କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ‌ଦେବେନି । ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଏହି ଯୁବ ତାରକା ତାଙ୍କର ଅଭ୍ୟାସ ଶିବିର ଓ ପ୍ରତିଯୋଗିତା ସହ ଅଧିକ କ୍ରିକେଟ୍‌ କାର୍ଯ୍ୟସୂଚୀ ଥିବାରୁ ଯୋଗୁଁ ପରୀକ୍ଷା ନ ‌ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବିହାରର ତେଜପୁରରେ ରହୁଥିବା ବୈଭବ ସ୍ଥାନୀୟ ମଡାଷ୍ଟି ସ୍ମୁଲ୍‌ରେ ପଢ଼ୁଛନ୍ତି । ପରୀକ୍ଷା ଲାଗି ସେ ଫର୍ମ ପୂରଣ କରିଥିଲା ବେଳେ ଆଡ୍‌ମିଟ୍‌ କାର୍ଡ ପାଇ ସାରିଛନ୍ତି ଏବଂ ପରୀକ୍ଷା କେନ୍ଦ୍ର ବି ସ୍ଥିର ହୋଇଛି। 

Advertisment

ଆହୁରି ପଢ଼ନ୍ତୁ... ଇଣ୍ଡିଜ୍‌ର ହ୍ୟାଟ୍ରିକ୍‌ ବିଜୟ: ଜାସନ ହୋଲଡର ଶ୍ରେଷ୍ଠ ଖେଳାଳି

ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ତାଙ୍କ ବାପା ସଞ୍ଜୀବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଆଲୋଚନା ପରେ ବୈଭବ ପରୀକ୍ଷା ଦେବେନି ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚ୍‌ ଲାଗି ବିଭିନ୍ନ ସ୍ଥାନକୁ ଗସ୍ତ କରିବା ଏବଂ ଖେଳିବା ଯୋଗୁଁ ସେ ପରୀକ୍ଷା ଲାଗି ପ୍ରସ୍ତୁତ ହୋଇ ପାରି ନଥିଲେ। ସୂଚନାଯୋଗ୍ୟ ଯେ ଯୁବ ବ୍ୟାଟର୍‌ ବୈଭବ ନିକଟରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ରେକର୍ଡ ୮୦ ବଲ୍‌ରୁ ୧୭୫ ରନ୍‌ କରିଥିଲେ। ସେ ଏହି ପ୍ରତିଯୋଗିତାରେ ୩୦ ଛକା ମାରିବାର ରେକର୍ଡ କରିଥିଲେ। ଏଥି ସହ ଲିଷ୍ଟ୍‌-ଏ ପ୍ରତିଯୋଗିତାରେ ଶତକ ହାସଲ କରିବାରେ ସର୍ବକନିଷ୍ଠ ଖେଳାଳି ମଧ୍ୟ ହୋଇଥିଲେ।