କନକ ବ୍ୟୁରୋ : ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ମିଳିତ ଜାତିସଂଘ ଚାର୍ଟରର ଘୋର ଉଲ୍ଲଂଘନ ବୋଲି ବାମପନ୍ଥୀ ଦଳଗୁଡ଼ିକ କହିଛନ୍ତି । ଦଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ବକ୍ତବ୍ୟକୁ ମଧ୍ୟ କଡ଼ା ନିନ୍ଦା କରିଛି । ଦଳ କହିଛି , "ଭେନେଜୁଏଲା ବିରୋଧରେ ଆମେରିକାର ଆକ୍ରୋଶ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କ ଅପହରଣକୁ କଡ଼ା ନିନ୍ଦା କରୁଛୁ ।" ବାମପନ୍ଥୀ ଦଳ ଦାବି କରିଛି ଯେ ଭାରତ ସରକାର ଏହି ଆକ୍ରମଣକୁ ତୁରନ୍ତ ନିନ୍ଦା କରନ୍ତୁ, ମିଳିତ ଜାତିସଂଘରେ ଆମେରିକାର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରସ୍ତାବକୁ ସମର୍ଥନ କରନ୍ତୁ । ଏହା ସହ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରନ୍ତୁ ।

Advertisment

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ଲିବରେସନ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ (AIFB) ଏବଂ ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି (RSP) ପକ୍ଷରୁ ମିଳିତ ଭାବେ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଏହା ଏକ ସାର୍ବଭୌମ ଦେଶ ବିରୋଧରେ କରାଯାଇଥିବା ଆକ୍ରମଣ, ଯାହା ମିଳିତ ଜାତିସଂଘ ଚାର୍ଟରର ଘୋର ଉଲ୍ଲଂଘନ ।

ଅଧିକ ପଢ଼ନ୍ତୁ---ଟ୍ରମ୍ପଙ୍କ ଭେନେଜୁଏଲା ଆକ୍ରମଣ ପଛରେ ତୈଳ ଲୋଭ: ଜାଣନ୍ତୁ, ପୂରା ଘଟଣା...

ବିବୃତ୍ତି ଅନୁଯାୟୀ, "ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ସେ ଭେନେଜୁଏଲାର ତୈଳ ଭଣ୍ଡାରକୁ ଦଖଲ କରିବେ, ଯାହା ଏହି ଆକ୍ରମଣ ପଛର ପ୍ରକୃତ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଉ ପାଦେ ଆଗକୁ ଯାଇ ଚେତାବନୀ ଦେଇଛନ୍ତି ଯେ କ୍ୟୁବା ଏବଂ ମେକ୍ସିକୋ ସେମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେବ ।"

ଆମେରିକା ନିଜ ସାମ୍ରାଜ୍ୟ ବଢ଼ାଇବାକୁ ଚାହୁଁଛି: ବାମଦଳ

ବିବୃତ୍ତିରେ କୁହାଯାଇଛି ଯେ "ଆମେରିକାର ଜାତୀୟ ସୁରକ୍ଷା ରଣନୀତି ୨୦୨୫ ଜାରି ହେବାର କିଛି ଦିନ ପରେ ଆସିଥିବା ଏହି ବୟାନ ସ୍ପଷ୍ଟ କରୁଛି ଯେ ଆମେରିକୀୟ ସାମ୍ରାଜ୍ୟବାଦ ସମଗ୍ର ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଛି । ଏଥିପାଇଁ ସାମରିକ ଆକ୍ରମଣ କରିବାକୁ ପଡିଲେ ମଧ୍ୟ ସେ କରିବ । ଆମେରିକା କୁଖ୍ୟାତ 'ମୁନରୋ ସିଦ୍ଧାନ୍ତ'ର ଟ୍ରମ୍ପ ସଂସ୍କରଣକୁ ଲାଗୁ କରିବାକୁ ଚାହୁଁଛି, ଯାହା ସମଗ୍ର ପଶ୍ଚିମ ଗୋଲାର୍ଦ୍ଧକୁ ନିଜର ଅଂଶ ବୋଲି ମନେକରେ ଏବଂ ସେଠାରେ ନିଜର ଶାସନ ଚଳାଇବାକୁ ଚାହେଁ ।"ଭେନେଜୁଏଲାରୁ ଆସୁଥିବା ରିପୋର୍ଟ ସୂଚାଉଛି ଯେ ଲୋକମାନେ ଆମେରିକାର ଆକ୍ରମଣ ବିରୋଧରେ ଏବଂ ନିଜ ଦେଶର ସାର୍ବଭୌମତ୍ୱର ରକ୍ଷା ପାଇଁ ବହୁ ସଂଖ୍ୟାରେ ଏକଜୁଟ ହେଉଛନ୍ତି । ସେମାନେ କହିଛନ୍ତି, "ଆମେ ଭେନେଜୁଏଲାର ସଂଘର୍ଷରତ ଜନସାଧାରଣଙ୍କ ପ୍ରତି ଆମର ପୂର୍ଣ୍ଣ ସମର୍ଥନ ଏବଂ ଏକତା ପ୍ରକାଶ କରୁଛୁ ।" ବାମ ଦଳ ଆମେରିକାର ଆକ୍ରୋଶର ବିରୋଧ କରିବା ଏବଂ ଲାଟିନ୍ ଆମେରିକାର ଲୋକଙ୍କ ସହ ଏକତା ପ୍ରକାଶ କରିବା ପାଇଁ ଦେଶବ୍ୟାପୀ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛନ୍ତି ।

ଦଳ ଆହୁରି ମଧ୍ୟ କହିଛି , "ଆମେ ଆମ ଦେଶର ସମସ୍ତ ଶାନ୍ତିପ୍ରିୟ ଏବଂ ସାମ୍ରାଜ୍ୟବାଦ ବିରୋଧୀ ଲୋକଙ୍କୁ ନିବେଦନ କରୁଛୁ ଯେ ସେମାନେ ବହୁ ସଂଖ୍ୟାରେ ଏକଜୁଟ ହୋଇ ଏହି ବିରୋଧ ପ୍ରଦର୍ଶନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ । ଭାରତ ସରକାର ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଆମେରିକାର ଆକ୍ରମଣକୁ ଖୋଲାଖୋଲି ଭାବେ ନିନ୍ଦା କରିବା ଉଚିତ ଏବଂ ଭେନେଜୁଏଲା ସହିତ ଦୃଢ଼ ଭାବରେ ଠିଆ ହେବା ଉଚିତ ।"

ଶନିବାର ଭେନେଜୁଏଲା ଉପରେ ଆକ୍ରମଣ ଏବଂ ମାଦୁରୋଙ୍କୁ କ୍ଷମତାରୁ ହଟାଇ ଦେଶ ବାହାରକୁ ନିଆଯିବାର କିଛି ଘଣ୍ଟା ପରେ ଟ୍ରମ୍ପ କହିଥିଲେ ଯେ ଭେନେଜୁଏଲାରେ ଶାସନର ସୁରକ୍ଷିତ ଏବଂ ଉଚିତ ହସ୍ତାନ୍ତର ପର୍ଯ୍ୟନ୍ତ ଆମେରିକା ସେହି ଦେଶର ପ୍ରଶାସନ ସମ୍ଭାଳିବ ଏବଂ ଅନ୍ୟ ଦେଶକୁ ବିକ୍ରି କରିବା ପାଇଁ ଏହାର ବିଶାଳ ତୈଳ ଭଣ୍ଡାରର ବ୍ୟବହାର କରିବ ।