛି। ଏହା ସତ୍ତ୍ବେ ଭାରତୀୟ ଦଳ କଲମ୍ବୋ ଯିବାକୁ ପ୍ରସ୍ତୁତ ହେଉଛି। କାରଣ ଆଇସିସିର ନିୟମ ଅନୁସାରେ ଓ୍ବାକ୍-ଓଭର ଅଙ୍କ ପାଇବାକୁ ହେଲେ ଦଳକୁ ପଡ଼ିଆରେ ଉପସ୍ଥିତ ରହି ଅପର ଦଳକୁ ଅପେକ୍ଷା କରିବାକୁ ହେବ। ବିପକ୍ଷ ଦଳ ନ ଆସିଲେ ମ୍ୟାଚ୍ ବାତିଲ ହେବା ସହ ଉପସ୍ଥିତ ଥିବା ଦଳକୁ ୨ ଅଙ୍କ ମିଳିବ।
Follow Us