କନକ ବ୍ୟୁରୋ: ବିହାରରେ ପ୍ରଥମ ଦଫା ଭୋଟ୍ ସରିଛି, ଆଉ ଦିନକ ପରେ ପଡ଼ିବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ତେବେ ଭୋଟ୍ ପଡ଼ିବାକୁ ଥିବା ଏହି ୧୨୨ ସିଟର ରାଜନୀତି କିନ୍ତୁ ବେଶ ରୋଚକ । ୨୦୨୦ରେ ଏହି କ୍ଷେତ୍ରରେ ଏନଡିଏ ଏବଂ ମହାମେଣ୍ଟ ଭିତରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ ମହାମେଣ୍ଟ ଭିତରେ ଏଠି ଭୋଟ୍ ବ୍ୟବଧାନ ମାତ୍ର ୧.୬ ପ୍ରତିଶତ ରହିଥିଲେ ବି, ସିଟ୍ ଗଣତିରେ ଏଠାରେ ବାଜି ମାରିନେଇଥିଲା ଏନଡିଏ । ତେଣୁ ଏଥର ଏଠାକାର ନିର୍ବାଚନରେ କିଏ ବାଜି ମାରୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର ।

Advertisment

୨୦୨୦ରେ ଭୋଟ୍ ବରାବର, ହେଲେ ଏନଡିଏକୁ ଅଧିକ ସିଟ୍

୨୦୨୦ ମସିହାରେ ଏହି ଅଞ୍ଚଳର ୧୨୨ଟି ସିଟରୁ ୬୬ଟିରେ ଏନଡିଏ ଏବଂ ୪୯ ସିଟରେ ମହାମେଣ୍ଟ ବାଜି ମାରିଥିଲେ । ତେବେ ଭୋଟ୍ ସେୟାର ଦେଖିଲେ କିନ୍ତୁ ଦୁଇ ମେଣ୍ଟ ଭିତରେ ସେତେଟା ଫରକ ଦେଖିବାକୁ ମିଳିନଥିଲା । ୨୦୨୦ରେ ଏନଡିଏକୁ ୩୮.୦୭ ପ୍ରତିଶତ ଭୋଟ୍ ଆଉ ମହାମେଣ୍ଟକୁ ମିଳିଥିଲା ୩୬.୪୩ ପ୍ରତିଶତ ଭୋଟ୍ ।

ବିହାରର ଅଙ୍ଗ ପ୍ରଦେଶ, ମିଥିଳାଞ୍ଚଳ ଆଉ ତିରହୁତରେ ବିଜେପିର ଭୋଟ୍ ପ୍ରତିଶତ ଅଧିକ ରହିଥିଲା । ହେଲେ ମଗଧ ଆଉ ସୀମାଞ୍ଚଳରେ କିନ୍ତୁ ଆରଜେଡିର ପ୍ରଭାବ ବେଶି ରହିଥିଲା । ମଗଧର ୨୬ଟି ସିଟରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟକୁ ୪୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିଲା । ସେହିପରି ସୀମାଞ୍ଚଳରେ ଉଭୟ ଆରଜେଡି ଆଉ ଏଆଇଏମଆଇଏମର ପ୍ରଭାବ ଦେଖିବାକୁ ମିଳିଥିଲା । ଏଆଇଏମଆଇଏମକୁ ଗତଥର ଏହି ଅଞ୍ଚଳରୁ ୧୦.୮୧ ପ୍ରତିଶତ ଭୋଟ୍ ମିଳିଥିଲା । ଯାହାକି ଏହି ଲଢ଼େଇକୁ ତ୍ରିକୋଣୀୟ କରିଥିଲା ।

ଆହୁରି ପଢ଼ନ୍ତୁ : କାହାକୁ ଦରଦ ଦେଖାଇବେ ନୂଆପଡ଼ା ଭୋଟର? ନୂଆପଡ଼ାରେ କିଙ୍ଗମେକର ସାଜିବ ‘ସିମ୍ଫାଥି ଭୋଟ୍’

ସୀମାଞ୍ଚଳ : ଏଆଇଏମଆଇଏମ୍ କିଙ୍ଗମେକର

ବିହାରର ସୀମାଞ୍ଚଳ କ୍ଷେତ୍ରରେ (କିଶନଗଞ୍ଜ, କଟିହାର, ପୁର୍ଣ୍ଣିଆ, ଅରୋରିୟା ପାଖ ଜିଲ୍ଲା)ରେ ବିହାର ବିଧାନସଭାର ୨୪ଟି ସିଟ୍ ଆସୁଛି । ଏହି ଅଞ୍ଚଳରେ ଏଆଇଏମଆଇଏମର ପ୍ରଭାବ ବେଶ ଅଧିକ ରହିଥିବା ଚର୍ଚ୍ଚା ହୁଏ । ୨୦୨୦ରେ ଔବୈସୀଙ୍କ ଦଳ ଏହି ଅଞ୍ଚଳରୁ ୫ଟି ସିଟ୍ ଜିତି ସମସ୍ତଙ୍କ ରାଜନୈତିକ ଗଣିତକୁ ଓଲଟାଇ ଦେଇଥିଲେ । ଅଧିକାଂଶ ମୁସଲିମ୍ ସମ୍ପ୍ରଦାୟର ଭୋଟ୍ ଏଆଇଏମଆଇଏମ୍ ସପକ୍ଷରେ ଯାଇଥିଲା ।

