କନକ ବ୍ୟୁରୋ : ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା, ତଥାପି ମିଳିଲାନି ବିଶୁଦ୍ଧ ପାଣି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଜରାଜୀର୍ଣ୍ଣ ହୋଇପଡ଼ିଛି ଫିଲଟ୍ରେସନ୍ ସିଷ୍ଟମ । ୱାଟକୋ ଡିଭିଜନ ସମ୍ବଲପୁର ଦ୍ବାରା ଅମୃତ ଯୋଜନାରେ ୮ କୋଟି ୪୬ ଲକ୍ଷ ଟଙ୍କାର ଏକ ଜଳଯୋଗାଣ ପ୍ରକଳ୍ପ ଜଣେ ଠିକାଦାରଙ୍କୁ ଦିଆଯାଇଥିଲା। ୨୨ ଡିସେମ୍ବର ୨୦୧୮ ଭିତରେ ସରିଥାନ୍ତା ପ୍ରକଳ୍ପ । ଜଳର ଗୁଣବତ୍ତା ସୁନିଶ୍ଚିତ କରିବାକୁ ୬ଟି ଫିଲଟ୍ରେସନ୍ ସିଷ୍ଟମ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ ଥିଲା ଯୋଜନା । କିନ୍ତୁ ଜୁନ୍ ୨୦୨୨ରେ ପ୍ରକଳ୍ପ କାମ ଛାଡ଼ିଦେଇଥିଲେ ଠିକାଦାର । ମାତ୍ର ସେପର୍ଯ୍ୟନ୍ତ ଦିଆସରିଥିଲା ୪ କୋଟି ୮୦ ଲକ୍ଷ ଟଙ୍କା । ପରେ କାମ ସାରିବାକୁ କୌଣସି ପଦକ୍ଷେପ ନେଇନଥିଲା ୱାଟକୋ । ୨ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୨ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ୨ଟି ଫିଲଟ୍ରେସନ ସିଷ୍ଟମ ସମ୍ପୂର୍ଣ୍ଣ ହୋଇନଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି ।
୬ଟି ଫିଲଟ୍ରେସନ ସିଷ୍ଟମ ବଦଳରେ କେବଳ ଦୁଇଟିର ନିର୍ମାଣ ଆରମ୍ଭ ହୋଇଥିଲା। ତାହା ମଧ୍ୟ ଶେଷ ହୋଇପାରିନଥିଲା । ଏଥିମଧ୍ୟରୁ ସିନ୍ଦୂରପଙ୍କରେ ନିର୍ମାଣ ହୋଇଥିବା ଫିଲଟ୍ରେସନ ସିଷ୍ଟମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବୈଜାମୁଣ୍ଡା ଫିଲଟ୍ରେସନ ସିଷ୍ଟମ ଅଧପନ୍ତରିଆ ଭାବେ ପଡ଼ିରହିଛି । ବିନା ବିଶୋଧନରେ ଜଳ ଯୋଗାଣ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଜଳ ଯୋଗାଣକୁ ନେଇ ଅଭିଯୋଗ ପରେ ଅଭିଯୋଗ । ଗ୍ରାଉଣ୍ଡ ଜିରୋରେ ମଧ୍ୟ ସ୍ଥିତି ସଂଗୀନ। କିନ୍ତୁ ବାବୁମାନେ ବେଫିକର୍।