ଇରାନ ଓ ଆମେରିକା ମଧ୍ୟରେ ମାସ ମାସ ଧରି ଚାଲିଥିବା ଗତିରୋଧର ଅନ୍ତ ଘଟାଇବା ପାଇଁ ଏକ ବଡ଼ ସଫଳତା ଲାଗି ବାଟ ପରିଷ୍କାର ହୋଇଛି। ସୂତ୍ର ଅନୁଯାୟୀ ଚଳିତ ସପ୍ତାହରେ ତୁର୍କୀର ଅଙ୍କାରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇପାରେ। ଏହି ବୈଠକ ମୁଖ୍ୟତଃ ମିଶର, କତାର ଓ ତୁର୍କୀ ଦ୍ୱାରା ଆରମ୍ଭ କରାଯାଇଛି। କୂଟନୈତିକ ପଦକ୍ଷେପର ଅଂଶ ସ୍ୱରୂପ, ଉଚ୍ଚପଦସ୍ଥ ଇରାନୀ ଅଧିକାରୀମାନେ ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫଙ୍କ ସହିତ ସାକ୍ଷାତ କରିବେ ଆଶା କରାଯାଉଛି।

Advertisment

ଆମେରିକା ସର୍ତ୍ତାବଳୀ ହ୍ରାସ କଲା

ବୈଠକ ପୂର୍ବରୁ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆମେରିକା ନିଜର ସର୍ତ୍ତାବଳୀ ହ୍ରାସ କରିଛି। ପୂର୍ବରୁ, ଆମେରିକା ଆଲୋଚନା ପାଇଁ ଚାରୋଟି ପ୍ରମୁଖ ସର୍ତ୍ତ ରଖିଥିଲା। ସେଥିରେ ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ, ମାନବାଧିକାର ଉଲ୍ଲଂଘନ ହେବ ନାହିଁ, ୟୁରାନିୟମ୍ ସମୃଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ପଡିବ ଓ ଦୂରଗାମୀ କ୍ଷେପଣାସ୍ତ୍ର ଉତ୍ପାଦନ ବନ୍ଦ କରାଯିବା ଜରୁରୀ ଆଦି ଅନ୍ତର୍ଭୁକ୍ତ ଥିଲା। ତେବେ ଇରାନର କଠୋର ଆଭିମୁଖ୍ୟ ଓ ଆଲୋଚନା କରିବାକୁ ମନା କରିବା ପରେ, ଆମେରିକା ଏବେ ଏହି ସର୍ତ୍ତଗୁଡ଼ିକ ମଧ୍ୟରୁ କେବଳ ଦୁଇଟିରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ତାଙ୍କର ଏବେ କେବଳ ଦୁଇଟି ପ୍ରାଥମିକ ସର୍ତ୍ତ ଅଛି। ପ୍ରଥମତଃ, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ ଏବଂ ଦ୍ୱିତୀୟତଃ, ସେଠାକାର ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ।

ଆଗକୁ ପଢ଼ନ୍ତୁ : ଇସ୍ରାଏଲୀ ଡ୍ରୋନ୍ ଆକ୍ରମଣ: ହେଜବୋଲ୍ଲା ଇଞ୍ଜିନିୟରିଂ ଶାଖା ମୁଖ୍ୟ ଦାଉଦ ଆମିକ ମୃତ

ଇରାନର କଠୋର ଆଭିମୁଖ୍ୟ ଓ ଯୁଦ୍ଧ ଆଶଙ୍କା

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ, ସେମାନେ ପରମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଅଗ୍ରସର ହେଉନାହାନ୍ତି। କିନ୍ତୁ ଆମେରିକା ଦ୍ୱାରା ଲଗାଯାଇଥିବା ଅନ୍ୟ କୌଣସି ସର୍ତ୍ତକୁ ସେମାନେ ଗ୍ରହଣ କରିବେ ନାହିଁ। ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲୀ ଖେମିନି ସିଧାସଳଖ ଚେତାବନୀ ଦେଇଥିଲେ, ଯଦି ଇରାନ ଉପରେ ସାମରିକ ଆକ୍ରମଣ ହୁଏ, ତେବେ ଆମେ ଏହାକୁ ଆଞ୍ଚଳିକ ଯୁଦ୍ଧରେ ପରିଣତ କରିବୁ। ଏହାର ଅର୍ଥ ହେଉଛି ଇରାନ କେବଳ ଆମେରିକାର ଘାଟି ନୁହେଁ ବରଂ ଏହାର କ୍ଷେତ୍ରୀୟ ସହଯୋଗୀ ଯେପରିକି ବାହାରିନ, ଜୋର୍ଡାନ, ସାଉଦି ଆରବ, କତାର ଓ ଇସ୍ରାଏଲକୁ ମଧ୍ୟ ଟାର୍ଗେଟ କରିବ।

ବ୍ୟବସାୟିକ ସଙ୍କଟ ଓ ସହଯୋଗୀଙ୍କ ଫଛଘୁଞ୍ଚା

ଆମେରିକା ପଛକୁ ହଟିବାର ଏକ ପ୍ରମୁଖ କାରଣ ହେଉଛି ଆର୍ଥିକ ଓ ରଣନୈତିକ ଚାପ। ବିଶେଷଜ୍ଞମାନଙ୍କ ଅନୁସାରେ, ଯଦି ଇରାନ ସହିତ ଯୁଦ୍ଧ ହୁଏ, ତେବେ ହର୍ମୁଜ୍ ପ୍ରଣାଳୀ ଓ ଲୋହିତ ସାଗର ବାଣିଜ୍ୟ ପଥ ବନ୍ଦ ହୋଇଯିବ। ଯାହା ବିଶ୍ୱ ବାଣିଜ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ୟୁଏଇ, ତୁର୍କୀ ଓ ସାଉଦି ଆରବ ଭଳି ଆମେରିକାର ଘନିଷ୍ଠ ସହଯୋଗୀମାନେ ଯୁଦ୍ଧ ପରିସ୍ଥିତିରେ ଆମେରିକାକୁ ସେମାନଙ୍କର ସାମରିକ ଘାଟି ଯୋଗାଇବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ବ୍ୟବସାୟିକ ସଙ୍କଟ ଓ ସହଯୋଗୀଙ୍କ ଫଛଘୁଞ୍ଚା କାରଣରୁ, ୟୁଏସ୍‌ଏସ୍‌ ଆବ୍ରାହମ ଲିଙ୍କନ ଓ ଥାଡ୍ କ୍ଷେପଣାସ୍ତ୍ର ପ୍ରଣାଳୀର ମୁତୟନ ସତ୍ତ୍ୱେ, ଟ୍ରମ୍ପ ପ୍ରଶାସନ ଶାନ୍ତି ଚୁକ୍ତିକୁ ସର୍ବୋତ୍ତମ ବିକଳ୍ପ ଭାବରେ ବିବେଚନା କରୁଛନ୍ତି।