କନକ ବ୍ୟୁରୋ : ଭାରତ ଓ ଆମେରିକା ଏକ ଐତିହାସିକ ବାଣିଜ୍ୟ ଚୁକ୍ତିନାମା ପାଖକୁ ଏକ ପାଦ ଆଗକୁ ବଢାଇଛନ୍ତି । ଦୁଇ ଦେଶ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଢାଞ୍ଚା ପ୍ରକାଶ କରିଛନ୍ତି । ଯାହାର ଲକ୍ଷ୍ୟ ଶୁଳ୍କ ହ୍ରାସ କରିବା, ଶକ୍ତି ସମ୍ପର୍କକୁ ମଜବୁତ କରିବା ତଥା ଆର୍ଥିକ ସହଯୋଗକୁ ଆହୁରି ନିବିଡ଼ କରିବ । ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ଉଭୟ ଦେଶ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ପୁନର୍ଗଠିତ କରିବାକୁ ଓ ବାଣିଜ୍ୟକୁ ଅଧିକ ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ।

Advertisment

ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତିନାମାକୁ ସମସ୍ତ ଚୁକ୍ତିନାମାର ଜନନୀ ବୋଲି କୁହାଯାଉଛି । ସେହିପରି ଭାରତ-ଆମେରିକା ମଧ୍ୟରେ ହୋଇଥିବା ଏହି ବାଣିଜ୍ୟ ଚୁକ୍ତିକୁ ସମସ୍ତ ଚୁକ୍ତିର ପିତା ବୋଲି କୁହାଯାଉଛି । କାରଣ ଏହା ବିଶ୍ୱର ସର୍ବବୃହତ ଅର୍ଥନୀତି ଓ ବିଶ୍ୱର ସର୍ବବୃହତ ବଜାର ମଧ୍ୟରେ ଏକ ଚୁକ୍ତି । ଏହା ମଧ୍ୟ କୁହାଯାଉଛି ଯେ, ଆଗାମୀ ଦିନରେ ଭାରତ ପାଖ‌ରେ ଆମେରିକା ବଜାରର ଚାବିକାଠି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବାଣିଜ୍ୟ ଚୁକ୍ତି ଉପରେ ଖୁସି ପ୍ରକାଶ କରି ଏହାକୁ ଭାରତ ଓ ଆମେରିକା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବା ପରେ, ଭାରତ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା କିଛି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ଆରମ୍ଭ କରିବ ।

ଅଧିକ ପଢ଼ନ୍ତୁ---ପିଓକେକୁ ଭାରତର ଏକ ଅଂଶ ଭାବେ ମାନ୍ୟତା ଦେଲା ଆମେରିକା : ମାନଚିତ୍ର ପୋଷ୍ଟ ମାଧ୍ୟମରେ ପାକିସ୍ତାନକୁ ବଡ଼ ଝଟକା

ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ

ଆଗାମୀ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ଉପରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଆମର ଦୁଇ ମହାନ ରାଷ୍ଟ୍ର ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାର ଢାଞ୍ଚା ଉପରେ ସହମତ ହୋଇଛୁ । ଆମ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ପ୍ରତି ତାଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ପାଇଁ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି। ଏହି ବାଣିଜ୍ୟ ଚୁକ୍ତିନାମା ଆମର ସହଭାଗୀତାର ବର୍ଦ୍ଧିତ ଗଭୀରତା, ବିଶ୍ୱାସ ତଥା ଗତିଶୀଳତାକୁ ପ୍ରତିଫଳିତ କରୁଛି। ଏହା ଭାରତର ପରିଶ୍ରମୀ ଚାଷୀ, ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍ ନବସୃଜନକାରୀ, ମତ୍ସ୍ୟଜୀବୀ ତଥା ଅନ୍ୟମାନଙ୍କ ପାଇଁ ନୂତନ ସୁଯୋଗ ଖୋଲିବା ସହିତ ମେକ୍ ଇନ୍ ଇଣ୍ଡିଆକୁ ମଜବୁତ କରିବ । ଏହା ମହିଳା ଓ ଯୁବବର୍ଗମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏକ ବିକଶିତ ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,ଭାରତ ଓ ଆମେରିକା ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଢାଞ୍ଚା ଆମର ନିବେଶ ଓ ପ୍ରଯୁକ୍ତିବିଦ୍ୟା ସହଭାଗୀତାକୁ ଆହୁରି ମଜବୁତ କରିବ। ଏହି ଢାଞ୍ଚା ନମନୀୟ ତଥା ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରି ବିଶ୍ୱ ଅଭିବୃଦ୍ଧିରେ ଯୋଗଦାନ ଦେବ। ଆମେ ଏକ ବିକଶିତ ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଥିବା ସମୟରେ, ଆମେ ଭବିଷ୍ୟତ-ମୁଖୀ ଆମର ଜନସାଧାରଣଙ୍କୁ ସଶକ୍ତ କରିବା ଓ ସହଭାଗୀ ସମୃଦ୍ଧିରେ ଯୋଗଦାନ ଦେଉଥିବା ବିଶ୍ୱ ସହଭାଗୀତା ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଭାରତରେ ଏହି ଜିନିଷଗୁଡ଼ିକ ଶସ୍ତା ହେବ

ଭାରତ-ଆମେରିକା ଚୁକ୍ତିନାମାର ପ୍ରମୁଖ ସର୍ତ୍ତାବଳୀ ହେଉଛି ଭାରତ ସମସ୍ତ ଆମେରିକୀୟ ଶିଳ୍ପ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ଏବଂ କୃଷି ଉତ୍ପାଦ ଉପରେ ଶୁଳ୍କ ଉଚ୍ଛେଦ କିମ୍ବା ହ୍ରାସ କରିବା । ଏଥିରେ ଶୁଖିଲା ଶସ୍ୟ, ପଶୁ ଖାଦ୍ୟ , ବାଦାମ, ତାଜା ଏବଂ ପ୍ରକ୍ରିୟାକୃତ ଫଳ, ସୋୟାବିନ୍ ତେଲ, ମଦ ଏବଂ ସ୍ପିରିଟ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ। ଆମେରିକା ଭାରତରେ ଉତ୍ପାଦିତ ସାମଗ୍ରୀ, ଯେପରିକି ବୟନ ଏବଂ ପୋଷାକ, ଚମଡା ଏବଂ ଜୋତା, ପ୍ଲାଷ୍ଟିକ୍ ଏବଂ ରବର, ଜୈବିକ ରାସାୟନିକ ପଦାର୍ଥ, ଗୃହ ସାଜସଜ୍ଜା, ହସ୍ତଶିଳ୍ପ ଉତ୍ପାଦ ଏବଂ କିଛି ଯନ୍ତ୍ରପାତି ଉପରେ ୧୮ ପ୍ରତିଶତ ଶୁଳ୍କ ଲାଗୁ କରିବ । ବିବୃତିରେ କୁହାଯାଇଛି ଯେ, ଆମେରିକା ଏବଂ ଭାରତ ତୁରନ୍ତ ଏହି ଢାଞ୍ଚା କାର୍ଯ୍ୟକାରୀ କରିବେ ଏବଂ ସହମତ ଢାଞ୍ଚା ଅନୁସାରେ ଏକ ପାରସ୍ପରିକ ଲାଭଦାୟକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ସମାପ୍ତ କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରିବେ ।