କନକ ବ୍ୟୁରୋ : ଆନ୍ତର୍ଜାତୀୟ ମାନଦଣ୍ଡ ଉଲ୍ଲଂଘନ କରି ଚୀନ୍ ଗୁପ୍ତ ପରମାଣୁ ପରୀକ୍ଷଣ କରୁଥିବା ଅଭିଯୋଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କରାଯାଇଛି । ଏହାକୁ ନେଇ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ଆମେରିକୀୟ ଅଧିକାରୀମାନେ ଦାବି କରିଛନ୍ତି, ବେଜିଂ ନିଜର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଶହ ଶହ ଟନ୍ ପରମାଣୁ ଅସ୍ତ୍ର ପରିଚାଳନା କରି ​​ ସେଗୁଡ଼ିକୁ ବିଶ୍ୱଠାରୁ ଲୁଚାଇବାକୁ ଚେଷ୍ଟା କରୁଛି ।
ଆମେରିକା ଅଭିଯୋଗ କରିଛି, ଚୀନ୍ ଜୁନ୍ ୨୦୨୦ରେ ଏକ ଗୁପ୍ତ ପରମାଣୁ ପରୀକ୍ଷଣ କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୀନ୍ ଏହି ଗୁପ୍ତ ପରମାଣୁ ପରୀକ୍ଷଣ ଜୁନ୍ ୨୨, ୨୦୨୦ରେ କରିଥିଲା, ଯେତେବେଳେ ଭାରତ ସହିତ ଗାଲୱାନ୍ ଉପତ୍ୟକାରେ ଏହାର ସଂଘର୍ଷ ଜୁନ୍ ୧୫ରେ ହୋଇଥିଲା। ଏହାର ୭ ଦିନ ପରେ ଚୀନ୍ ଲୁଚାଛପା ଭାବେ ଏଭଳି କରିଥିଲା। ଆମେରିକା ସରକାର କହିଛନ୍ତି, ଚୀନ୍ ଗୁପ୍ତ ଭାବରେ ଅତି କମରେ ଗୋଟିଏ ଉପଜ ଉତ୍ପାଦନକାରୀ ପରମାଣୁ ପରୀକ୍ଷଣ(ଇଲ୍ଡ ପ୍ରଡ୍ୟୁସିଂ ନ୍ୟୁକ୍ଲିୟର ଟେଷ୍ଟ) କରିଛି ।ଏହାକୁ ନିଷିଦ୍ଧ କରାଯାଇଛି। ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ ଏବଂ ରୁଷିଆ ଉଦ୍ଦେଶ୍ୟରେ ପୂର୍ବରୁ କହିଥିଲେ ଯେ, ଏବେ ଆମେରିକା ମଧ୍ୟ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବ ।
ଅଧିକ ପଢ଼ନ୍ତୁ---ଭାରତ ପାଖରେ ରହିବ ଆମେରିକା ବଜାରର ଚାବିକାଠି: ମେକ୍ ଇନ୍ ଇଣ୍ଡିଆକୁ ମିଳିବ ପ୍ରୋତ୍ସାହନ
ଚୀନ୍ ଉପରେ ନୂତନ ପରମାଣୁ ପରୀକ୍ଷଣର ଅଭିଯୋଗ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ଅଧିକାରୀମାନେ ରୁଷ ସହିତ ନୂତନ ଷ୍ଟାର୍ଟ ଚୁକ୍ତିକୁ ସଫଳ କରିବା ପାଇଁ ଏକ ନୂତନ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମାର ବିକଳ୍ପ ଖୋଜୁଛନ୍ତି । ଏଥିରେ ଚୀନ୍କୁ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ଉପ-ସଚିବ ଥମାସ୍ ଡିନାନୋ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ନିରସ୍ତ୍ରୀକରଣ ସମ୍ମିଳନୀରେ ଏକ ଭାଷଣ ସମୟରେ କହିଥିଲେ, ଆଜି, ମୁଁ କହିପାରିବି ଯେ, ଆମେରିକା ସରକାର ଜାଣନ୍ତି ଚୀନ୍ ପରମାଣୁ ବିସ୍ଫୋରକ ପରୀକ୍ଷଣ କରିଛି। ଯେଉଁଥିରେ ଶହ ଶହ ଟନ୍ ନିର୍ଦ୍ଧିଷ୍ଟ ଉତ୍ପାଦନ ସହିତ ପରୀକ୍ଷଣ ପାଇଁ ପ୍ରସ୍ତୁତି ଅନ୍ତର୍ଭୁକ୍ତ। ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଏହା ଏକ ବଡ଼ ବିପଦ।
ଗୁରୁତର ଅଭିଯୋଗ
ଜେନେଭାରେ ଜାତିସଂଘ-ସମର୍ଥିତ ନିରସ୍ତ୍ରୀକରଣ ସମ୍ମିଳନୀରେ ଆମେରିକାର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଅଧିକାରୀ ଥମାସ ଡିନାନୋ ଚୀନ୍ର କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ ଦାବି କରିଥିଲେ ଯେ ଆମେରିକା ପାଖରେ ଠୋସ୍ ସୂଚନା ଅଛି ଯେ ଚୀନ ଶହ ଶହ ଟନ୍ ଉତ୍ପାଦନ ସହିତ ଗୁପ୍ତ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା ଅଭିଯୋଗ କରିଛି, ଚୀନ୍ ଜାଣିଶୁଣି ଏହି ସାମରିକ କାର୍ଯ୍ୟକଳାପକୁ ଲୁଚାଇ ରଖିଛି।
