କନକ ବ୍ୟୁରୋ: ଯେତେବେଳେ ବି ବୈଭବ ସୂର୍ଯ୍ୟବଂଶୀ କ୍ରିଜକୁ ଓହ୍ଲାନ୍ତି, ବୋଲରଙ୍କ ପାଇଁ ପରିସ୍ଥିତି କଷ୍ଟକର ହୋଇପଡେ । ଯଦି ଏହି ବ୍ୟାଟର ଆରମ୍ଭରୁ ଆଉଟ୍ ନ ହୁଅନ୍ତି, ତେବେ ଛକା ବର୍ଷା ହେବା ନିଶ୍ଚିତ । ସୋମବାର ଦିନ ଦକ୍ଷିଣ ଆଫ୍ରିକା ଅଣ୍ଡର-୧୯ ଦଳ ବିପକ୍ଷ ଦ୍ୱିତୀୟ ୟୁଥ୍ ଦିନିକିଆ ମ୍ୟାଚରେ ମଧ୍ୟ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ବୈଭବ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ।
ବେନୋନୀରେ ଖେଳାଯାଉଥିବା ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨୧ଟି ବଲ୍ରେ ୧୦ଟି ଛକା ମାରିଥିଲେ । ପଡ଼ିଆକୁ ଯେଉଁ ବୋଲର ବି ଆସିଲେ, ବୈଭବ ତାଙ୍କୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଖେଳିଥିଲେ ଏବଂ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ରୋମାଞ୍ଚକର ଶଟ୍ ଦେଖିବାକୁ ମିଳିଥିଲା ।
ବୈଭବ ସୂର୍ଯ୍ୟବଂଶୀ କ୍ରିଜକୁ ଆସିବା ମାତ୍ରେ ସ୍ପଷ୍ଟ କରିଦେଇଥିଲେ କି ସେ କେଉଁ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଛନ୍ତି । ଦ୍ରୁତ ବୋଲର ବୈସନଙ୍କ ଦ୍ୱିତୀୟ ଏବଂ ନିଜ ପାଳିର ପ୍ରଥମ ବଲ୍ରେ ସେ ଡିପ୍ ବ୍ୟାକୱାର୍ଡ ପଏଣ୍ଟ ଦିଗରେ ଏକ ଜବରଦସ୍ତ ଛକା ମାରିଥିଲେ। ଏହାପରେ ପଞ୍ଚମ ବଲରେ ଫାଇନ୍ ଲେଗ୍ ଉପରେ ଏକ ଚମତ୍କାର ଛକା ଲଗାଇଥିଲେ।
ଆହୁରି ପଢ଼ନ୍ତୁ... ଆଇପିଏଲ୍ ପ୍ରସାରଣ ଉପରେ ରୋକ୍ ଲଗାଇଲା ବାଂଲାଦେଶ; ଜାଣନ୍ତୁ, କାରଣ....
ବୟାନ୍ଦା ମଜୋଲାଙ୍କ ବୋଲିଂରେ ମଧ୍ୟ ସୂର୍ଯ୍ୟବଂଶୀ କୌଣସି ଦୟା ଦେଖାଇ ନଥିଲେ। ମଜୋଲାଙ୍କ ପଞ୍ଚମ ବଲରେ ସେ ଡିପ୍ ଏକ୍ସଟ୍ରା କଭର ବାହାରକୁ ଏକ ଲମ୍ବା ଛକା ମାରିଥିଲେ। ଏହାପରେ ବୈସନଙ୍କ ପରବର୍ତ୍ତୀ ଓଭରରେ ବୈଭବ ଆହୁରି ଦୁଇଟି ଛକା ମାରି ବୋଲରଙ୍କ ଉପରେ ସମ୍ପୂର୍ଣ୍ଣ ଚାପ ପକାଇଥିଲେ।
ବୈଭବ ସୂର୍ଯ୍ୟବଂଶୀ ମଜୋଲାଙ୍କ ବଲରେ ନିଜର ସପ୍ତମ ଛକା ମାରିଥିଲେ ଏବଂ ଏହା ପରେ ଅଷ୍ଟମ ଛକା ମାରିବା ମାତ୍ରେ ମାତ୍ର ୧୯ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଖାସ୍ କଥା ହେଉଛି ଏହି ଅର୍ଦ୍ଧଶତକରେ ଗୋଟିଏ ବି ଚୌକା ସାମିଲ ନଥିଲା । ବୈଭବଙ୍କ ସମ୍ପୂର୍ଣ୍ଣ ଲକ୍ଷ୍ୟ ବଲକୁ ଷ୍ଟାଣ୍ଡସକୁ ପଠାଇବା ଉପରେ ଥିଲା ଏବଂ ସେ ଏଥିରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲେ।
ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂର ପ୍ରଭାବ ଏତେ ଗଭୀର ଥିଲା ଯେ ଏକ ସମୟରେ ଖେଳକୁ ବନ୍ଦ କରିବାକୁ ପଡିଥିଲା । ଯେତେବେଳେ ସେ ତାଙ୍କର ସପ୍ତମ ଛକା ମାରିଥିଲେ, ବଲଟି ପଡ଼ିଆ ବାହାରକୁ ଚାଲିଯାଇଥିଲା ଏବଂ ବହୁ ସମୟ ଧରି ଖୋଜିବା ପରେ ମଧ୍ୟ ମିଳିନଥିଲା। ଏଥିପାଇଁ କିଛି ସମୟ ପାଇଁ ଖେଳ ଅଟକି ଯାଇଥିଲା । ବଲ୍ ବଦଳାଗଲା, କିନ୍ତୁ ସୂର୍ଯ୍ୟବଂଶୀଙ୍କ ଜିଦ୍ ବଦଳି ନଥିଲା ଏବଂ ସେ ପରବର୍ତ୍ତୀ ବଲ୍ଗୁଡ଼ିକରେ ପୁଣି ବଡ଼ ଶଟ୍ ଖେଳିବା ଜାରି ରଖିଥିଲେ।
ଶେଷରେ ଡାହାଣହାତୀ ଦ୍ରୁତ ବୋଲର କ୍ରୁସକ୍ୟାମ୍ପ ବୈଭବ ସୂର୍ଯ୍ୟବଂଶୀଙ୍କ ଏହି ତୋଫାନୀ ପାଳିରେ ବ୍ରେକ୍ ଲଗାଇଥିଲେ । ଏକ ବଡ଼ ଶଟ୍ ଖେଳିବା ପ୍ରୟାସରେ ସୂର୍ଯ୍ୟବଂଶୀ ଆଉଟ ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀ ୨୪ଟି ବଲରେ ୬୮ ରନର ବିସ୍ଫୋରକ ପାଳି ଖେଳିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୮୩.୩୩ ରହିଥିଲା । ଯଦିଓ ତାଙ୍କ ପାଳି ଅଧିକ ସମୟ ପର୍ଯ୍ୟନ୍ତ ଚାଲିନଥିଲା, କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ସେ ମ୍ୟାଚ୍ ଏବଂ ଦର୍ଶକ ଉଭୟଙ୍କ ଉପରେ ଗଭୀର ଛାପ ଛାଡିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/05/vaibhab-2026-01-05-19-50-24.jpg)