/filters:format(webp)/kanak/media/media_files/2025/12/02/vp-singh-2025-12-02-13-08-51.jpg)
କନକ ବ୍ୟୁରୋ: ୧୯୮୯ ମସିହା ଡିସେମ୍ବର ମାସ ୨ ତାରିଖ । ଆଜିକୁ ଠିକ୍ ୩୬ ବର୍ଷ ତଳେ ରାଷ୍ଟ୍ରପତି ଭବନର ଅଶୋକ ହଲରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ଥିଲେ ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ ବା ଭି.ପି. ସିଂହ । ସେତେବେଳେ ଭିପି ସିଂହଙ୍କୁ ନେଇ ଗୋଟିଏ କଥା ବେଶ ଚର୍ଚ୍ଚାରେ ରହିଥିଲା, ତାହା ଥିଲା ‘ରାଜା ନୁହେଁ ଫକୀର, ଦେଶର ତକଦୀର’ । ଅର୍ଥାତ ଦେଶର ପ୍ରଧାନମନ୍ତ୍ରୀ ଭାବେ ୩୨୩ ଦିନ ରାଜ୍ କରିଥିବା ଏହି ନେତା ଜଣକ ଜଣେ ଫକୀର ଭାବେ ଭାରତୀୟ ରାଜନୀତିରେ ବେଶ ଚର୍ଚ୍ଚିତ ବ୍ୟକ୍ତି ଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ରାଜୀବ ଗାନ୍ଧୀଙ୍କ ଏହି ଖାସ୍ ମନ୍ତ୍ରୀ ଜଣକଙ୍କୁ ଗୋଟିଏ କାଗଜ ହିଁ ସତ୍ତାର ଶିଖରରେ ପହଞ୍ଚାଇ ଦେଇଥିଲା । ଆଉ ରାଜୀବ ଗାନ୍ଧୀଙ୍କ ସରକାରକୁ ଧୂଳି ଚଟାଇଥିଲା ।
/filters:format(webp)/kanak/media/media_files/2025/12/02/vp-singh-rajiv-gandhi-2025-12-02-13-09-24.jpg)
ରାଜୀବଙ୍କ ଖାସ୍ ମନ୍ତ୍ରୀ, ବନିଗଲେ ବିରୋଧୀ
୧୯୮୪ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ବନନ୍ତି । ସେତେବେଳେ ରାଜୀବଙ୍କ ଉପରେ ସହାନୁଭିତର ଭୋଟ୍ ବର୍ଷା ହୋଇଥିଲା । ଆଉ କଂଗ୍ରେସ ଏହି ନିର୍ବାଚନରେ ୪୧୫ ସିଟ୍ ଜିତି ସରକାର ଗଢ଼ିଥାଏ । ସେତେବେଳେ କୁହାଯାଉଥିଲା ଏ ସରକାର ୨୦ରୁ ୨୫ ବର୍ଷ ଚାଲିବ । ଆଉ ସେତେବେଳେ ରାଜୀବଙ୍କ ଏହି ସରକାରରରେ ପ୍ରତିରକ୍ଷା ଆଉ ଅର୍ଥ ବିଭାଗ ଭଳି ପ୍ରମୁଖ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ ବିଶ୍ୱନାଥ ପ୍ରତାପ ସିଂହ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଏହି ନେତାଙ୍କୁ ସେତେବେଳେ ପ୍ରଥମେ ଅର୍ଥ ବିଭାଗ ଆଉ ପରେ ପରେ ୧୯୮୭ ମସିହାରେ ପ୍ରତିରକ୍ଷା ବିଭାଗର ମନ୍ତ୍ର ପଦ ଦିଆଯାଇଥିଲା । ହେଲେ ସେହିବର୍ଷ ଅର୍ଥାତ ୧୯୮୭ ମସିହାରେ ହିଁ ସ୍ୱିଡିସ୍ ରେଡିଓ (ସ୍ୱିଜରଲ୍ୟାଣ୍ଡର ରେଡିଓ) ଗୋଟିଏ ଖବର ଚଲାଇଥିଲା ଯେ, ଭାରତରେ ୪୧୦ କୋଟିର ବୋଫର୍ସ ଡିଲରେ ୬୪ କୋଟି ଟଙ୍କାର ଲାଞ୍ଚ ବଣ୍ଟାଯାଇଛି । ଏହି ଖବର ପ୍ରକାଶ ପାଇବା ପରେ ଭି.ପି ସିଂହ ଏହାର ତଦନ୍ତ ଆରମ୍ଭ କରିଥିଲେ । ଆଉ ଏହି ଯାଞ୍ଚରେ ଯେଉଁ ବ୍ୟକ୍ତି ସାମ୍ନାକୁ ଆସିଥିଲେ, ସେ ଥିଲେ ଜଣେ ଇଟାଲୀୟ ବ୍ୟବସାୟୀ । ଯିଏକି ରାଜୀବ ଗାନ୍ଧୀ ଆଉ ସୋନିଆ ଗାନ୍ଧୀଙ୍କ ପାରିବାରିକ ବନ୍ଧୁ ଥିଲେ ।
