Palalahada Photograph: (kanak news)
କନକ ବ୍ୟୁରୋ : ଶୀତ ୠତୁ ଆସିବା ସହିତ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ପିକନିକର ମଜା ଦେଖାଯାଉଛି । ପ୍ରାକୃତିକ ପରିବେଶ ମଧ୍ୟରେ ପରିବାର ଓ ବନ୍ଧୁବାନ୍ଧବ ସହ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ସେଥିମଧ୍ୟରେ ଅନ୍ୟତମ ଦ୍ବିତୀୟ ଚିଲିକାର ଭ୍ରମ ସୃଷ୍ଟି କରୁଥିବା ଅନୁଗୁଳର ପାଳଲହଡା । ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏହି ସ୍ଥାନଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ବଣଭୋଜି କରିବାପାଇଁ ଏଠାରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।
ଘଞ୍ଚ ଜଙ୍ଗଲ ଭିତରେ ଅକାତକାତ ପାଣି । ବଣଭୋଜି ସହ ନୌକା ବିହାର । ପିକ୍ନିକ୍ ଋତୁରେ ପର୍ଯ୍ୟଟକଙ୍କ ମନ ମୋହୁଛି ପାଲଲହଡ଼ା ବ୍ଲକର ଏହି ବିସ୍ତୃତ ଜଳରାଶି । ରେଙ୍ଗାଲୀ ଜଳଭଣ୍ଡାର ନିକଟରେ ଥିବା ପୁରୁଣାଗୁରୁସୁଲେଇ ବର୍ତ୍ତମାନ ଦ୍ବିତୀୟ ଚିଲିକା ଭାବେ ଓଡ଼ିଶା ମାନଚିତ୍ରରେ ବେଶ ପରିଚିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ଏଠାକୁ ଟାଣି ଆଣିବ। ଯେଉଁଥିପାଇଁ ପ୍ରତିଦିନ ପାଖାପାଖି ୧୦ ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ରାତି ପାହିଲେ ଶହଶହ ସଂଖ୍ୟାରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ବଣଭୋଜି କରି ବୋଟିଂର ମଜା ନେଉଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ---ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ; ଅବଧି ସରୁଛି ହେଲେ ଆଗଉନି କାମ
ସରକାର ଏହି ସ୍ଥାନଟିକୁ ଦ୍ବିତୀୟ ଚିଲିକା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଖମାର ବନବିଭାଗ ଏବଂ ସହରଗୁରୁଜାଙ୍ଗ ବନ ସଂରକ୍ଷଣ ସମିତି ପକ୍ଷରୁ ମିଳିତ ଭାବେ ଟ୍ରାଫିକକୁ ନିୟନ୍ତ୍ରଣ କରାଯାଉଛି । ଏଥିସହ ପର୍ଯ୍ୟଟକ କିପରି ଶୃଙ୍ଖଳିତ ଭାବେ ନୌକା ବିହାର କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅସମ୍ଭବ ଭିଡ଼ ରହୁଥିବାରୁ ପାଳଲହଡା ପୋଲିସ ପ୍ରଶାସନ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନବରତ ଭାବେ ପାଟ୍ରୋଲିଂ ଜାରି ରହିଛି । ୨୦୦୩ରେ ଏହି ଜଳ ଭଣ୍ଡାର ନିକଟକୁ ଶୀତଦିନେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା । ଶୀତ ଋତୁ ଆସିବା ମାତ୍ରେ ଏଠାକୁ ନିଜ ପରିବାର ସହ କିଛି ସମୟ ବିତାଇବାକୁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସନ୍ତି ପର୍ଯ୍ୟଟକ ।
Follow Us