mohan bhagwat Photograph: (KANAK NEWS)
କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନୀତିକୁ ସମର୍ଥନ କରେ, ବ୍ୟକ୍ତି କିମ୍ବା କୌଣସି ରାଜନୈତିକ ଦଳକୁ ନୁହେଁ । ଆମେ ଜାତୀୟ ନୀତିକୁ ସମର୍ଥନ କରୁ, ରାଜନୀତିକୁ ନୁହେଁ । ଆମର କୌଣସି ଗୋଟିଏ ଦଳ ସହିତ ବିଶେଷ ସମ୍ପର୍କ ନାହିଁ । କୌଣସି ଦଳ ଆମର ନୁହେଁ । ଯଦି କଂଗ୍ରେସ ଦଳ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିକୁ ସମର୍ଥନ କରେ, ତେବେ ଆରଏସଏସ କର୍ମୀମାନେ ମଧ୍ୟ ଏହାକୁ ସମର୍ଥନ କରିବେ । ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ସଂଘକୁ ନେଇ ଦେଇଛନ୍ତି କିଛି ଏମିତି ବୟାନ । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ।
ମୋହନ ଭାଗବତ କହିଛନ୍ତି, "ଆମେ କୌଣସି ରାଜନୈତିକ ଦଳକୁ ସମର୍ଥନ କରୁନାହୁଁ । ଆମେ ନିର୍ବାଚନୀ ରାଜନୀତିରେ ଅଂଶଗ୍ରହଣ କରୁନାହୁଁ । ସଂଘ ସମାଜକୁ ଏକତ୍ର କରିବା ପାଇଁ କାମ କରେ ଏବଂ ରାଜନୀତି ବିଭାଜନକାରୀ । ଆମେ କେବଳ ନୀତିଗୁଡ଼ିକୁ ସମର୍ଥନ କରୁ । ଉଦାହରଣ ସ୍ୱରୂପ, ଆମେ ଅଯୋଧ୍ୟାରେ ରାମ ମନ୍ଦିର ଚାହୁଁଥିଲୁ, ତେଣୁ ଆମର ସ୍ୱୟଂସେବକମାନେ ଏହାର ନିର୍ମାଣ ସପକ୍ଷରେ ଠିଆ ହୋଇଥିଲେ ।
"ଆମର କୌଣସି ଗୋଟିଏ ଦଳ ପ୍ରତି ବିଶେଷ ଆସକ୍ତି ନାହିଁ । କୌଣସି ଦଳ ଆମର ନୁହେଁ ଏବଂ ସମସ୍ତ ଦଳ ଆମର, କାରଣ ସେମାନେ ଭାରତୀୟ ଦଳ । ଆମେ ରାଜନୀତି ନୁହେଁ, ଜାତୀୟ ନୀତିକୁ ସମର୍ଥନ କରୁ। ଆମର ନିଜସ୍ୱ ଦୃଷ୍ଟିକୋଣ ଅଛି ଏବଂ ଆମେ ଚାହୁଁଛୁ ଯେ ଦେଶ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରୁ। ଯେଉଁମାନେ ଦେଶକୁ ସେହି ଦିଗରେ ନେଇଯିବେ ଆମେ ସେମାନଙ୍କୁ ସମର୍ଥନ କରିବୁ"
ଭାରତ ମାତାର ପୁଅ ଭାବରେ ଶାଖାକୁ ଆସ: ଭାଗବତ
ମୋହନ ଭାଗବତଙ୍କ ପଚରାଯାଇଥିଲା ଯେ, ମୁସଲମାନମାନଙ୍କୁ RSSର ଅଂଶ ହେବାକୁ ଅନୁମତି ଦିଆଯାଇଛି କି ନାହିଁ? ଏହାର ଉତ୍ତର ଦେଇ ଭାଗବତ କହିଥିଲେ, ସଂଘରେ କୌଣସି ବ୍ରାହ୍ମଣଙ୍କୁ ଅନୁମତି ନାହିଁ, କୌଣସି ଜାତିର ବ୍ୟକ୍ତିଙ୍କୁ ଅନୁମତି ନାହିଁ, କୌଣସି ମୁସଲମାନଙ୍କୁ ଅନୁମତି ନାହିଁ, କୌଣସି ଖ୍ରୀଷ୍ଟିଆନଙ୍କୁ ଅନୁମତି ନାହିଁ । ବିଭିନ୍ନ ସମ୍ପ୍ରଦାୟର ଲୋକମାନେ, ମୁସଲମାନ କିମ୍ବା ଖ୍ରୀଷ୍ଟିଆନ, ସେମାନଙ୍କର ପୃଥକ ପରିଚୟ ବଜାୟ ରଖି ସଂଘକୁ ଆସିପାରିବେ। ଯେତେବେଳେ ଆପଣ ଶାଖାକୁ ଆସନ୍ତି, ଆପଣ ଭାରତ ମାତାର ପୁଅ ଭାବରେ ଆସନ୍ତି । ମୁସଲମାନ ଏବଂ ଖ୍ରୀଷ୍ଟିଆନ ଶାଖାକୁ ଆସନ୍ତି, କିନ୍ତୁ ଆମେ ସେମାନଙ୍କୁ ଗଣନା କରୁନାହୁଁ, ଆମେ ପଚାରୁନାହୁଁ ଯେ ସେମାନେ କିଏ।"
