କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କାଳିଆବାଲି ଗାଁର ମହିଳା ମାନେ ନିଜସ୍ବ ଉଦ୍ୟମରେ ରୋଜଗାର କରି ପ୍ରେରଣା ପାଲଟିଛନ୍ତି । ୨୦୧୯ ମସିହାରେ ଗାଁର ୧୦ ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିଲା କାଳିଜାଇ ସ୍ବୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀର ନେତୃତ୍ବ ନେଇଥିଲେ ଏ.କବିତା କୁମାରୀ । ପ୍ରଥମେ ୫୦ ହଜାର ଟଙ୍କା ଋଣ ଆଣି କବିତା ୧୦ ଜଣ ମହିଳାଙ୍କୁ ନେଇ ଫିନାଇଲ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଫିନାଇଲ ଚାହିଦା ଅଧିକ ରହିବା ପରେ ନିଜର ବ୍ୟବସାୟକୁ ଆଗକୁ ବଢାଇଥିଲେ କବିତା । ପ୍ରତିଦିନ ପ୍ରାୟ ୧ ହଜାରରୁ ଅଧିକ ବୋତଲ ଫିନାଇଲ ଓ ଏସିଡ୍ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ଫିନାଇଲ ଓ ଏସିଡ୍ ଉଚ୍ଚ ମାନର ରହିଥିବା ଯୋଗୁଁ ଏହାର ଚାହିଦା ବଜାରରେ ମଧ୍ୟ ଭଲ ରହିଛି । ଗୋଟିଏ ଫିନାଇଲ ବୋତଲରେ ୧୨ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୮ ଟଙ୍କା ଲାଭ ରଖି ମହିଳାମାନେ ୨୦ ଟଙ୍କାରେ ବଜାରକୁ ବିକ୍ରି କରୁଛନ୍ତି । ଯାହାଫଳରେ ପ୍ରତିଦିନ ହଜାର ହଜାର ଟଙ୍କାର ବ୍ୟବସାୟ ହେଉଛି ।  

Advertisment

ଚାଷ ଜମିକୁ ନଷ୍ଟ କରୁଛି ନାଇଟ୍ରୋଜେନ୍‌ ସାର : ଅମଳ କମୁଛି, ବିଷାକ୍ତ ହେଉଛି ଖାଦ୍ୟ

ଫିନାଇଲ ଓ ଏସିଡ୍ ସହ ମହିଳା ମାନେ କିଛି ମାସ ପୂର୍ବରୁ ଧୂପକାଠି ମଧ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଭୁବନେଶ୍ବରରୁ କଞ୍ଚାମାଲ ଆଣି ଚାରି ପ୍ରକାର ରଙ୍ଗର ଫିନାଇଲ ପ୍ରସ୍ତୁତ କରୁଛନ୍ତି । ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ଦୁଇ ଦୁଇ ଘଣ୍ଟା ସମୟ ବାହାର କରି ଫିନାଇଲ, ଏସିଡ଼୍‌ ଓ ଧୂପକାଠି ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ପ୍ରତି ମାସରେ ଆନୁମାନିକ ୧୦ ହଜାର ଟଙ୍କା ରୋଜଗାର ହୋଇାପାରୁଛି । ଯାହାଦ୍ବାରା ନିଜର ଖର୍ଚ୍ଚ ସାଙ୍ଗକୁ ପରିବାର ଚଳାଇବାରେ ସହାୟତା କରିପାରୁଛନ୍ତି । 

 ଆଗାମୀ ଦିନରେ ସରକାରୀ ସହାୟତା ମିଳିଲେ  ମହିଳା ମାନେ ଏହି ବ୍ୟବସାୟ ଆଗକୁ ବଢ଼ାଇବେ ବୋଲି କହିଛନ୍ତି ।