କନକ ବ୍ୟୁରୋ: ଏସିସି ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୫ର ଫାଇନାଲରେ ପାକିସ୍ତାନ ଦଳ ରବିବାର ଭାରତକୁ ୧୯୧ ରନରେ ପରାସ୍ତ କରିଛି । ଏହି ବ୍ଲକବଷ୍ଟର ମୁକାବିଲା ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଇଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ଜିତିବା ପାଇଁ ୫୦ ଓଭରରେ ୩୪୮ ରନର ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା ।
ରନ୍ ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ବିସ୍ଫୋରକ ଥିଲା, କିନ୍ତୁ ଦଳ ଅଳ୍ପ ସମୟ ବ୍ୟବଧାନରେ ୪ଟି ୱିକେଟ୍ ହରାଇଥିଲା । ଅଧିନାୟକ ଆୟୁଷ ମହାତ୍ରେ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଲି ରଜା ପାଭିଲିୟନ ପଠାଇଥିଲେ । ଆୟୁଷ ୨ ରନ୍ କରିଥିବା ବେଳେ ବୈଭବ ୩ଟି ଛକା ଓ ଗୋଟିଏ ଚୌକା ସହାୟତାରେ ୧୦ଟି ବଲରେ ୨୬ ରନ୍ କରିଥିଲେ । ଏରନ୍ ଜର୍ଜ (୧୬ ରନ୍) ଏବଂ ବିହାନ ମାଲହୋତ୍ରା (୭ ରନ୍) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ବିହାନ ଆଉଟ୍ ହେବା ବେଳକୁ ଭାରତର ସ୍କୋର ୫୯/୪ ଥିଲା । ବେଦାନ୍ତ ତ୍ରିବେଦୀଙ୍କଠାରୁ ବଡ଼ ଇନିଂସର ଆଶା ଥିଲା, କିନ୍ତୁ ସେ ମହମ୍ମଦ ସୈୟାମଙ୍କ ସର୍ଟ ବଲରେ ନିଜ ୱିକେଟ୍ ହରାଇଥିଲେ। ଏହାପରେ ଭାରତୀୟ ଇନିଂସ ତାସର ପତ୍ତା ପରି ଭୁଶୁଡ଼ି ପଡ଼ିଥିଲା ଏବଂ ଭାରତ ୨୭ତମ ଓଭରରେ ହିଁ ଅଲଆଉଟ୍ ହୋଇଯାଇଥିଲା ।
ଆହୁରି ପଢ଼ନ୍ତୁ... ଧୋନୀଙ୍କ ଅବସର ପ୍ଲାନ୍ ପ୍ରସ୍ତୁତ ! ସିଏସକେ ଦେଲା ବଡ଼ ସଙ୍କେତ
ପାକିସ୍ତାନ ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୩୪୭ ରନ୍ କରିଥିଲା । ପାକିସ୍ତାନର ଆରମ୍ଭ ସେତେଟା ଭଲ ନଥିଲା । ଚତୁର୍ଥ ଓଭରରେ ଦଳ ୱିକେଟକିପର ବ୍ୟାଟର ହାମଜା ଜହୁରଙ୍କ (୧୮ ରନ୍) ୱିକେଟ୍ ହରାଇଥିଲା । ହାମଜାଙ୍କୁ ଦ୍ରୁତ ବୋଲର ହେନିଲ ପଟେଲ ଆଉଟ୍ କରିଥିଲେ । ଏହାପରେ ସମୀର ମିହ୍ନାସ ଏବଂ ଉସମାନ ଖାନ୍ ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରି ପାକିସ୍ତାନ ସ୍ଥିତି ସୁଧାରିଥିଲେ ।
ଉସମାନ ଖାନ୍ ଆଉଟ୍ ହେବା ପରେ ସମୀର ମିହ୍ନାସ, ଅହମ୍ମଦ ହୁସେନଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୧୩୭ ରନର ଚମତ୍କାର ଶତକୀୟ ଭାଗିଦାରୀ କରିଥିଲେ । ଏହି ଭାଗିଦାରୀ ମଧ୍ୟରେ ସମୀର ୧୨ଟି ଚୌକା ଓ ୪ଟି ଛକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୀରଙ୍କର ଏହା ଦ୍ୱିତୀୟ ଶତକ ଥିଲା । ଖିଲାନ ପଟେଲ, ହୁସେନଙ୍କୁ ଆଉଟ୍ କରି ଏହି ଭାଗିଦାରୀ ଭାଙ୍ଗିଥିଲେ । ହୁସେନ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୭୨ଟି ବଲରେ ୫୬ ରନ୍ କରିଥିଲେ ।
ଅଣ୍ଡର-୧୯ ଏସିଆ କପ୍ ୫୦ ଓଭର ଫର୍ମାଟରେ ଆୟୋଜିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ପାକିସ୍ତାନ, ମାଲେସିଆ ଏବଂ ଆୟୋଜକ ସଂଯୁକ୍ତ ଆରବ ଏମିରେଟ୍ସ ସହ ଗ୍ରୁପ୍-ଏ’ରେ ରଖାଯାଇଥିଲା । ଅନ୍ୟପଟେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ନେପାଳ ଦଳ ଅନ୍ୟ ଗ୍ରୁପରେ ଥିଲେ । ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ଦୁଇଟି ଦଳ ସେମିଫାଇନାଲରେ ପହଞ୍ଚିଥିଲେ ।
ଭାରତ ନିଜର ତିନୋଟି ଯାକ ଗ୍ରୁପ୍ ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା । ପ୍ରଥମ ମ୍ୟାଚରେ ଭାରତ ୟୁଏଇକୁ ୨୩୪ ରନରେ ପରାସ୍ତ କରିଥିଲା । ଏହାପରେ ପାକିସ୍ତାନକୁ ୯୦ ଏବଂ ମାଲେସିଆକୁ ୩୧୫ ରନରେ ହରାଇଥିଲା । ସେମିଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଥିବା ବେଳେ, ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଗତଥରର ଚାମ୍ପିୟନ ବାଂଲାଦେଶକୁ ୮ ୱିକେଟରେ ହରାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/21/u19-2025-12-21-17-27-06.png)