କନକ ବ୍ୟୁରୋ: ଭୋଟ୍ ଚୋରିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରେସମିଟ୍ କରିଥିଲେ । ଯେଉଁଥିରେ ସେ ହରିୟାଣା ନିର୍ବାଚନରେ ୨୫ ଲକ୍ଷ ଭୋଟ୍ ଚୋରି ହୋଇଥିବା ନେଇ ଦାବି କରିଥିଲେ । ଖାସ୍ କରି ଏହି ପ୍ରେସମିଟରେ ରାହୁଲ ଜଣେ ବ୍ରାଜିଲ୍ ମଡେଲଙ୍କ ଫଟୋ ଦେଖାଇ ଦାବି କରିଥିଲେ ଯେ ଏହି ମଡେଲ୍ ଜଣକ ଭିନ୍ନ ଭିନ୍ନ ନାମରେ ହରିୟାଣାରେ ୨୨ ଥର ଭୋଟ୍ ଦେଇଛନ୍ତି । ତେବେ ରାହୁଲଙ୍କ ଏହି ସାଙ୍ଘାତିକ ଅଭିଯୋଗ ପରେ ଏବେ ଏହି ବ୍ରାଜିଲର ମଡେଲ୍ ସାମ୍ନାକୁ ଆସିଛନ୍ତି ଆଉ ଏକ ବଡ଼ ଖୁଲାସା କରିଛନ୍ତି ।

Advertisment

ବ୍ରାଜିଲର ଏହି ମଡେଲ୍ ଜଣକ କହିଛନ୍ତି, ଭାଇରାଲ୍ ହେଉଥିବା ଏହି ଫଟୋଟି ତାଙ୍କର ପୁରୁଣା ଫଟୋ, ସେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ହେଇଥିଲା । ତାଙ୍କ ସତ ନାମ ହେଉଛି ଲାରିସା ନେରୀ । ତେବେ ଏହି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ଏନେଇ ଷ୍ଟୋରି ସେୟାର କରିବା ସହିତ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ନେଇ ସଫେଇ ରଖିଛନ୍ତି ।ଲାରିସା ନିଜ ଭିଡିଓରେ ପର୍ତ୍ତୁଗାଲ ଭାଷାରେ କଥା କହୁଛନ୍ତି । ତେବେ ଏହି ଭିଡିଓରେ କହିଛନ୍ତି ଯେ, ଭୋଟ୍ ଚୋରି ଘଟଣାରେ ତାଙ୍କ ନାଁକୁ ଦୁରୁପଯୋଗ କରାଯାଇଛି । ତେବେ ଏହି ଫଟୋ ହେଉଛି ବହୁତ ପୁରୁଣା, ସେତେବେଳେ ତାଙ୍କୁ ୧୮ କିମ୍ବା ୨୦ ବର୍ଷ ହେଇଥିଲା ବୋଲି ଯୁବତୀ ଜଣକ କହୁଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ : ଦିନ ୧୨ଟା ବାଜିଲାଣି, ଏହି ଜାଗାରେ ପଡ଼ିନି ଗୋଟିଏ ବି ଭୋଟ୍ ; ଜାଣନ୍ତୁ, କାରଣ...

ବୁଧବାର ରାହୁଲ ଆଣିଥିଲେ ସାଙ୍ଘାତିକ ଅଭିଯୋଗ 

୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ଉଦାହରଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ବିଜେପି ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ ‘ଭୋଟ୍ ଚୋରି’ ଆକ୍ରମଣକୁ ଜୋର୍‌ଦାର୍‌ କରିଥିଲେ । ରାହୁଲ ଦାବି କରିଥିଲେ , ରାଜ୍ୟରେ ପ୍ରାୟ ୧୨ ପ୍ରତିଶତ ନକଲି ଭୋଟ୍ ପଡ଼ିଛି। କଂଗ୍ରେସର ବିଜୟକୁ ପରାଜୟରେ ପରିଣତ ପାଇଁ କାରସାଦି ହୋଇଥିବା ସେ ଅଭିଯୋଗ କରିଥିଲେ । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଥିଲେ, ହରିୟାଣାରେ ୨ କୋଟି ଭୋଟର ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ନକଲି । ହରିୟାଣାରେ ପ୍ରତି ଆଠ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ନକଲି। ଭୋଟର ତାଲିକାରେ ଅସଙ୍ଗତି ଦେଖାଉଥିବା ସ୍ଲାଇଡ୍ ଉପସ୍ଥାପନ କରି ରାହୁଲ ଜଣେ ବ୍ରାଜିଲୀୟ ମଡେଲଙ୍କ ଫଟୋ ସହ ସୀମା, ସୁଇଟି ଓ ସରସ୍ୱତୀଙ୍କ ପରି ବିଭିନ୍ନ ନାମରେ ଏକାଧିକ ଭୋଟର ରହିଥିବା ଦେଖାଇଥିଲେ। ବିଭିନ୍ନ ନାମରେ ଏହି ନକଲି ଭୋଟର ୨୨ ଥର ଭୋଟ୍ ଦେଇଥିବା ରାହୁଲ ଅଭିଯୋଗ କରିଥିଲେ ।  

ଏହାସହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବା ପାଇଁ ବିଜେପି ଯୋଜନାବଦ୍ଧ ଅପରେସନ୍ ଆୟୋଜନ କରିଥିବା ରାହୁଲ ଅଭିଯୋଗ କରିଥିଲେ । ସେ କହିଥିଲେ, ସମସ୍ତ ଏକ୍‌ଜିଟ୍ ପୋଲ୍ ହରିୟାଣାରେ କଂଗ୍ରେସର ବିଜୟକୁ ସୂଚାଉଛି । ହରିୟାଣା ଇତିହାସରେ ପ୍ରଥମ ଥର ପୋଷ୍ଟାଲ୍ ବାଲଟ୍ ପ୍ରକୃତ ଭୋଟ୍ ସହିତ ମେଳ ଖାଉନାହିଁ । କଂଗ୍ରେସର ବିପୁଳ ବିଜୟକୁ ପରାଜୟରେ ପରିଣତ ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ନିର୍ବାଚନ ପରବର୍ତ୍ତୀ ଏକ ଭିଡିଓକୁ ଦେଖାଇ ସେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କୁ ସମାଲୋଚନା କରିଥିଲେ । 

ଆହୁରି ପଢ଼ନ୍ତୁ : ‘ତାଓ୍ୱାରୁ ରୁଟି ଓଲଟିବା ଦରକାର, ନହେଲେ ଜଳିଯିବ’ : ବିହାରରେ ସରକାର ବଦଳାଇବାଙ୍କୁ ଲାଲୁଙ୍କ ଅପିଲ୍

ରାହୁଲ ଆହୁରି ଅଭିଯୋଗ କରିଥିଲେ ଯେ, ପାଲୱାଲ ଜିଲ୍ଲା ପରିଷଦର ଉପାଧ୍ୟକ୍ଷଙ୍କ ଘର ନମ୍ବର ୧୫୦ରେ ରହୁଥିବା ଜଣେ ବିଜେପି ନେତାଙ୍କ ଠିକଣାରେ ୬୬ ଜଣ ଭୋଟର ପଞ୍ଜୀକୃତ ହୋଇଥିଲେ । ବିହାରରେ ମଧ୍ୟ ସରକାର ଚୋରି ପାଇଁ ଷଡ୍‌ଯନ୍ତ୍ର ଆରମ୍ଭ ହୋଇଛି ବୋଲି ସେ ଦାବି କରିଥିଲେ । ଅନ୍ୟମାନଙ୍କ ନାମ ନେଇ ରାହୁଲ କହିଥିଲେ, ବିଜେପି ନେତା ଦଲଚାନ୍ଦ ଉଭୟ ୟୁପି ଓ ହରିୟାଣାରେ ଭୋଟ୍ ଦେଉଛନ୍ତି । ମଥୁରାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରହ୍ଲାଦ ସମାନ କାର୍ଯ୍ୟ କରୁଛନ୍ତି। ଏହି ସଂଖ୍ୟା ହଜାର ହଜାର ହେବ। ଗାନ୍ଧୀ ‘ହାଉସ୍ ନମ୍ବର ଜିରୋ’ ଭାବରେ ତାଲିକାଭୁକ୍ତ ଠିକଣା ସହିତ ଜଡ଼ିତ ଅନିୟମିତତାକୁ ମଧ୍ୟ ସୂଚାଇଛନ୍ତି, ଯାହା ଭୂମିହୀନଙ୍କ ପାଇଁ ଲେଖାଯାଏ। ସେ କହିଥିଲେ, ଆମେ ଶାରୀରିକ ଭାବରେ ‘ହାଉସ୍ ନମ୍ବର ଜିରୋ’ ଭାବରେ ଚିହ୍ନିତ ଲୋକମାନଙ୍କୁ ପାଇଲୁ, ଯେଉଁମାନେ ପ୍ରକୃତରେ ନିଜ ଘରେ ରହୁଥିଲେ ।