ଏହି ସମୟରେ ଅତି ନାଟକୀୟ ଢଙ୍ଗରେ ଭିପି ସିଂହଙ୍କଠାରୁ ପ୍ରତିରକ୍ଷା ବିଭାଗ ହଟାଇ ନିଆଯାଇଥିଲା । ଆଉ ତାଙ୍କୁ ଅର୍ଥ ବିଭାଗରେ ରଖାଯାଇଥିଲା । ହେଲେ ଭିପି ସିଂହ କିନ୍ତୁ ଅଟକି ନଥିଲେ । ୧୯୮୭ ମସିହା ଏପ୍ରିଲ ୧୬ ତାରିଖରେ ସେ ବୋଫର୍ସ ଯାଞ୍ଚର ଫାଇଲ୍ ନେଇ ଲୋକସଭାରେ ପହଞ୍ଚିଥିଲେ । ଆଉ କ୍ୟାବିନେଟରୁ ଇସ୍ତଫା ଦେଇ ଦେଇଥିଲେ ।
ଆହୁରି ପଢ଼ନ୍ତୁ : ୟୁପିରେ କିଏ ସମ୍ଭାଳିବ ବିଜେପିର କମାଣ? ଯୋଗୀଙ୍କ ସହ RSSର ଜୋରଦାର ମିଟିଂ
କ୍ୟାବିନେଟରୁ ଇସ୍ତଫା, ଜନତା ଦଳ ଗଠନ
କ୍ୟାବିନେଟରୁ ଇସ୍ତଫା ଦେବା ସହିତ ଭିପି ସିଂହଙ୍କୁ କଂଗ୍ରେସ ଦଳରୁ ମଧ୍ୟ ବହିଷ୍କାର କରାଯାଇଥିଲା । ଆଉ ସେହି ଦିନଠୁ ରାଜୀବ ଗାନ୍ଧୀଙ୍କ ପାଇଁ ସବୁଠୁ ବଡ଼ ଦୁର୍ବଳତା ପାଲଟିଯାଇଥିଲା ବୋଫର୍ସ ଦୁର୍ନୀତି । ଭିପି ସିଂହଙ୍କ ଇସ୍ତଫା ପରେ ଅରୁଣ ନେହେରୁ, ଅର୍ଜୁନ ସିଂହ, ମାଧବରାଓ ସିନ୍ଧିଆ, ଏନଡି ତିୱାରୀ, ଏବଂ ଭିସି ଶୁକ୍ଲାଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାମାନେ ବିଦ୍ରୋହ କରି ତାଙ୍କ ସହିତ ଯୋଗ ଦେଇଥିଲେ । ତା ସହିତ ଚୌଧୁରୀ ଦେବୀଲାଲ, ଚନ୍ଦ୍ରଶେଖର, ହେମବତୀ ନନ୍ଦନ ବହୁଗୁଣା ଏବଂ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଭଳି ପୁରୁଣା ସମାଜବାଦୀ ନେତାମାନେ ମଧ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ । ଆଉ ୧୧ ଅକ୍ଟୋବର, ୧୯୮୮ରେ ମସିହାରେ ଜନ୍ମ ନେଇଥିଲେ ଜନତା ଦଳ ।
ଜନତା ଦଳର ଗଠନ ପରେ ଭିପି ସିଂହ ଏହାର ସଭାପତି ହୋଇଥିଲେ। ଆଉ ତା’ପରେ ଦେଶର ସବୁଠାରୁ ବଡ଼ ଜନ ଆନ୍ଦୋଳନ ଆରମ୍ଭ ହୋଇଥିଲା । ହରିୟାଣାରୁ ତାମିଲନାଡୁ, ବିହାରରୁ ଗୁଜରାଟ ପର୍ଯ୍ୟନ୍ତ, ପ୍ରତ୍ୟେକ ରାଲିରେ ସମାନ ଦୃଶ୍ୟ । ଭିପି ସିଂହ ମଞ୍ଚ ଉପରକୁ ଚଢ଼ି ତାଙ୍କ ପକେଟରୁ ଏକ ଛୋଟ ଧଳା ସ୍ଲିପ୍ କାଢ଼ି ହାତ ଉଠାଇ ଚିତ୍କାର କରୁଥିଲେ ଆଉ କହୁଥିଲେ, "ଦେଖନ୍ତୁ! ଏହି କାଗଜରେ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଅଛି! ବୋଫର୍ସ ଦୁର୍ନୀତିରେ ଲାଞ୍ଚ ନେଇଥିବା ଲୋକଙ୍କ ନାମ! ଯଦି ମୁଁ କ୍ଷମତାକୁ ଆସେ, ତେବେ ମୁଁ ୧୫ ଦିନ ମଧ୍ୟରେ ସମସ୍ତ ଟଙ୍କା ଫେରାଇ ଆଣିବି!" । ବାସ୍ ଭିପିଙ୍କ ଏହି କଥା ହିଁ ଲୋକଙ୍କ ମନକୁ ଛୁଇଁଯାଇଥିଲା ।
