କନକ ବ୍ୟୁରୋ: ଉପନିର୍ବାଚନରେ ‘ମ୍ୟାନେଜ୍‌ମେଣ୍ଟ୍’ ରଣନୀତି କେବଳ ଭୋଟରଙ୍କ ପାଖରେ ସୀମିତ ନାହିଁ । ନିଜ ଦଳର ଅସନ୍ତୁଷ୍ଟଙ୍କୁ ଜଗିବା ଓ ସେମାନଙ୍କୁ ‘ମ୍ୟାନେଜ୍’ କରିବା ଏବେ ତିନି ଦଳ ପାଇଁ କାଠିକର ପାଠ ହେଲାଣି । ଦିନ ଯେତିକି ପାଖୋଉଛି, ଅବିଶ୍ବାସର ବାତାବରଣ ସେତିକି ବଢ଼ୁଛି । ତେବେ ପ୍ରତିଟି ଦଳରେ ଏବେ ନିଜ ଲୋକଙ୍କ ଉପରେ ସନ୍ଦେହର ଚକ୍ଷୁ ଅଧିକ ରହିଛି । ନୂଆପଡ଼ାକୁ ନିରିଖେଇ ଦେଖିଲେ ଜଣାପଡୁଛି, ତିନି ଦଳ ଭିତରେ ଏବେ ସନ୍ଦେହ ଆଉ ଅବିଶ୍ୱାସ ଭରି ରହିଛି । ତେଣୁ ଏବେଠୁ ନିଜ ନିଜ ଦଳରେ ବିଭୀଷଣ ଖୋଜିବା ଆରମ୍ଭ କରିଛନ୍ତି ପାର୍ଟି ମୁଖିଆ ।

Advertisment

ଚର୍ଚ୍ଚା ହେଉଛି ଏଥର କଂଗ୍ରେସ ତୁଳନାରେ ବିଜେପି ଓ ବିଜେଡିରେ ସନ୍ଦେହ, ଅବିଶ୍ବାସ ଅଧିକ ରହିଛି । ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ହିଁ ଏହାର ଏକମାତ୍ର କାରଣ ବୋଲି କୁହାଯାଉଛି । ତେବେ ଦଳ ଭିତରେ ଥିବା ବିଭୀଷଣଙ୍କ ଭୟ ଏବେ ନେତାଙ୍କ ଟେନସନକୁ ବଢ଼ାଇ ଦେଇଛି । କାହିଁକି ନା, ବିଜେପି ଜୟ ଢୋଲକିଆଙ୍କୁ ଅଚାନକ ବିଜେଡିରୁ ଆଣି ପ୍ରାର୍ଥୀ କଲା। ଫଳରେ ବିଜେପିର ପୁରୁଣା ଆଶାୟୀମାନେ ହତାଶ ହେଲେ। ଜୟଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ଏହି ଅସନ୍ତୁଷ୍ଟ ପୁରୁଣା ବିଜେପି ନେତାମାନଙ୍କୁ ରାଜ୍ୟ ନେତୃତ୍ବ ବୁଝାସୁଝା କରିଛନ୍ତି । କିନ୍ତୁ ଅସନ୍ତୁଷ୍ଟ ନେତାମାନେ କେତେ ପ୍ରତିଶତ ଜୟଙ୍କୁ ଗ୍ରହଣ କଲେ, ତାହା ଫଳାଫଳ ଦିନ ହିଁ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ : 'ଇଲେକ୍ସନ ପୂର୍ବଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍ '

ତେବେ ନୂଆପଡ଼ା ବିଜେପିରେ ଏହି ସନ୍ଦେହ ପଛର କାରଣ ହେଲା, ଜୟ ଢୋଲକିଆ ନିର୍ବାଚନ ଜିତିଲେ ଅନେକ ପୁରୁଣା ବିଜେପି ନେତାଙ୍କ ଭବିଷ୍ୟତ ଅନିଶ୍ଚିତତାକୁ ଠେଲି ହୋଇଯିବ । ଏହାସହ ଯାହା ବିରୋଧରେ ସେମାନେ ଲମ୍ବା ସମୟ ଧରି ଲଢ଼େଇ କରୁଥିଲେ ତାଙ୍କରି ପୁଅଙ୍କୁ ଗ୍ରହଣ କରିବା ମୁଡ୍‌ରେ, ଏବେ ସେମାନେ ନାହାଁନ୍ତି ।  ସେପଟେ ବିଜେଡିରେ ଥିବା ଢୋଲକିଆଙ୍କର କିଛି ଅନୁଗତ ଏବେ ବିଜେପିରେ ଜୟଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବାରୁ ବିଜେପି ନେତାମାନଙ୍କୁ ଏହା ହଜମ ହେଉନି। ଯାହାକି ବିଜେପି ଦଳରେ ବିଭୀଷଣଙ୍କୁ ଜନ୍ମ ଦେଇଛି ।

ବିଜେପି ଭଳି ବିଜେଡିରେ ବି ସମାନ ସ୍ଥିତି । ଜୟ ଢୋଲକିଆ ବିଜେପିକୁ ଗଲା ପରେ ବିଜେଡିରେ ଆଶାୟୀ କମ୍ ନଥିଲେ। ବର୍ଷ ବର୍ଷ ଧରି ବିଜେଡି ସଂଗଠନକୁ ସୁଦୃଢ଼ କରିବାରେ ଅନେକ ନେତା ବଡ଼ ଭୂମିକା ନେଇଥିଲେ। କିନ୍ତୁ ବିଜେଡି ଜିଲ୍ଲା ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଲା। ପରବର୍ତ୍ତୀ ସମୟରେ ବିଜେଡି ତା’ର ସବୁ କଳବଳ କୌଶଳ ଖଟାଇ ସ୍ନେହାଙ୍ଗିନୀଙ୍କ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାରେ ସକ୍ଷମ ହୋଇଛି। କିନ୍ତୁ ଅନ୍ୟ ଆଶାୟୀମାନେ ତାଙ୍କ ସହ ବୁଲୁଥିଲେ ବି ଦଳ ସମ୍ପୂର୍ଣ୍ଣ ଭରସା କରିପାରୁନି। ବାହାରୁ ଯାଇଥିବା ନେତା ଏବେ ଛକମୁଣ୍ଡରେ ଛାଇ ପରି ରହୁଛନ୍ତି । କେମିତି ଏହି ଅସନ୍ତୁଷ୍ଟ ନେତାମାନେ ଦଳକୁ କ୍ଷତି ନପହଞ୍ଚାଇବେ ସେଥିପାଇଁ ବିଜେଡି ବି ବେଶ ସତର୍କ ରହିଛି ।

ଆହୁରି ପଢ଼ନ୍ତୁ : କିଏ କାଟିବ କାହାର ପତ୍ତା ?  ଦ୍ୱିତୀୟ ଦଫାରେ ୧୨୨ଟି ସିଟରେ ପଡ଼ିବ ଭୋଟ୍, ଜାଣନ୍ତୁ ପୂରା ଗଣିତ...

ଏ ତ ଥିଲା ବିଜେଡି ଆଉ ବିଜେପି କଥା । ହେଲେ କଂଗ୍ରେସରେ କିନ୍ତୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇନି । ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ କଂଗ୍ରେସରେ ବି ଏବେ ଏମିତି କିଛି ନେତା ଅଛନ୍ତି, ଯିଏକି ଦଳ ପାଇଁ ବିଭୀଷଣ ହେଇପାରନ୍ତି । ଏହି ନେତାମାନଙ୍କୁ ନିଜ ପଟକୁ ନେବା ପାଇଁ ବିଜେଡି ଓ ବିଜେପି ଉଦ୍ୟମ ଚଳାଇଛନ୍ତି । ଯାହାକି ଘାସିରାମଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ପ୍ରଚାର ସରିବାକୁ ଯାଉଛି, ଆଉ ଆଗକୁ ଭୋଟ୍ ପଡ଼ିବାକୁ ଯାଉଛି । ହେଲେ ଭୋଟ୍ ପଡ଼ିବା ପୂର୍ବରୁ ବାକି ରହିଥିବା ଏତିକି ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ହିଁ ତିନି ଦଳର ସ୍ଥାନୀୟ ନେତା ଶେଷ ରଣନୀତିକୁ କାର୍ଯ୍ୟକାରୀ କରିବେ । ଆଉ ଏହି ସମୟରେ ବିଭୀଷଣଙ୍କୁ ଜଗିଛନ୍ତି ତିନି ଦଳର ପାର୍ଟି ମୁଖିଆ ।