OIL Photograph: (KANAK NEWS)
କନକ ବ୍ୟୁରୋ: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକୀୟ ସେନା ଗିରଫ କରିବା ପରେ ତାଙ୍କୁ ନ୍ୟୁୟର୍କ ଜେଲ୍ରେ ରଖାଯିବା ଲାଟିନ ଆମେରିକାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ରାଜ୍ୟବାଦୀ ଯୋଜନାର ଏହା ଏକ ନଗ୍ନ ପରିପ୍ରକାଶ ବୋଲି ବିଭିନ୍ନ ରାଷ୍ଟ୍ର ବୟାନ ଦେଇଛନ୍ତି । ଭେନେଜୁଏଲା ଅଭିଯାନକୁ ଆମେରିକା ନାର୍କୋ-ଆତଙ୍କବାଦ ବିରୋଧରେ ଜରୁରି ପଦକ୍ଷେପ ବୋଲି କହିଥିଲେ ମଧ୍ୟ ବିଶ୍ଳେଷକମାନେ ଏହା ପଛରେ ତୈଳ ଲୋଭ ଓ ରାଜନୈତିକ ଉଦ୍ଦେଶ୍ୟ ଦେଖୁଛନ୍ତି । ଆମେରିକା ଭେନେଜୁଏଲାର ବିଶାଳ ତୈଳ ସଂପଦକୁ ଅକ୍ତିଆର କରିବା ପାଇଁ ନିଜ ଘାତଶକ୍ତି ପ୍ରୟୋଗ କରିଛି ବୋଲି ସେମାନେ କହିଛନ୍ତି । ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ଙ୍କ ବିରୋଧରେ ଡ୍ରଗ୍ ଟ୍ରାଫିକିଂ ଓ ନାର୍କୋ-ଟେରରିଜମ୍ ଅଭିଯୋଗ କେବଳ ଏକ ବାହାନା ବୋଲି ଅନେକ ବିଶ୍ଳେଷକ ମତ ରଖିଛନ୍ତି ।
ଡ୍ରଗ୍ ଟ୍ରାଫିକିଂ ଅଭିଯୋଗ ନେଇ ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ମାଦୁରୋ ଓ ତାଙ୍କ ସରକାର ‘ସିନାଲୋଆ କାର୍ଟେଲ୍’ ଓ ‘ଟ୍ରେନ୍ ଡେ ଆରାଗୁଆ’ ଭଳି ଗ୍ୟାଙ୍ଗ୍ ସହ ମିଶି ହଜାର ହଜାର ଟନ୍ କୋକେନ୍ ଆମେରିକାକୁ ପଠାଉଛନ୍ତି । ଏହାର ଲାଭ ଭେନେଜୁଏଲା ସରକାରକୁ ଯାଉଛି । ୨୦୨୦ରୁ ଏହି ଅଭିଯୋଗ ରହିଛି ଏବଂ ଏଥର ଟ୍ରମ୍ପ ଏହାକୁ ଆଧାର କରି ଅଭିଯାନ କରିଛନ୍ତି । ତେବେ ଭେନେଜୁଏଲାରେ ବିଶ୍ୱର ସବୁଠାରୁ ବଡ଼ ତୈଳ ଭଣ୍ଡାର ରହିଥିବା ଏବଂ ଏହାକୁ ଆମେରିକା ପରିଚାଳନା କରିବ ବୋଲି ଟ୍ରମ୍ପଙ୍କ ଖୋଲା ବୟାନ ନାର୍କୋ ଆତଙ୍କବାଦ ଆଭିମୁଖ୍ୟକୁ ଗୌଣ କରିଦେଇଛି ।
ଆହୁରି ପଢ଼ନ୍ତୁ : ଆସାମରେ ସକାଳୁ ସକାଳୁ ଭୂକମ୍ପ: ମୋରିଗାଓଁରେ ୫.୧ ତୀବ୍ରତାର ଝଟକା
ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ତୈଳ କମ୍ପାନିଗୁଡ଼ିକ ସେଠାରେ ବିନିଯୋଗ କରି ଦୁର୍ବଳ ଭିତ୍ତିଭୂମି ଠିକ୍ କରିବେ ଓ ବିପୁଳ ପରିମାଣର ତୈଳ ବିକ୍ରି କରିବେ । ସମାଲୋଚକମାନେ କହିଛନ୍ତି ଯେ ଏହା ତୈଳ ପାଇଁ ଗୋଟିଏ ସ୍ବାଧୀନ ରାଷ୍ଟ୍ରର ସରକାରକୁ ରାତାରାତି ବଦଳାଇ ଦେବା ଏବଂ ରାଷ୍ଟ୍ରମୁଖ୍ୟଙ୍କୁ ବନ୍ଦୀ କରିବା ଭୀଷଣ ଅନର୍ଥ ସୃଷ୍ଟି କରିପାରେ । ତେବେ ଟ୍ରମ୍ପ ଏହାକୁ ଆମେରିକାର ସୁରକ୍ଷା ଓ ଅର୍ଥନୈତିକ ହିତ ପାଇଁ ଆବଶ୍ୟକ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଜାନୁଆରି ୩ ରାତିରେ ‘ଅପରେସନ୍ ଆବସୋଲ୍ୟୁଟ୍ ରିଜଲ୍ଭ୍’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆମେରିକାର ଯୁଦ୍ଧବିମାନ ଓ ସ୍ୱତନ୍ତ୍ର ବାହିନୀ କାରାକାସ୍ ସହ ଉତ୍ତର ଭେନେଜୁଏଲାର ବିଭିନ୍ନ ସ୍ଥାନରେ ବୋମା ମାଡ଼ କରିଥିଲା । ଫୁଏର୍ତେ ଟିଉନା ସାମରିକ ବେସ୍ ସମେତ ଅନେକ ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା । ଭେନେଜୁଏଲା ଅଧିକାରୀମାନେ କହିଛନ୍ତି ଯେ, ଏହି ଆକ୍ରମଣରେ ଅତି କମ୍ରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ ଓ ସୈନ୍ୟ ରହିଛନ୍ତି ।
Follow Us