ସିନେମା ହଲରେ ସିନେମା ଦେଖିବାର ମଜା ହିଁ କିଛି ଅଲଗା । ବଡ଼ ପରଦାରେ ସିନେମା ଚାଲିଥିବ ଆକ୍ସନ୍ , ରୋମାନ୍ସ , ଥ୍ରିଲର ଭିତରେ ଦର୍ଶକଙ୍କ ସିଟି ଓଃ ଲାଗେ ଯେମିତି ସିନେମାର ଟଙ୍କା ଉଠିଗଲା । ତା’ ସାଙ୍ଗକୁ ଚାଲିଥିବ ପାଟି । ପପକର୍ଣ୍ଣ,ଚିପ୍ସ, କୋଲ୍ଡଡ୍ରିଙ୍କ୍ ଆଦି ବିଭିନ୍ନ ସ୍ନାକ୍ସର ଭଣ୍ଡାର ଧରି ବସିଗଲେ ସିନେମା ଦେଖିବାର ମଜା ଯେମିତି ଦୁଇଗୁଣ ବଢିଯାଏ । କିନ୍ତୁ ବେଳେବେଳେ ମନରେ ଅବାନ୍ତର ଭାବନା ଆସେ ଯେମିତିକି ଭାବନ୍ତୁ , ଆପଣ ହଲକୁ ସିନେମା ଦେଖିବାକୁ ଯାଇଥିବେ ଆଉ ପ୍ରେକ୍ଷାଳୟ ପକ୍ଷରୁ ଆପଣଙ୍କୁ ଫ୍ରି ପପକର୍ଣ୍ଣ ଯୋଗାଇ ଦିଆଯିବ ଆପଣ କେତେ ପପକର୍ଣ୍ଣ ଖାଇବେ? ନିଶ୍ଚିତ ଭାବେ ଆପଣ ଭାବୁଥିବେ , ପେଟ ଫାଟିଲା ପର୍ଯ୍ୟନ୍ତ ଖାଇବୁ । ଠିକ୍ ଏମିତି ହିଁ କିଛି ଭାବିଲେ ଏହି ହଲକୁ ସିନେମା ଦେଖିବାକୁ ଆସିଥିବା ଲୋକ ।
ଘଟଣାଟି ସାଉଦି ଆରବର । ସାଉଦିର ଏକ ହଲ୍ ଦର୍ଶକଙ୍କ ପାଇଁ ଅନଲିମିଟେଡ୍ ପପକର୍ଣ୍ଣ ଅଫର୍ ବାହାର କଲା ଆଉ ତା’ପରେ ଯାହା ହେଲା ତାହା ଏବେ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି । ଅଫର୍ ଶୁଣି ଲୋକମାନେ ଏତେ ପାଗଳ ହେଲେ ଯେ କିଏ ବଡ଼ ବଡ଼ ଡ୍ରମ୍ ଧରି ଥିଏଟରରେ ପହଁଞ୍ଚିଲେ ତ ଆଉ କିଏ ହଣ୍ଡା ଧରି ପପକର୍ଣ୍ଣ ଆଣିବାକୁ ଗଲେ । ପରିସ୍ଥିତି କିଛି ଏମିତି ଉପୁଜିଲା ଯେ ଲୋକ ପପକର୍ଣ୍ଣ ନେବା ପାଇଁ ଲାଇନରେ ମଧ୍ୟ ଛିଡାହେଲେ ।
ସାଉଦିର ବକ୍ସ ଥିଏଟର୍ ମାତ୍ର ୩୦ ରିୟାଲ୍ (ଭାରତୀୟ ମୁଦ୍ରା ୭୦୦ ଟଙ୍କା) ରେ ଅନଲିମିଟେଡ୍ ପପକର୍ଣ୍ଣ ଅଫର୍ ଦେଇଥିଲେ । ମ୍ୟାନେଜମେଣ୍ଟ୍ ଦର୍ଶକଙ୍କୁ ଖୁସି କରାଇବା ଏଭଳି ଏକ ଅଫର୍ ଆଣିଲେ କିନ୍ତୁ ଏହାର ପରିଣତି ଏମିତି ହେବ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ । କିଛି ଲୋକ ସାଙ୍ଗରେ ବଡ଼ ଡ୍ରମ ଧରି ପହଁଞ୍ଚିଥିଲେ ଯାହାକୁ ଦେଖି ମ୍ୟାନେଜମେଣ୍ଟ୍ ହକ୍କାବକ୍କା ହୋଇ ରହିଗଲେ । କିନ୍ତୁ ଯେହେତୁ ଅଫର୍ ଦିଆଯାଇଥିଲା ତେଣୁ ମ୍ୟାନେଜମେଣ୍ଟ୍ ଲୋକଙ୍କୁ ନିରାଶ ନ କରି ଡ୍ରମ୍ ଭର୍ତ୍ତି କରି ପପକର୍ଣ୍ଣ ଦେଇଥିଲେ । କିଛି ଲୋକ ତ ପ୍ରେସର କୁକର୍ ଧରି ମଧ୍ୟ ପହଁଞ୍ଚି ଯାଇଥିଲେ । ତେବେ ଏହି ଭିଡିଓକୁ ଇନଷ୍ଟାଗ୍ରାମ୍ @dialoguepakistan ପକ୍ଷରୁ ସେୟାର୍ କରାଯାଇଥିବା ବେଳେ ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ଲାଇକ୍ ମିଳିସାରିଲାଣି । ୟୁଜର୍ ଭିଡିଓ ଦେଖି ମଜାଦାର କମେଣ୍ଟ୍ ମଧ୍ୟ କରୁଛନ୍ତି । ଜଣେ ୟୁଜର୍ ଭିଡିଓରେ କମେଣ୍ଟ୍ କରି କହିଛନ୍ତି , ଏହି ହଲ୍ ର ଏ ହେଉଛି ପ୍ରଥମ ଏବଂ ଶେଷ ଅଫର୍ । ଜଣେ ୟୁଜର୍ ଲେଖିଛନ୍ତି , ଯଦି ସାଉଦିରେ ଏମିତି ଅବସ୍ଥା , ଭାରତରେ ଏ ଅଫର୍ ଆସିଗଲେ ଲୋକ ବାଥଟବ୍ ଉଠାଇ ନେଇଯିବେ ।