କନକ ବ୍ୟୁରୋ: କେବଳ ଦିନିକିଆ ଅନ୍ତର୍ଜାତୀୟ ଖେଳୁଥିବା ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ମହମ୍ମଦ କୈଫ୍ । ୨୦୨୪ରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପରେ ସେ ଏହି ଫର୍ମାଟ୍କୁ ଛାଡ଼ି ଦେଇଥିଲେ । ଇଂଲଣ୍ଡ ଗସ୍ତରେ ବିଫଳତା ପରେ ୨୦୨୫ରେ ଟେଷ୍ଟ୍ କ୍ରିକେଟ୍ରୁ ବି ଅବସର ନେଇଯାଇଥିଲେ ବିରାଟ କୋହଲି । ଚେଜ୍ ମାଷ୍ଟର୍ ବିରାଟ କୋହଲି କିନ୍ତୁ ତାଙ୍କ ଅନ୍ୟତମ ପ୍ରିୟ ଫର୍ମାଟ୍ ଦିନିକିଆ ଅନ୍ତର୍ଜାତୀୟ ଖେଳ ଜାରି ରଖିଛନ୍ତି । ରବିବାର ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ ୯୧ ବଲ୍ରୁ ୯୩ ରନ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବିଶେଷ କରି କ୍ରମାଗତ ଭାବେ ସପ୍ତମ ଥର ୫୦ରୁ ଅଧିକ ସ୍କୋର୍ କରି କୋହଲି କହି ସାରିଛନ୍ତି ମୁଁ ବି ୨୦୨୭ ଦିନିକିଆ ବିଶ୍ବକପ୍ ପର୍ଯ୍ୟନ୍ତ ରହିପାରିବି ।
ଏହା ବି ପଢ଼ନ୍ତୁ: ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ
କୋହଲିଙ୍କ ବ୍ୟାଟିଂକୁ ଦେଖି କୈଫ୍ କହିଛନ୍ତି ସେ ଅଧିକ ବିପଜ୍ଜନକ ବ୍ୟାଟର୍ ହୋଇଯାଇଛନ୍ତି । ଦିନିକିଆ ଅନ୍ତର୍ଜାତୀୟକୁ କୋହଲି ଏବେ ଦିଲ୍ଲୀ ଲୋକାଲ୍ ଲିଗ୍ ଭଳି ଖେଳୁଛନ୍ତି । ସେ ଏତେ ସହଜରେ, ମୁକ୍ତ ଓ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରୁଛନ୍ତି ଯେ ଲାଗୁଛି ନୂଆ ରୂପରେ ଉଭା ହୋଇଛନ୍ତି । କୋହଲିଙ୍କ ବର୍ତ୍ତମାନର ଫର୍ମରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ସେ ସବୁଦୃଷ୍ଟିରୁ ସନ୍ତୁଳନ ଆଣିବାରେ ସକ୍ଷମ ହୋଇଛନ୍ତି । ଦିନିକିଆ କ୍ରିକେଟ୍କୁ ସେ ଏତେ ମାପିଚୁପି ଖେଳୁଛନ୍ତି ଯେ ଫର୍ମାଟ୍ର ଟେମ୍ପଲେଟ୍କୁ ଅକ୍ଷୁର୍ଣ୍ଣ ରଖିବା ସହ ହିସାବୀ ବିପଦ ପାଇଁ ବି ଈଛାଶକ୍ତି ଭରପୁର ରଖିଛନ୍ତି । ଅତ୍ୟନ୍ତ ହାଲୁକା ମନୋଭାବରେ, ସାଥି ଖେଳାଳିଙ୍କ ସହ ମଜାଥଟ୍ଟା କରି, ସବୁବେଳେ ହସ ହସ ମୁହଁରେ କୋହଲି ଖେଳୁଛନ୍ତି । କିନ୍ତୁ ବୋଲରଙ୍କୁ ଅତି କଠୋର ନଜରରେ ଦେଖୁଛନ୍ତି ଏବଂ ଆକ୍ରମଣାତ୍ମକ ଖେଳୁଥିଲେ ବି ଧୈର୍ଯ୍ୟଶୀଳ ରହୁଛନ୍ତି । ନିଜକୁ ପ୍ରବର୍ତ୍ତାଇ ଏଭଳି ଜାରି ରଖିଲେ ସେ ନିଶ୍ଚିତ ଆଉ ୫ରୁ ୬ ବର୍ଷ ଖେଳିପାରିବେ ।
ଟେଷ୍ଟ୍ କ୍ରିକେଟ୍ ଛାଡ଼ିବା ପରଠାରୁ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଦିନିକିଆରେ କ୍ରମାଗତ ଶୂନ କରିବାରୁ ଏହି ଫର୍ମାଟରେ ତାଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ସିଡନିରେ ୭୪* ରନ୍ ପାଳି ପରଠାରୁ ସେ ୭ ପାଳିରୁ ୧୩୫.୪ ହାରାହାରିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୬୭୭ ରନ୍ ସଂଗ୍ରହ କରି ବଡ଼ ପରିବର୍ତ୍ତନର ଆଭାସ ଦେଇଛନ୍ତି । ରବିବାର ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆ ଅବସରରେ ସେ ଶତକ ମିସ୍ କରିଥିଲେ ମଧ୍ୟ ୨୮,୦୦୦ ଅନ୍ତର୍ଜାତୀୟ ରନ୍ ଅତିକ୍ରମ କରିଛନ୍ତି । ସମସ୍ତ ଫର୍ମାଟରୁ ସେ ୮୪ ଶତକ ସହିତ ୫୨.୬୬ ହାରରେ ୨୮,୦୬୮ ରନ୍ ସଂଗ୍ରହ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/13/king-kohli-2026-01-13-12-51-25.jpg)