କନକ ବ୍ୟୁରୋ: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶା ଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଅପରାଜେୟ ଧାରା ଜାରି ରଖିଛି । ବୁଧବାର ନିଜର ଚତୁର୍ଥ ମ୍ୟାଚ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ହାଇଦ୍ରାବାଦ ତୁଫାନ୍‌ସକୁ ପରାସ୍ତ କରଛି । ଏହି ବିଜୟ ସହ ଲାନ୍‌ସର୍ସ ୧୧ ପଏଣ୍ଟ୍‌ ସହ ପୁଣି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି । ସ୍ଥାନୀୟ ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମ ଦୁଇ କ୍ବାର୍ଟରରେ ବହୁବାର ସର୍କଲ ମଧ୍ୟରେ ପ୍ରବେଶ କରିଥିଲେ ମଧ୍ୟ ଗୋଲ୍‌ଦେବାକୁ ସକ୍ଷମ ହୋଇ ନଥିଲେ । ଏପରିକି ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲ୍‌ଟି କର୍ଣ୍ଣର ସୁଯୋଗ ମଧ୍ୟ ପଇଥିଲେ ମଧ୍ୟ ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା । ‌ତେବେ ତୃତୀୟ କ୍ବାର୍ଟର‌ରେ ଲାନ୍‌ସର୍ସକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଆଲେକ୍‌ଜାଣ୍ଡର ‌ହେଣ୍ଡ୍ରିକ୍ସ (୪୦ ମିନିଟ୍‌) ଗୋଲ୍‌ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ । ଶେଷ କ୍ବାର୍ଟରରେ ତୁଫାନ୍‌ସ ଗୋଲ୍‌ କରିବାକୁ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ଲାନ୍‌ସର୍ସର ରକ୍ଷଣଭାଗ ଏହାକୁ ଟାଳି ଦେଇଥିଲେ । ଫଳରେ ଚତୁର୍ଥ କ୍ୱାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବାରୁ ଲାନ୍‌ସର୍ସ ବିଜୟୀ ହୋଇ ପୂରା ୩ ପଏଣ୍ଟ କରାୟତ୍ତ କରିଥିଲା ।

Advertisment

ଏହା ବି ପଢ଼ନ୍ତୁ: ଖେଲୋ ଇଣ୍ଡିଆ ସଫ୍ଟ ଟେନିସ୍‌ ପାଇଁ ୯ ଜଣିଆ ଓଡ଼ିଶା ଦଳ