କନକ ବ୍ୟୁରୋ : ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଅଭିଜିତ ମଜୁମଦାର । ୧୯୭୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ପେସାରେ ଜଣେ ଅଧ୍ୟାପକ ଥିଲେ । ମାତ୍ର ୧୯୯୬ ମସିହାରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଯାଇଥିଲେ । ୨୦୦୦ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରିଛନ୍ତି ।
୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ଅଭିଜିତ । ଚଳଚ୍ଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି ।
ଅଧିକ ପଢ଼ନ୍ତୁ--ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା, କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ
୨୦୦୦ ମସିହାରେ ‘କାଶିଆ କପିଳା’ ଓଡ଼ିଆ ସିନେମା ଜରିଆରେ ନିଜର ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍ । ଏହା ପରଠୁ ଜାରି ରହିଥିଲା ଓଡ଼ିଆ ସିନେ ଜଗତରେ ଅଭିଜିତଙ୍କ ଯାତ୍ରା । ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ରୁ ଅଧିକ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ ଟ୍ବିଙ୍କ୍ଲ ଲିଟିଲ୍ ଷ୍ଟାର୍’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ । ତାଙ୍କର ଅନେକ ଆଇଟମ୍ ଗୀତ ରହିଛି, ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି । ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ ମଧ୍ୟ କରିଛନ୍ତି ।
ଅଭିଜିତ୍ଙ୍କ ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍ ଲୋକପ୍ରିୟ କରାଇଛି । ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ତୋ ବିନା ଭଲ ଲାଗେନା, ଶଶୁର ଘର ଜିନ୍ଦାବାଦ ଭଳି ଅନେକ ହିଟ୍ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ । ବାଳୁଙ୍ଗା ଟୋକା, ମାଟ୍ରିକ୍ ଫେଲ୍, ଲଭ୍ ମାଷ୍ଟର, ଡାହା ବାଳୁଙ୍ଗା, ସମଥିଙ୍ଗ୍ ସମଥିଙ୍ଗ୍-୨, ଇସ୍କ ତୁ ହି ତୁ ଭଳି ଅନେକ ସୁପରହିଟ୍ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/abhijeet-majumdar-2026-01-25-12-42-04.jpg)