କନକ ବ୍ୟୁରୋ : ଟେମ୍ପୋ ଷ୍ଟିଅରିଂରୁ ବିମାନର ଉଡ଼ାଣ।  ଜାଣନ୍ତୁ କିପରି ଉତ୍ତରପ୍ରଦେଶର ଜଣେ ସାଧାରଣ ଯୁବକ ପ୍ରତିଷ୍ଠା କଲେ ନିଜର ବିମାନ କମ୍ପାନି 'ଶଙ୍ଖ ଏୟାର'। କାନପୁରର ମଧ୍ୟବିତ୍ତ ପରିବାରରୁ ଆସି ଶ୍ରବଣ କୁମାର ବିଶ୍ୱକର୍ମା ସିମେଣ୍ଟ, ଷ୍ଟିଲ୍ ଓ ଟ୍ରାନ୍ସପୋର୍ଟ ବ୍ୟବସାୟ କରୁଥିଲେ। ଏଥିରେ ସଫଳ ହେବା ପରେ ଏବେ ଏୟାରଲାଇନ୍ସ ସ୍ବପ୍ନ ପୂରଣ କରିଛନ୍ତି। ଏହା ଏକ ଅତି ପ୍ରେରଣାଦାୟକ କାହାଣୀ ।

Advertisment

ସାଫଲ୍ୟ କେବଳ ସୁଯୋଗ ଖୋଜେନି, ବରଂ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ। ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁରରୁ। ଯିଏ ଦିନେ ପରିବାର ପ୍ରତିପୋଷଣ ପାଇଁ ରାସ୍ତାରେ ଟେମ୍ପୋ ବା ଅଟୋ ଚଲାଉଥିଲେ, ଆଜି ସେ ଦେଶର ନୂତନ ଏୟାରଲାଇନ୍ସ 'ଶଙ୍ଖ ଏୟାର' ର ମାଲିକ। ଶ୍ରବଣ କୁମାର ବିଶ୍ୱକର୍ମାଙ୍କ ଏହି ଯାତ୍ରା କୋଟି କୋଟି ଭାରତୀୟଙ୍କ ପାଇଁ ଏବେ ପ୍ରେରଣାର ଉତ୍ସ ପାଲଟିଛି। କାନପୁରର ଏକ ସାଧାରଣ ପରିବାରରେ ଜନ୍ମିତ ଶ୍ରବଣ କୁମାରଙ୍କ ଜୀବନ ସଂଘର୍ଷମୟ ଥିଲା। ଆର୍ଥିକ ଅଭାବ ଯୋଗୁଁ ସେ ଦିନେ କାନପୁର ରାସ୍ତାରେ ଟେମ୍ପୋ ଚଳାଇ ନିଜର ଗୁଜରାଣ ମେଣ୍ଟାଉଥିଲେ ।

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ଉତ୍ତରପ୍ରଦେଶର ବାଦଲଙ୍କ ପ୍ରେମ କାହାଣୀ : ଚର୍ଚ୍ଚାରେ ଉତ୍ତରପ୍ରଦେଶର ବାଦଲଙ୍କ ପ୍ରେମ କାହାଣୀ

କିନ୍ତୁ ଆଖିରେ ଥିଲା ଆକାଶ ଛୁଇଁବାର ସ୍ୱପ୍ନ। ଟେମ୍ପୋ ଚଲାଇବା ସହ ସେ ନିଜର ପାଠପଢ଼ା ଓ ବ୍ୟବସାୟିକ ଜ୍ଞାନ ବଢ଼ାଇବା ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ପାଦ ଦେଇ ସଫଳତା ପାଇଥିଲେ। ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‘ଶଙ୍ଖ ଏୟାର’କୁ କାର୍ଯ୍ୟକ୍ଷମ ହେବା ପାଇଁ ଅନୁମତି ମିଳିଛି । ଏହି ଏୟାରଲାଇନ୍ସର ମୁଖ୍ୟାଳୟ ଲକ୍ଷ୍ନୌ ଏବଂ ନୋଏଡାରେ ରହିବ । ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତରପ୍ରଦେଶର ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗ ରକ୍ଷା କରିବ। ଜଣେ ଟେମ୍ପୋ ଚାଳକରୁ ବିମାନ କମ୍ପାନୀର ମାଲିକ ହେବା ପର୍ଯ୍ୟନ୍ତ  ଶ୍ରବଣଙ୍କ ଏହି ଯାତ୍ରା ସୂଚାଉଛି , ଯଦି ଲକ୍ଷ୍ୟ ସ୍ଥିର ଥାଏ ତେବେ କୌଣସି ବାଧା ଆପଣଙ୍କୁ ଅଟକାଇ ପାରିବ ନାହିଁ। ଆଗାମୀ ଦିନରେ ଶଙ୍ଖ ଏୟାର ଭାରତୀୟ ଆକାଶରେ ନିଜର ଦବଦବା ଜାହିର କରିବ ବୋଲି ଆଶା କରାଯାଉଛି। ଶଙ୍ଖ ଏୟାର ଲକ୍ଷ୍ନୌ ଏବଂ ନୋଏଡାକୁ ନିଜର ପ୍ରମୁଖ ହବ୍ ଭାବେ ବ୍ୟବହାର କରିବ। ଏହା ମୁଖ୍ୟତଃ ଉତ୍ତରପ୍ରଦେଶର ଆଞ୍ଚଳିକ ସହରଗୁଡ଼ିକୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ମେଟ୍ରୋ ସହର ସହ ଯୋଡ଼ିବ। ଏୟାରଲାଇନ୍ସ ନୂଆ ପିଢ଼ିର ବୋଇଂ ୭୩୭-୮୦୦  ବିମାନ ବ୍ୟବହାର କରିବାକୁ ଯୋଜନା କରିଛି। ଉନ୍ନତ ସେବା ଏବଂ ସଠିକ୍ ସମୟରେ ଉଡ଼ାଣ ଉପରେ କମ୍ପାନୀ ବିଶେଷ ଗୁରୁତ୍ୱ ଦେଉଛି, ଯାହା ସାଧାରଣ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ପ୍ରିମିୟମ ଅନୁଭୂତି ପ୍ରଦାନ କରିବ ।