/filters:format(webp)/kanak/media/media_files/2025/12/02/vp-singh-2025-12-02-13-10-54.jpg)
ଲୋକସଭା ନିର୍ବାଚନ, ବାଜି ମାରିଲେ ଭିପି
ଏହା ପରେ ପରେ ୧୯୮୯ ଲୋକସଭା ନିର୍ବାଚନ ହେଲା । ନଭେମ୍ବର ୨୨ ରୁ ୨୬ ପର୍ଯ୍ୟନ୍ତ ଭୋଟ୍ ପଡ଼ିଲା, ଆଉ ଡିସେମ୍ବର ୧ ଫଳାଫଳ ଆସିଲା । ତେବେ ସେଦିନ ରେଜଲ୍ଟ ସମସ୍ତଙ୍କୁ ଚମକାଇ ଦେଇଥିଲା । ପୂର୍ବ ନିର୍ବାଚନରେ ୪୧୫ ଆସନ ଜିତିଥିବା କଂଗ୍ରେସ ଏଥର ପାଇଥିଲା ମାତ୍ର ୧୯୭ ଆସନ । ଅନ୍ୟପଟେ ଏହି ନିର୍ବାଚନରେ ଜନତା ଦଳ ୧୪୩ ଆସନ , ବିଜେପି ୮୫ ଆସନ ଏବଂ ବାମପନ୍ଥୀ ଦଳମାନେ ୪୫ ଆସନ ଜିତିଥିଲେ । ଆଉ କେନ୍ଦ୍ରରେ ବନିଥିଲା ଜନତା ପାର୍ଟିର ସରକାର । ଭିପି ସିଂହ ଏହାର ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ରାଜୀବ ଗାନ୍ଧୀ ଏହି ନିର୍ବାଚନ ହାରିଯାଇଥିଲେ ।
କୁହାଯାଏ ଭିପି ସିଂହ ଯେଉଁ ବୋଫର୍ସ ଦୁର୍ନୀତି କଥାକୁ ନେଇ କ୍ଷମତାକୁ ଆସିଥିଲେ, ତାହା ଆଜି ବି ରହସ୍ୟ ଘେରରେ । ସରକାରକୁ ଆସିବା ପରେ ଦୁର୍ନୀତିର ସେହି ପେଡ଼ି କୁଆଡ଼େ ଗଲା? ସ୍ୱିସ୍ ବ୍ୟାଙ୍କର ସେ ଆକାଉଣ୍ଟ ନମ୍ବର କିଏ ଜାଣିଲା ତାହା କେହି ବି ଜାଣିନାହାଁନ୍ତି । ଏ ସମ୍ପର୍କିରେ କୌଣସି ନା ମଧ୍ୟ ସାର୍ବଜନୀନ ହୋଇପାରିନଥିଲା । ହେଲେ ଆଜି ବି ବୋଫର୍ସ ଦୁର୍ନୀତି କଥା ଆସିଲେ, ରାଜୀବ ଗାନ୍ଧୀ ସରକାରର କଥା ମନେପଡ଼େ । ରାଜୀବ ଗାନ୍ଧୀଙ୍କ ସମର୍ଥକମାନେ ଏହି କଥାକୁ କେବଳ ଇଲେକ୍ସନ ଜିତିବାର ଷ୍ଟ୍ରାଟେଜି କହୁଥିବାବେଳେ, ଏହା ଏକ ନିର୍ବାଚନୀ ଜୁମଲା ଥିଲା ବୋଲି କହୁଛନ୍ତି । ତେବେ କ୍ଷମତାକୁ ଆସିବା ପରେ ମାତ୍ର ୩୨୩ ଦିନ ପାଇଁ ସତ୍ତାରେ ରହିପାରିଥିଲେ ଭିପି ସିଂହ । ରାମ ମନ୍ଦିର ଆନ୍ଦୋଳନକୁ ନେଇ ସେତେବେଳେ ଆଡଭାନୀଙ୍କ ରଥଯାତ୍ରାକୁ ଲାଲୁ ଯାଦବ ବିହାରରେ ଅଟକାଇବା ପରେ ବିଜେପି ଭିପି ସିଂହ ସରକାରକୁ ସମର୍ଥନ ପ୍ରତ୍ୟାହାର କରିଥିଲା । ଆଉ ନଭେମ୍ବର ୭, ୧୯୯୦ ମସିହାରେ ଭିପି ସିଂହ ସରକାରର ପତନ ଘଟିଥିଲା । ତେବେ ଆଜି ବି ଏହି କଥା କିନ୍ତୁ ଭାରତୀୟ ରାଜନୀତିରେ ଏକ ରୋଚକ କାହାଣୀ ହେଇ ରହିଯାଇଛି । ଯେଉଁଥିରେ ପ୍ରଥମ ଥର ପାଇଁ ଦୁର୍ନୀତିକୁ ନିର୍ବାଚନ ପ୍ରସଙ୍ଗ କରି ଜଣେ ନେତା ପ୍ରଧାନମନ୍ତ୍ରୀ ଆସନରେ ବସିପାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/02/vp-sarkar-2025-12-02-13-21-36.jpg)