କନକ ବ୍ୟୁରୋ: ରଥଯାତ୍ରାର ଦିନକ ପୂର୍ବରୁ ଆକ୍ଟିଭ୍ ହେଲା ଆଣ୍ଟି ଡ୍ରୋନ୍ ସିଷ୍ଟମ । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୁଲିସ । ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ୍ ଜୋନ୍ରେ ଡ୍ରୋନ୍କୁ ନିଷ୍କ୍ରିୟ କରିବା ପାଇଁ ଆରମ୍ଭ ହୋଇଛି ଆଣ୍ଟି ଡ୍ରୋନ୍ ସିଷ୍ଟମ । ଏହାଫଳରେ ଏକ ନେଟ୍ୱର୍କ କ୍ଷେତ୍ର ସୃଷ୍ଟି ହେବ । ବେଆଇନ ଭାବରେ ଡ୍ରୋନ୍ ଉଡ଼ିଲେ ଏହାକୁ ଚିହ୍ନଟ କରି ତୁରନ୍ତ ନିଷ୍କ୍ରିୟ କରିବ ଏହି ସିଷ୍ଟମ ।
ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ପରିମାଣିକ ପରେ ଆରମ୍ଭ ହୋଇଛନ୍ତି ସର୍ବସାଧାରଣ ଦର୍ଶନ । ୧୫ ଦିନ ପରେ ପତିତପାବନଙ୍କୁ ଦେଖି ଭକ୍ତିରେ ବିଭୋର ହୋଇଛନ୍ତି ଭକ୍ତ । ଅଣସର ଘରେ ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ୧୫ ଦିନର ଅଣସର ଶେଷ କରି ଆଜି ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ । ଘଣ୍ଟାଏ ପରିମାଣିକ ଦର୍ଶନ ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ସାଢ଼େ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ଚାଲିବ ।
ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ । ଏହାପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ଆଜ୍ଞାମାଳ ଆସିବା ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଟଣାହୋଇ ନିଆଯିବ । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେଉଛି । ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।