କନକ ବ୍ୟୁରୋ :  ଖରା ଆସିନି, ତା’ ପୂର୍ବରୁ ଉତ୍କଟ ଜଳ ସମସ୍ୟା। ପିଇବାକୁ ଶୁଦ୍ଧ ପାଣି ମୁନ୍ଦେ ପାଉନାହାନ୍ତି ଲୋକ । ଏବେ ବି ଶୋଷ ମେଣ୍ଟାଉଛି ନଳକୂପର ପାଣି । ଗାଁକୁ ପାଣି ଯୋଗାଇବାକୁ ତିଆରି ହୋଇଥିଲା ଓଭର ହେଡ୍‌ ଟାଙ୍କି । ପାଣି ବି ପାଉଥିଲେ ଅଞ୍ଚଳବାସୀ ।  ହେଲେ ୬ ମାସ ହେଲା ସବୁ ଠପ୍‌ । ଟାଙ୍କି ଅଛି । କିନ୍ତୁ ଲୋକଙ୍କ ଶୋଷ ମେଣ୍ଟାଇପାରୁନି । ଏ ଚିତ୍ର କୌଣସି ଉପାନ୍ତ କି ଅପନ୍ତରା ଅଞ୍ଚଳର ନୁହେଁ । ବରଂ କଟକ ଜିଲ୍ଲା ନିଆଳି ବ୍ଲକ ଅଲଣା ପଂଚାୟତର ଗୋବିନ୍ଦପଦା ଗାଁର । ସରକାର ଏହି ଗାଁରେ ୫୦ ହଜାର ଲିଟର ଓଭର ହେଡ ପାଣି ଟାଙ୍କି ନିର୍ମାଣ କରିଥିଲେ । ଅଞ୍ଚଳବାସୀ ଭାବିଥିଲେ ଜଳ ସଙ୍କଟ ଦୂର ହେବ। ହେଲେ ଓଭର ହେଡ୍‌ ପାଣି ଟାଙ୍କି ନିର୍ମାଣ ହେବା ଦିନଠାରୁ ଗାଁରେ ପହଞ୍ଚିନି ବିଶୁଦ୍ଧ ପାଣି । ଆଜି ବି ଭରସା ନଳକୂପ । ପିଇବା ପାଣି ପାଇଁ ନଳକୂପ ଆଗରେ ଏବେ ବି ଲାଗୁଛି ଲମ୍ବା ଧାଡ଼ି । ଅଲଣା ପଂଚାୟତର ୨ଟି ରାଜସ୍ୱ ଗ୍ରାମ ଗୋବିନ୍ଦପଦା ଓ ଖଣ୍ଡେଶ୍ୱରର ଲୋକଙ୍କ ଶୋଷ ମେଣ୍ଟାଇପାରୁନାହାନ୍ତି ସରକାର । ଏହି ଦୁଇଟି ଗାଁରେ ପାଖାପାଖି ୮ ଶହ ଲୋକ ବସବାସ କରନ୍ତି । ଅଞ୍ଚଳବାସୀଙ୍କୁ ଶୁଦ୍ଧ ପାଣି ଯୋଗାଇ ଦେବାକୁ ନିର୍ମାଣ ହୋଇଥିଲା ୫୦ ହଜାର ଲିଟର ଓଭର ହେଡ ପାଣି ଟାଙ୍କି । ହେଲେ ତାହା ୬ମାସ ହେଲା ଅଚଳ ହୋଇ ପଡ଼ିଛି। କେବଳ ସେତିକି ନୁହେଁ, ଗାଁରେ ଥିବା ୨ଟି ନଳକୂପରୁ ବି ପାଣି ଠିକ୍‌ରେ ବାହାରୁ ନାହିଁ। ତଥାପି ଅନ୍ୟ ଉପାୟ ନଥିବାରୁ ନଳକୂପ ମୂଳରେ ସକାଳେ ସଞ୍ଜେ ଲମ୍ବା ଲାଇନ ଦେଉ ମହିଳା । ଏ ସମସ୍ୟା ୩୦ ବର୍ଷ ହେଲାଣି ଭୋଗି ଆସୁଥିବା କୁହନ୍ତି ଅଞ୍ଚଳବାସୀ ।