ଚୀନ୍ କରୁଛି ଅସ୍ୱୀକାର
ଆମେରିକା ଦ୍ୱାରା ଲଗାଯାଇଥିବା ଏହି ସମସ୍ତ ଅଭିଯୋଗକୁ ଚୀନ୍ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହିଛି। ରାଷ୍ଟ୍ରଦୂତ ସେନ୍ ଜିଆନ୍ ସ୍ପଷ୍ଟ କରିଛନ୍ତ, ଚୀନ୍ ପରମାଣୁ ପରୀକ୍ଷଣ ସ୍ଥଗିତ ରଖିବା ପ୍ରତି ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି ଓ ଆଗକୁ ଏହା ଜାରି ରଖିବ। ଚୀନ୍ ଯୁକ୍ତି ରଖିଛି, ଆମେରିକା ପରମାଣୁ ନିରସ୍ତ୍ରୀକରଣ ପାଇଁ ନିଜର ଦାୟିତ୍ୱ ଏଡାଇବା ତଥା ନିଜର ପରମାଣୁ ପ୍ରାଧାନ୍ୟକୁ ଯଥାର୍ଥ କରିବା ପାଇଁ ଏପରି ଅଭିଯୋଗ କରୁଛି।
୫୦ ବର୍ଷ ଚୁକ୍ତିର ସମାପ୍ତି
ଏହି ବିବାଦ ଏପରି ଏକ ସମୟରେ ଉପୁଜିଛି ଯେତେବେଳେ ଆମେରିକା ଏବଂ ରୁଷ ମଧ୍ୟରେ ନୂତନ ରଣନୀତିକ ଅସ୍ତ୍ରଶସ୍ତ୍ର ହ୍ରାସ ଚୁକ୍ତି (ଶ୍ଟାର୍ଟ) ଆନୁଷ୍ଠାନିକ ଭାବରେ ୫୦ ବର୍ଷ ପରେ ସମାପ୍ତ ହୋଇଛି। ଏହି ଐତିହାସିକ ଚୁକ୍ତିନାମା ବିଶ୍ୱର ଦୁଇ ପ୍ରମୁଖ ମହାଶକ୍ତି ମଧ୍ୟରେ ନିୟୋଜିତ ପରମାଣୁ ଅସ୍ତ୍ରଶସ୍ତ୍ର ସଂଖ୍ୟା ସର୍ବାଧିକ ୧,୫୫୦ ପର୍ଯ୍ୟନ୍ତ ସୀମିତ କରିଥିଲା। ଯଦିଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଚୁକ୍ତିନାମାକୁ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଡୋନାଲ୍ଡ ଟ୍ରମ୍ପ ଏହାକୁ ଗ୍ରହଣ କରିବାକୁ ମନା କରିଥିଲେ।
ଚୀନ୍ ଉପରେ ଚାପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ନୂତନ ଓ ବ୍ୟାପକ ପରମାଣୁ ଚୁକ୍ତିନାମା ପାଇଁ ସମର୍ଥନ କରୁଛନ୍ତି ଯେଉଁଥିରେ ରୁଷ ଏବଂ ଚୀନ୍ ସାମିଲ ହେବା ଅନିବାର୍ଯ୍ୟ। ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚିନ୍ତା ପ୍ରକାଶ କରିଛନ୍ତି ଯେ, ଚୀନ୍ ବିନା ଯେକୌଣସି ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଢାଞ୍ଚା ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ପାଇଁ ସୁରକ୍ଷିତ ହେବ ନାହିଁ। ଆବୁଧାବିରେ ଅନୁଷ୍ଠିତ ଏକ ବୈଠକରେ, ରୁଷ ଓ ଆମେରିକା ଏକମତ ହୋଇଥିଲେ ଭବିଷ୍ୟତର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଉପରେ ଆଲୋଚନା ଶୀଘ୍ର ଆରମ୍ଭ ହେବା ଉଚିତ।
ବୃଦ୍ଧି ପାଉଥିବା ପରମାଣୁ ଭଣ୍ଡାର
ପରିସଂଖ୍ୟାନ ଅନୁଯାୟୀ, ୨୦୨୦ ମସିହାରେ ଚୀନ୍ ପାଖରେ ପ୍ରାୟ ୨୦୦ ପରମାଣୁ ଅସ୍ତ୍ର ଥିଲା । ଏହା ଏବେ ଆଶ୍ଚର୍ଯ୍ୟଜନକ ଭାବରେ ୬୦୦ ରୁ ଅଧିକ ହୋଇଛି। ଆମେରିକୀୟ ଗୁଇନ୍ଦା ଆକଳନ ଅନୁଯାୟୀ, ଯଦି ପରମାଣୁ ବିକାଶର ଧାରାର ବର୍ତ୍ତମାନର ଗତି ଜାରି ରହେ, ତେବେ ୨୦୩୦ ସୁଦ୍ଧା ଚୀନ୍ର ପରମାଣୁ ଅସ୍ତ୍ର ଭଣ୍ଡାର ୧୦୦୦ ରେ ପହଞ୍ଚିପାରେ। ଏହି କାରଣରୁ ବିଶ୍ୱ ସନ୍ତୁଳନ ବଜାୟ ରଖିବା ପାଇଁ ଟ୍ରମ୍ପ୍ ପ୍ରଶାସନ ଚୀନ୍କୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଲୋଚନା ଟେବୁଲକୁ ଆଣିବା ପାଇଁ ନିରନ୍ତର କୂଟନୈତିକ ଚାପ ପ୍ରୟୋଗ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/china-america-2026-02-07-11-41-24.jpg)