Photograph: (kanaknews)
କନକବ୍ୟୁରୋ : ଶହ ଶହ କୋଟି ଟଙ୍କା ଖର୍ଚ୍ଚ ପରେ ବି ପାନୀୟ ଜଳ ଯୋଗାଣରେ ଫେଲ୍ ୱାଟ୍କୋ। ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପରେ ମହାଦୁର୍ନୀତି ଅଭିଯୋଗ। ବିଭିନ୍ନ ସ୍ଥାନରେ ଏବେ ପାଇପ୍ ଫାଟୁଥିବା ବେଳେ ରୋଗ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି । ୱାଟ୍କୋର ମନମାନିକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ବି ଚୁପ୍ ବସିଛି।
ପାଣି ପାଇପ୍ ଫାଟି କୃତ୍ରିମ ବନ୍ୟା ସ୍ଥିତି। ତଦାରଖ କରିବାକୁ ବି କେହି ନାହାନ୍ତି। ସମ୍ବଲପୁର ସହରର ଏ ଦୃଶ୍ୟ। କେତେବେଳେ ଭତରାରେ ତ କେତେବେଳେ ଲକ୍ଷ୍ମୀ ଟକିଜ ରାସ୍ତା। ପୁଣି କେତେବେଳେ ଅଇଁଠାପାଲି ଏବଂ ଧନୁପାଲି ମହାବୀର ଛକ। ସବୁଠି ସମାନ ଅବସ୍ଥା। ପ୍ରତିଦିନ କେଉଁଠି ନା କେଉଁଠି ଫାଟୁଛି ପାଇପ୍। କିଛି ଦିନ ପୂର୍ବରୁ ୱାଟକୋର ପାଇପ୍ ଫାଟି ଜଣେ ଚାଷୀଙ୍କ ୭୦୦ ବସ୍ତା ଧାନ ମଧ୍ୟ ବର୍ବାଦ ହୋଇଥିଲା। ଅଭିଯୋଗ ହେଉଛି, ନିମ୍ନମାନର କାମ ଏବଂ ଶସ୍ତା ପାଇପ୍ ବିଛାଯାଇଥିବାରୁ ଏଭଳି ସ୍ଥିତି ଉପୁଜୁଛି।
ଏପଟେ ଅଇଁଠାପାଲିରେ ନିର୍ମାଣ ହେଉଥିବା ଓଭର୍ ବ୍ରିଜ୍ ପାଇଁ ପାଇପ ସ୍ଥାନାନ୍ତର ହେବା କଥା। ଏଥିପାଇଁ ୨୨ କୋଟିର ବ୍ୟୟ ଅଟକଳ କରାଯାଇଥିଲା। ପାଇପ ସ୍ଥାନାନ୍ତର ନହେଲେ ଫାଟିବାର ଆଶଙ୍କା ପ୍ରକାଶ କରାଯାଇଥିଲା। ଯେଉଁ ଆଶଙ୍କା ଏବେ ସତ ହୋଇଛି। ଏବେ ବି ପୁରୁଣା ପାଇପରେ ହେଉଛି ଜଳ ଯୋଗାଣ। ଏପଟେ ୨୦୧୪ ଜଣ୍ଡିସ ଆତଙ୍କ ପରେ ପ୍ରାୟ ୧୬୦ କୋଟି ଟଙ୍କା ଖର୍ଚ୍ଚରେ ନୂଆ ପାଇପ୍ ବିଛାଯାଇଥିଲା। ପ୍ରାୟ ୫୦୦ କିମିରୁ ଅଧିକ ନୂଆ ପାଇପ୍ ବିଛାଯାଇଥିବା କହିଥିଲା ୱାଟ୍କୋ। କିନ୍ତୁ ତାହା ଢାହା ମିଛ ବୋଲି ଏବେ ପ୍ରମାଣିତ ହୋଇଛି।
Follow Us