Advertisment

ଅଧିକ ପଢ଼ନ୍ତୁ : ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା, ତଥାପି ମିଳିଲାନି ବିଶୁଦ୍ଧ ପାଣି, କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଜରାଜୀର୍ଣ୍ଣ ହୋଇପଡ଼ିଛି ଫିଲଟ୍ରେସନ୍ ସିଷ୍ଟମ

ଏଠି ଜୀବନ ବଞ୍ଚିବାକୁ ପାଣି ପାଇଁ ଲାଗେ ପ୍ରତିଯୋଗିତା । ରାତି ପାହିଲେ ଗାଁ ଦାଣ୍ଡରେ ମହିଳାମାନେ ଗରା, ବାଲଟି, ବୋତଲ ଧରି ଭିଡ଼ ଜମାନ୍ତି । ଯିଏ ଆଗେ ଆସିଲା ଅଧିକ ପାଣି ପାଇଲା । ଆଉ ପଛକୁ ଆସିଲେ ଅପେକ୍ଷା କରିବାକୁ ଗୋଟେ ପ୍ରକାରର ବାଧ୍ୟ । ଟାଙ୍କି ଅଛି, ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। ହେଲେ ଟାଙ୍କିରୁ ପାଣି ଗାଁକୁ ଯାଉନି । ୨୦୨୪ ମସିହାରେ ଏଠାରେ ୫୦ ହଜାର ଲିଟର ପାଣି ଟାଙ୍କି ନିର୍ମାଣ ହୋଇଥିଲା । ବସୁଧା ଯୋଜନାରେ ତିଆରି ପାନୀୟ ଜଳ ପ୍ରକଳ୍ପ ଅଟକଳ ମୂଲ୍ୟ ଥିଲା ପ୍ରାୟ ୬୮ ଲକ୍ଷ ଟଙ୍କା ।  ନିର୍ମାଣ ପରେ ୨ ମାସ ଧରି ଲୋକେ ପାଣି ପାଇଥିଲେ । ହେଲେ ସେବେଠୁ ପ୍ରାୟ ୬ମାସ ହେଲା ପାଣି ଆସୁନି । ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ପ୍ରଶାସନ ଓ ରାଜ ନେତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ଫଳ ଶୂନ। ଲକ୍ଷ ଲକ୍ଷ ଟଙ୍କାରେ ତିଆରି ଟାଙ୍କି କାହା ସ୍ବାର୍ଥ ପୂରଣ କରୁଛି ପ୍ରଶ୍ନ କରୁଛନ୍ତି ଅଞ୍ଚଳବାସୀ।

ତେବେ ଏଠାରେ ପ୍ରଶ୍ନ ଉଠୁଛି

  • ଲୋକଙ୍କ କାମରେ ତ ଆସୁନି, ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ପାଣିଟାଙ୍କି କାହା ସ୍ବାର୍ଥରେ?
  • ବାରମ୍ବାର ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନ କାହିଁକି ଅଭିଯୋଗକୁ ଗୁରୁତ୍ବ ଦେଉନି?
  • ବସୁଧା ଯୋଜନାରେ ଆସୁଥିବା ଅର୍ଥ ଆତ୍ମସାତ୍‌ ହେଉନି କି?
  • ପାଣି ଟାଙ୍କି ନିର୍ମାଣ ଦାୟିତ୍ବରେ ଥିବା ଅଧିକାରୀ ହେବେ ବି ଉତ୍ତରଦାୟୀ?
  • ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବେ ତ ଜିଲ୍ଲାପାଳ?  
  • ଖବର ବାଜିବା ପରେ ଭାଙ୍ଗିବ କି ସ୍ଥାନୀୟ ଅଧିକାରୀଙ୍କ ନିଦ?
  • କେବେ ଦୂର ହେବ ଜଳ ସମସ୍ୟାରେ ଯୁଝୁଥିବା ଲୋକଙ୍କ ଦୁଃଖ?