କନକ ବ୍ୟୁରୋ : ୱାଟକୋ ଏବଂ ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ପୁଣି ଥରେ ଜଣେ ଚାଷୀଙ୍କୁ କାନ୍ଦିବାକୁ ପଡିଛି । ସମ୍ବଲପୁର ସହରର ଭତରା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ପିଏଚ୍‌ଡି ପାଇପ୍ ଫାଟିବା କାରଣରୁ ଲକ୍ଷାଧିକ ଟଙ୍କାର ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ଭତରା ହସ୍ପିଟାଲ ରୋଡ୍ ନିକଟରେ ଚାଷୀ କୁବେର ଭୁକ୍ତା ନିଜର ଅମଳ ଧାନକୁ ଏକ ଖଳାରେ ଗଚ୍ଛିତ କରି ରଖିଥିଲେ । ତେବେ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ହଠାତ୍ ଖଳା ନିକଟରେ ଯାଇଥିବା ୱାଟକୋର ପାନୀୟ ଜଳ ଯୋଗାଣ ପାଇପ୍ ଫାଟି ଯାଇଥିଲା । ପାଇପ୍ ଫାଟିବା ମାତ୍ରେ ପ୍ରବଳ ବେଗରେ ପାଣି ମାଡି ଆସି ଖଳାରେ ଥିବା ଧାନ ବସ୍ତାଗୁଡ଼ିକୁ ବୁଡାଇ ଦେଇଥିଲା । ରାତିରୁ ସକାଳ ପର୍ଯ୍ୟନ୍ତ ପାଣି ଲିକେଜ୍ ହେବା ଫଳରେ ଚାଷୀ କୁବେର ଭୁକ୍ତାଙ୍କର ପ୍ରାୟ ୭୦୦ ବସ୍ତା ଧାନ ସମ୍ପୂର୍ଣ୍ଣ ଭାବେ ଓଦା ହୋଇଯାଇଛି ।

Advertisment

ଆକଳନ ଅନୁଯାୟୀ, ନଷ୍ଟ ହୋଇଥିବା ଧାନର ମୂଲ୍ୟ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ହେବ । ବର୍ଷ ସାରା ହାଡ଼ଭଙ୍ଗା ପରିଶ୍ରମ କରି ଅମଳ କରିଥିବା ସୁନା ଫସଲ ଆଖି ଆଗରେ ନଷ୍ଟ ହେଉଥିବା ଦେଖି ଚାଷୀ ଜଣକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅଭିଯୋଗ ହୋଇଛି ଯେ, ପିଏଚଡି ଅଧୀନରେ କାମ କରୁଥିବା ଶିବଶକ୍ତି ନାମକ ଠିକା ସଂସ୍ଥାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଆଜି ଚାଷୀଙ୍କୁ ଏଭଳି କ୍ଷତି ସହିବାକୁ ପଡିଛି । ପାଇପ ଲିକେଜ୍‌କୁ ରୋକିବା ପାଇଁ ସଠିକ ସମୟରେ ପଦକ୍ଷେପ ନିଆଯାଇ ନଥିବାରୁ ଏତେ ବଡ଼ ଧରଣର କ୍ଷତି ଘଟିଲା ବୋଲି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀ କୁବେର ଭୁକ୍ତାଙ୍କୁ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।

ଅଧିକ ପଢ଼ନ୍ତୁ--ହାଡ଼ ଭଙ୍ଗା ଶୀତ ରାତିରେ ଧାନ ଖଳାରେ ଜଗି ବସିଛି ଚାଷୀ