ଆହୁରି ପଢ଼ନ୍ତୁ : ନୂଆପଡ଼ାରେ ଏବେ ‘ବିଭୀଷଣ’ ଡର: ତିନି ଦଳ ଖୋଜୁଛନ୍ତି ନିଜ ନିଜ ବିଭୀଷଣ
ଏହାସହ ଭାଗବତ ଅନେକ କଂଗ୍ରେସ ନେତାଙ୍କ ଦ୍ୱାରା ଉଠାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ କାହିଁକି RSS ଏକ ପଞ୍ଜିକୃତ ସଂଗଠନ ନୁହେଁ। ସେ କହିଥିଲେ, ଏହି ଉତ୍ତର ଅଗଣିତ ଥର ଦିଆଯାଇଛି, କିନ୍ତୁ ଯେଉଁମାନେ ପ୍ରଶ୍ନ ଉଠାଇବାକୁ ଚାହୁଁଛନ୍ତି ସେମାନେ ଏହାକୁ ବାରମ୍ବାର ଦୋହରାଉଛନ୍ତି। ସଂଘ ୧୯୨୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଆପଣ କ'ଣ ଆଶା କରନ୍ତି ଯେ ଆମେ ବ୍ରିଟିଶ ସରକାରଙ୍କ ପାଖରେ ପଞ୍ଜୀକରଣ କରିବୁ? ସ୍ୱାଧୀନତା ପରେ, ଆଇନ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିନଥିଲା। ଆମକୁ ବ୍ୟକ୍ତିମାନଙ୍କ ସଂଘ ଭାବରେ ବର୍ଗୀକୃତ କରାଯାଇଛି ଏବଂ ଆମେ ଏକ ସ୍ୱୀକୃତିପ୍ରାପ୍ତ ସଂଗଠନ।"
"ଆମକୁ ତିନିଥର ନିଷିଦ୍ଧ କରାଯାଇଥିଲା, ତେଣୁ ସରକାର ଆମକୁ ସ୍ୱୀକୃତି ଦେଇଛନ୍ତି। ଯଦି ଆମେ ନ ଥିଲୁ, ତେବେ ସେମାନେ କାହାକୁ ନିଷିଦ୍ଧ କରିଥିଲେ? ପ୍ରତ୍ୟେକ ଥର କୋର୍ଟ ଏହି ନିଷେଧକୁ ପ୍ରତ୍ୟାହାର କରିଛନ୍ତି। ଅନେକ ଥର, ବିଧାନସଭା ଏବଂ ସଂସଦରେ RSS ସମର୍ଥନ ଏବଂ ବିରୋଧ ପାଇଁ ପ୍ରଶ୍ନ ପଚରାଯାଏ ଏବଂ ବିବୃତ୍ତି ଦିଆଯାଏ। ଆଇନଗତ ଏବଂ ବାସ୍ତବ ଦୃଷ୍ଟିରୁ, ଆମେ ଏକ ସଂଗଠନ। ଆମେ ଅସାମ୍ବିଧାନିକ ନୁହେଁ, ତେଣୁ ଆମର ପଞ୍ଜିକରଣ ଆବଶ୍ୟକ ନାହିଁ। ଅନେକ ଜିନିଷ ଅଛି ଯାହା ପଞ୍ଜିକୃତ ନୁହେଁ। ଏପରିକି ହିନ୍ଦୁ ଧର୍ମ ମଧ୍ୟ ପଞ୍ଜିକୃତ ନୁହେଁ।"
ଜାଣିରଖିବା ଉଚିତ ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କଂଗ୍ରେସ ନେତାମାନଙ୍କ ଦ୍ୱାରା ଲଗାତାର ଟାର୍ଗେଟ୍ ହେବା ପରେ ଆରଏସଏସ ମୁଖ୍ୟଙ୍କ ଏହି ମନ୍ତବ୍ୟ ଆସିଛି । ଗତ ମାସରେ ଖଡଗେ କହିଥିଲେ ଯେ, ତାଙ୍କର ବ୍ୟକ୍ତିଗତ ମତ ହେଉଛି ଆରଏସଏସକୁ ନିଷିଦ୍ଧ କରାଯିବା ଉଚିତ । ଏହାସହିତ କଂଗ୍ରେସ ସଭାପତିଙ୍କ ପୁଅ ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡଗେ ମଧ୍ୟ ଆରଏସଏସକୁ ସମାଲୋଚନା କରିଥିଲେ ।
Follow Us