ଏଥର କିନ୍ତୁ ଏଆଇଏମଆଇଏମ୍ ବିହାର ନିର୍ବାଚନର ମୈଦାନରେ ରହିଛି । ଯାହାର ସିଧା ପ୍ରଭାବ ଆରଜେଡି ଉପରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ଯଦି ଔବୈସୀଙ୍କ ଦଳ ଏହି ଅଞ୍ଚଳରେ ଭୋଟ୍ ଅଙ୍କ ବିଗାଡ଼ିବାରେ ସଫଳ ହୁଏ, ତେବେ ଏହାର ସିଧା ଲାଭ ଯିବ ଏନଡିଏ ପାଖକୁ । ଏନଡିଏ ସୀମାଞ୍ଚଳ କ୍ଷେତ୍ରରେ ହିଁ ସବୁଠୁ ଅଧିକ ଦୁର୍ବଳ ରହିଛି । ତେଣୁ ଯଦି ଏଆଇଏମଆଇଏମ୍ ସୀମାଞ୍ଚଳ କ୍ଷେତ୍ରରେ ଅଧିକ ଭୋଟ୍ ଜୁଟାଏ, ତେବେ ଏହାର ସିଧା ଲାଭ ବିଜେପି ପାଇବ ।

ଆହୁରି ପଢ଼ନ୍ତୁ : 'ଇଲେକ୍ସନ ପୂର୍ବଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍ '

ମଗଧ-ଅଙ୍ଗରେ ଏନଡିଏ ରଣନୀତିର ଅସଲ ପରୀକ୍ଷା

ବିହାରର ମଗଧ ଅଞ୍ଚଳରେ ଗତଥର ଆରଜେଡି ଭଲ ପ୍ରଦର୍ଶନ କରିଥିଲା । ଏଠାକାର ଜାତି ସମୀକରଣ – ଯାଦବ, ମୁସଲିମ୍ ଏବଂ ଦଳିତ ଭୋଟର ଆରଜେଡି ସପକ୍ଷରେ ଭୋଟ୍ ଦେଇଥିଲେ । ସେହିପରି ମିଥିଳାଞ୍ଚଳ ଏବଂ ତିରୁହତରେ ଏନଡିଏ ସପକ୍ଷରେ ପଡ଼ିଥିଲା ଅଧିକ ଭୋଟ୍ । ମିଥିଳାଞ୍ଚଳରେ ଏନଡିଏକୁ ୪୪ ପ୍ରତିଶତରୁ ଅଧିକ ଭୋଟ୍ ଏବଂ ଆରଜେଡିକୁ ୩୫ ପ୍ରତିଶତରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ଏହି ଅଞ୍ଚଳରେ ଦୁଇ ମେଣ୍ଟ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କର ନଜର ।

ଏଲଜେପି, ଭିଆଇପି ସାଇଲେଣ୍ଟ କିଲର

ଗତଥର ନିର୍ବାଚନ ତଥ୍ୟ ଅନୁସାରେ, ଏଲଜେପି ମଗଧ ଏବଂ ଭୋଜପୁର ଅଞ୍ଚଳରେ ଏଥର ପ୍ରଭାବ ପକାଇପାରେ । ଗତଥର ଏହି ଅଞ୍ଚଳରୁ ଏଲଜେପିକୁ ୫-୬ ପ୍ରତିଶତ ଭୋଟ୍ ମିଳିଥିଲା । ଏମିତି କି କିଛି ସିଟରେ ଏହି କିଛି ଦଳ ପାଇଁ ପରାଜୟର କାରଣ ମଧ୍ୟ ସାଜିଥିଲା । ହେଲେ ଏଥର କିନ୍ତୁ ବିଜେପି ଏବଂ ଏଲଜେପି ଭିତରେ ତାଳମେଳ ଠିକ୍ ଥିବା କାରଣରୁ ଏହାର ଲାଭ ବିଜେପିକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଆସନ୍ତା ୧୧ ତାରିଖରେ ବିହାରର ଏହି ଅଞ୍ଚଳରେ ପଡ଼ିବାକୁ ଯାଉଛି ଭୋଟ୍ । ଯାହାକି ସରକାର ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ହେଲେ ଏହି ୧୨୨ ସିଟ୍ ଭିତରୁ କେଉଁ ମେଣ୍ଟକୁ କେତେ ସିଟ୍ ଯାଉଛି, ତାହା ତ ନଭେମ୍ବର ୧୪ରେ ଜଣାପଡ଼ିବ । ହେଲେ ଏବେଠୁ କିନ୍ତୁ ଏହି କ୍ଷେତ୍ରର ରାଜନୈତିକ ପାଣିପାଗକୁ ନେଇ ଚର୍ଚ୍ଚା ଜୋର ଧରିଛି ।